ମାତୃଭାଷାରେ ଦିଆଯିବ ବୈଷୟିକ ଶିକ୍ଷା ; କେନ୍ଦ୍ର ସରକାର ଗଠନ କଲେ ଟାସ୍କଫୋର୍ସ

ନୂଆଦିଲ୍ଲୀ: ମାତୃଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ ନିମନ୍ତେ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଟାସ୍କଫୋର୍ସ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରି ଏହି ରୋଡମ୍ୟାପ ପ୍ରସ୍ତୁତ କରିବ । ଏହି ଟାକ୍ସଫୋର୍ସରେ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ ଅଧ୍ୟକ୍ଷ ରହିବେ ।

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଦ୍ବାରା ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଉଚ୍ଚଶିକ୍ଷା ସଚିବ ଅମିତ ଖରେ, ଆଇଆଇଟିଗୁଡ଼ିକର ନିର୍ଦ୍ଦେଶକ, ଶିକ୍ଷାବିତ, ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦କୁ କିପରି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ପୋଖରିଆଲ କହିଛନ୍ତି ଯେ ପିଲାମାନେ ନିଜ ମାତୃଭାଷାରେ ଡାକ୍ତରୀ, ଇଂଜିନିୟରିଂ,ଆଇନ ଆଦି ପାଠ ପଢନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ରହିଛି । ଜାତୀୟ ଶିକ୍ଷାନୀତି ଏହି ସ୍ବପ୍ନକୁ ସାକାର କରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କାହା ଉପରେ କୌଣସି ଭାଷାକୁ ଲଦିଦିଆଯିବ ନାହିଁ । କିନ୍ତୁ ଇଂରାଜୀ ଭାଷାରେ ଦକ୍ଷତା ନଥିବା କୌଣସି ଛାତ୍ର ଯେପରି ବୈଷୟିକ ଶିକ୍ଷାରୁ ବଞ୍ଚିତ ନରୁହନ୍ତି ତାହା ନିଶ୍ଚିତ କରାଯିବ ।

ସମ୍ବନ୍ଧିତ ଖବର