୧୨୫ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ ପ୍ରାର୍ଥୀ କଲା

ନୂଆଦିଲ୍ଲୀ: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା‌ ଜାରି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୧୨୫ ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଛି। ଏହି ୧୨୫ ଜଣଙ୍କ ମଧ୍ୟରୁ ୫୦ ଜଣ ମହିଳା। କଂଗ୍ରେସର ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମା’ ଆଶା ସିଂହ ଅଛନ୍ତି। ମୋଟ୍‌ ୧୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ପ୍ରତିଶତ ମହିଳା ଏବଂ ୪୦ ପ୍ରତିଶତ ଯୁବଗୋଷ୍ଠୀର ପ୍ରାର୍ଥୀ ରହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ପ୍ରିୟଙ୍କା ପୂର୍ବରୁ ଘୋଷଣା କରି କହିଥିଲେ ୪୦ ପ୍ରତିଶତ ଟିକେଟ ମହିଳାଙ୍କୁ ଦିଆଯିବ। ଏଥିସହ ପ୍ରିୟଙ୍କା ଏକ ସ୍ଲୋଗାନ ଦେଇଥିଲେ ଏବଂ ଏହି ସ୍ଲୋଗାନ ହେଉଛି ‘ଝିଅମାନେ ବି ଲଢ଼ିପାରିବେ’। ପ୍ରିୟଙ୍କା କହିଛନ୍ତି, ମହିଳାମାନଙ୍କୁ ରାଜନୈତିକ ଅଧିକାର ଦେବା ଆବଶ୍ୟକ। ଇତି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ଟ୍ବିଟ୍‌ କରି କହିଛନ୍ତି, ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମା’ ଉତ୍ତରପ୍ରଦେଶରେ ନ୍ୟାୟର ଚେହେରା ହେବେ। ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରି ୧୦ରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆରମ୍ଭ ହେବ। ୭ଟି ପର୍ଯ୍ୟାୟରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏଠାରେ ଭୋଟଦାନ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ।

ସମ୍ବନ୍ଧିତ ଖବର