ମୋ ଫ୍ଲୋରିଡ଼ା ଘରେ ଏଫ୍‌ବିଆଇ ଚଢ଼ଉ କରିଛି: ଟ୍ରମ୍ପ

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଫ୍ଲୋରିଡ଼ା ପାମ୍ ବିଚ୍‌-ସ୍ଥିତ ମାର୍-ଓ-ଲାଗୋ ଘରେ ଦେଶର ଗୁଇନ୍ଦା ସଂସ୍ଥା ଏଫ୍‌ବିଆଇ ପକ୍ଷରୁ ଚଢ଼ଉ କରାଯାଇଛି। ସୋମବାର ବହୁସଂଖ୍ୟକ ଏଫ୍‌ବିଆଇ ଅଧିକାରୀ ତାଙ୍କ ଘରେ ପଶି ବାକ୍ସଗୁଡ଼ିକ ଖୋଲିଥିଲେ। ନିଜେ ଟ୍ରମ୍ପ ଏହି ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଏହା ହେଉଛି ତାଙ୍କ ଦେଶ ପାଇଁ କଳା ସମୟ। ପୂର୍ବରୁ କେବେ ଆମେରିକାରେ ଜଣେ ରାଷ୍ଟ୍ରପତି ବା ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ଏଭଳି ତଲାସି କରାଯାଇ ନ ଥିଲା।

ତେବେ ଟ୍ରମ୍ପଙ୍କ ଏହି ଅଭିଯୋଗ ଉପରେ ଏଫ୍‌ବିଆଇ (ଫେଡେରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ) କିମ୍ବା ନ୍ୟାୟ ବିଭାଗ କୌଣସି ମନ୍ତବ୍ୟ ଦେଇନାହାନ୍ତି। ନାମ ପ୍ରକାଶ ନ କରିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି ଯେ ସର୍ଚ୍ଚ ୱାରେଣ୍ଟ ଜାରି ହେବାର ଅଳ୍ପ ସମୟ ପୂର୍ବରୁ ସିକ୍ରେଟ୍ ସର୍ଭିସ୍ (ଆମେରିକାର ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି ଆଦିଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଗୁଇନ୍ଦା ସଂସ୍ଥା)କୁ ସୂଚନା ଦିଆଯାଇଥିଲା। ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏଜେଣ୍ଟମାନେ ଏଫ୍‌ବିଆଇ ତଦନ୍ତରେ ସହଯୋଗ କରିଥିଲେ।

ଟ୍ରମ୍ପଙ୍କ ଘରେ ଅନେକ ବାକ୍ସ ଥିଲା। ସେଥିମଧ୍ୟରୁ କେତେକ ବାକ୍ସକୁ ତଦନ୍ତ ଅଧିକାରୀମାନେ ନେଇଯାଇଛନ୍ତି। ସେଥିରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଅଛି କି ନାହିଁ ସେମାନେ ଦେଖିବେ। କୌଣସି ଦରଜା ଭଙ୍ଗାଯାଇ ନାହିଁ। ଟ୍ରମ୍ପଙ୍କ ଓକିଲ କ୍ରିଷ୍ଟିନା ବବ୍ କହିଛନ୍ତି ଯେ ଏଫ୍‌ବିଆଇର ଏହି ଚଢ଼ଉରେ କେତେକ କାଗଜପତ୍ର ଜବତ କରାଯାଇଛି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନମାନେ ପ୍ରସ୍ତୁତ ହେଉଥିବା ବେଳେ ଏହି ଚଢ଼ଉ କରାଯାଇଛି। ଏଥିରେ ଅନେକ ଟ୍ରମ୍ପ-ସମର୍ଥକ ଉତ୍‌କ୍ଷିପ୍ତ ହେବା ସହ ମାର୍-ଏ-ଲାଗୋ ବାହାରେ ପତାକା ହଲାଇ ନିଜର କ୍ରୋଧ ପ୍ରକାଶ କରିଥିଲେ। ଟ୍ରମ୍ପ କହିଛନ୍ତି ଯେ ସମସ୍ତ ସରକାରୀ ଏଜେନ୍ସିକୁ ସହଯୋଗ କରିବାକୁ ସେ ସଦା ପ୍ରସ୍ତୁତ ଥିବା ବେଳେ ଏଭଳି ଅଘୋଷିତ ଚଢ଼ଉର ଆବଶ୍ୟକତା ନ ଥିଲା ଏବଂ ଏହା ଅନୁଚିତ ମଧ୍ୟ।

ସମ୍ବନ୍ଧିତ ଖବର