ଯୋଗୀ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା: ଇସ୍ତଫା ପରେ ଅଖିଳେଶଙ୍କୁ ଭେଟିଲେ ଧରମ ସିଂହ ସାଇନି, ୨୪ ଘଣ୍ଟା‌ରେ ୟୁ-ଟର୍ନ

ଫିରୋଜାବାଦ: ଉତ୍ତରପ୍ରଦେଶରେ ବିଜେପିକୁ ଆଜି ପୁଣିଥରେ ଶକ୍ତ ଝଟ୍‌କା ଲାଗିଛି। ଯୋଗୀ କ୍ୟାବିନେଟ୍‌ରେ ପୁଣିଜଣେ ମନ୍ତ୍ରୀ ଆଜି ମନ୍ତ୍ରିମଣ୍ଡର ଏବଂ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ଧରମ ସିଂହ ସାଇନି। ସାଇନିଙ୍କୁ ମିଶାଇ ଗତ ୩ ଦିନ ମଧ୍ୟରେ ଯୋଗୀ କ୍ୟାବିନେଟ୍‌ରୁ ୩ ଜଣ ମନ୍ତ୍ରୀ ଇସ୍ତଫା ଦେଲେଣି। ଇସ୍ତଫା ଦେବାପରେ ସାଇନି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ଅଖିଳେଶ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ନାକୁର ନିର୍ବାଚନମଣ୍ଡଳିକୁ ପ୍ରତିନିଧିତ୍ବ କରୁଥିବା ସାଇନି ଆୟୁଷ, ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (ସ୍ବାଧୀନ) ମନ୍ତ୍ରୀ ଥିଲେ। ସାଇନିଙ୍କ ପୂର୍ବରୁ ଆଜି ବିଜେପିର ଅନ୍ୟ ଜଣେ ବିଧାୟକ ବି ଇସ୍ତଫା ଦେଇଛନ୍ତି। ଶିକୋହାବାଦ ନିର୍ବାଚନମଣ୍ଡଳୀ ବିଧାୟକ ଡ. ମୁକେଶ ବର୍ମା ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମାତ୍ର ୩ ଦିନରେ ବିଜେପି ୩ ମନ୍ତ୍ରୀଙ୍କ ସମେତ ମୋଟ୍‌ ୮ ନେତାଙ୍କୁ ହରାଇଲାଣି।

୪ ଥର ବିଧାୟକ ହୋଇଥିବା ସାଇନି ଗତ ୨୪ ଘଣ୍ଟା ପୂର୍ବେ ବିଜେପିରେ ଯୋଗ ଦେବା ରିପୋର୍ଟକୁ ଖଣ୍ଡନ କରିଥିଲେ। କିନ୍ତୁ ୨୪ ଘଣ୍ଟାରେ ସେ ୟୁ ଟର୍ନ ନେଇଛନ୍ତି ଏବଂ ବିଜେପିରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଯୋଗୀ ଆଦିତ୍ୟନାଥ ସାଇନିଙ୍କୁ ଅଟକାଇବା ପାଇଁ ତାଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ସେ ଅନ୍ୟ ୭ ଜଣଙ୍କ ପରି ସମାନ ଢଙ୍ଗରେ ଇସ୍ତଫା ଦେଇଛନ୍ତି। ଇତି ମଧ୍ୟରେ ବିଜେପିରୁ ଇସ୍ତଫା ଦେଇଥିବା ସମସ୍ତ ୮ ନେତାଙ୍କ ସହ ଅଖିଳେଶ ଆଜି ଏକ ବୈଠକ କରିଛନ୍ତି ଏବଂ ଏହାର ଏକ ଫଟୋ ଟ୍ବିଟରରେ ପୋଷ୍ଟ୍ କରିଛନ୍ତି। ବିଜେପିର ଟାଣୁ୍ଆ ଓବିସି ନେତାଙ୍କ ଇସ୍ତଫା ସହ ଉତ୍ତରପ୍ରଦେଶରେ ବିଜେପିର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଶକ୍ତି ବୃଦ୍ଧି ହୋଇଛି।

୨୦ ପର୍ଯ୍ୟନ୍ତ ପ୍ରତିଦିନ ଜଣେ ଲେଖାଏଁ ମନ୍ତ୍ରୀ ଇସ୍ତଫା ଦେବେ: ସାଇନି

ଲକ୍ଷ୍ନୌ: ଆଜି ବିଜେପିରୁ ଇସ୍ତଫା ଦେଇଥିବା ମନ୍ତ୍ରୀ ଧରମ ସିଂହ ସାଇନି ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଜେପିରୁ ଜଣେ‌ ଲେଖାଏଁ ମନ୍ତ୍ରୀ ଏବଂ ୨ରୁ ୩ ଜଣ ଲେଖାଏଁ ବିଧାୟକ ଇସ୍ତଫା ଦେବେ। ସାଇନିଙ୍କୁ ମିଶାଇ ମୋଟ୍‌ ୮ ଜଣ ବିଧାୟକ ବିଜେପି ଛାଡ଼ିଲେଣି। ସାଇନି କହିଛନ୍ତି, ତାଙ୍କ କଥା କେହି ନଶୁଣିବାରୁ ସେ ଇସ୍ତଫା‌ ଦେଇଛନ୍ତି। ସମୟ ଥିଲା ୧୪୦ ଜଣ ଲୋକ ଧାରଣାରେ ବସିଥିଲେ। କିନ୍ତୁ ସେମାନଙ୍କୁ ଧମକ ଦିଆଯାଇଥିଲା। ଏହାପ‌ରେ ସମସ୍ତେ ସଠିକ୍‌ ସମୟରେ ଜବାବ ଦେବାପାଇଁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର