କଠିନ ଜୀବନଯାତ୍ରା ଓ ଜେଲ ପରେ ପାକିସ୍ତାନର ସୀମାଙ୍କ ପାଇଁ ଫେରିଲା ଖୁସି

ନୂଆଦିଲ୍ଲୀ ପାଞ୍ଚଦିନ ଜେଲରେ ରହିବା ପରେ ପାକିସ୍ତାନୀ ମହିଳା ସୀମା ଗୁଲାମ ହାଇଦର ଓ ଗ୍ରେଟର ନଏଡ଼ା ନିବାସୀ ସଚିନ ମୀନା ବର୍ଷଣମୁଖର ଶନିବାରର ସକାଳ ସାଢ଼େ ୮ଟା ସମୟରେ ଗୌତମବୁଦ୍ଧ ନଗରର ଲକ୍ସର ଜେଲରୁ ବାହାରି ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ହାଇଦର ତାଙ୍କର ୪ ପିଲାଙ୍କ ସହ ଜେଲରୁ ବାହାରିବା ପରେ ସଚିନଙ୍କ ବଡ଼ଭାଇ ତାଙ୍କୁ ନେବାକୁ ଏକ ସାଣ୍ଟ୍ରୋ କାର୍‌ରେ ପହଞ୍ଚିଥିଲେ। ଦୁଇଜଣ ରବୁପୁରା ଗାଁର ଠାକୁରନ କଲୋନିକୁ ଯାଇଥିଲେ। ସଚିନଙ୍କ ପିତା ନେତ୍ରପାଲ ସିଂହ ଦିନକ ପୂର୍ବରୁ ଜାମିନରେ ଜେଲରୁ ଖଲାସ ହୋଇଥିଲେ।

ବିନା ଭିସାରେ ବେଆଇନଭାବେ ନେପାଳ ଦେଇ ୪ ପିଲାଙ୍କ ସହ ଭାରତରେ ପ୍ରବେଶ କରିଥିବାରୁ ଜୁଲାଇ ୪ ତାରିଖରେ ଗୌତମବୁଦ୍ଧ ନଗର ପୁଲିସ ହାଇଦରଙ୍କୁ ଗିରଫ କରିଥିଲା। ତାଙ୍କୁ ଆଶ୍ରୟ ଦେଇଥିବାରୁ ସଚିନ ଓ ତାଙ୍କ ବାପାଙ୍କୁ ବି ଗିରଫ କରାଯାଇଥିଲା। ହାଇଦର, ସଚିନ, ତାଙ୍କର ୪ ପିଲା, ସଚିନଙ୍କ ବାପା, ମାଆ ଓ ୫ ଭାଇଭଉଣୀ ଦିନ ୧୦ଟାରେ ଘରେ ପହଞ୍ଚିଥିଲେ।

Hindustan Times

ସୀମା ହାଇଦର କହିଛନ୍ତି ଯେ ଗତ ମାର୍ଚ୍ଚ ମାସରେ କାଠମାଣ୍ଡୁର ପଶୁପତିନାଥ ମନ୍ଦିରରେ ସେ ସଚିନଙ୍କୁ ବିବାହ କରିଛନ୍ତି। ସେ ମୀନାଙ୍କ ଧର୍ମ ଓ ସଂସ୍କୃତିକୁ ଗ୍ରହଣ କରିଛନ୍ତି ଏବଂ ନିଜର ତଥା ୪ ପିଲାଙ୍କର ନାମ ବି ବଦଳାଇ ଦେଇଛନ୍ତି। ତାଙ୍କ ପିଲାମାନେ ସଚିନ ମୀନାଙ୍କୁ ବାପା ବୋଲି ଡାକୁଛନ୍ତି। ସଚିନଙ୍କ ବାପାମାଆ ବି ତାଙ୍କୁ ଗ୍ରହଣ କରିନେଇଛନ୍ତି। କେମିତି ପ୍ରେମରେ ପଡ଼ିଲ ବୋଲି ପଚାରିବାରୁ ହାଇଦର କହିଥିଲେ ଯେ କୋଭିଡ୍‌-୧୯ ସମୟରେ ଅନ୍‌ଲାଇନ୍‌ରେ ତାଙ୍କ ସହ ଯୋଗାଯୋଗ ହୋଇଥିଲା। ସେ ପବ୍‌ଜି ଖେଳନ୍ତି ଓ ଘଣ୍ଟାଘଣ୍ଟା ଧରି ସଚିନଙ୍କ ସହ ଚାଟିଂ କରନ୍ତି। ଚାରିମାସ ପରେ ଉଭୟ ଫୋନ ନମ୍ବର ଦିଆନିଆ ହୋଇ ଫୋନରେ କଥାବାର୍ତ୍ତା ଆରମ୍ଭ କଲେ। ଜାନୁଆରି ୨୦୨୧ରେ ଉଭୟ ପରସ୍ପରକୁ ଭଲ ପାଆନ୍ତି ବୋଲି ପ୍ରକାଶ କଲେ। ସୀମାପାର ପ୍ରେମ କାହାଣୀ ସମ୍ବଳିତ ଚଳଚ୍ଚିତ୍ର ଗଦାର ଦ୍ବାରା ସେମାନେ ପ୍ରଭାବିତ ହୋଇଥିବା ହାଇଦର ପ୍ରକାଶ କରିଛନ୍ତି। ସେ ସଚିନଙ୍କୁ ଭେଟିବା ପାଇଁ ଚଳିତବର୍ଷ ଫେବ୍ରୁଆରିରେ ଭିସା ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଭିସା ମିଳି ନ ଥିଲା। ତେଣୁ ସେମାନେ ମାର୍ଚ୍ଚମାସରେ ନେପାଳରେ ପରସ୍ପରକୁ ଦେଖା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ନେପାଳରେ ସେମାନେ ଏକ ହୋଟେଲରେ ୭ ଦିନ ରହିଲେ, ମୋବାଇଲରେ ଗଦାର ଫିଲ୍ମ ଦେଖିଲେ ଏବଂ ପଶୁପତିନାଥ ମନ୍ଦିରରେ ବାହା ହୋଇପଡ଼ିଲେ। ହାଇଦର ନିଜର ନାମ ସୀମା ଓ ପିଲାଙ୍କ ନାମ ରାଜ, ପ୍ରିୟଙ୍କା, ପରୀ ଓ ମୁନ୍ନି ରଖିଛନ୍ତି।

ହାଇଦର ପ୍ରଥମେ ତାଙ୍କ ସ୍ବାମୀ ସଚିନ ଓ ୪ ପିଲାଙ୍କ ସହ ମୀନାଙ୍କ ଘରଠାରୁ କିଛି ଦୂରରେ ଏକ ଘର ଭଡ଼ା ନେଇ ରହୁଥିଲେ। ମନ୍ଦିରରେ ବିବାହ ହୋଇଥିଲେ ମଧ୍ୟ ଆଇନଗତ ଭାବେ ବିବାହ ପାଇଁ ଚେଷ୍ଟା କଲାବେଳେ ସେ ବେଆଇନଭାବେ ଭାରତ ଆସିଥିବା ଜଣାପଡ଼ିଥିଲା ଓ ପୁଲିସ ତାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି ଏବଂ ଶୁଣାଣି ଶେଷରେ କୋର୍ଟ ରାୟ ଶୁଣାଇବେ। ତାଙ୍କୁ ଜାମିନ ମିଳିଥିଲେ ମଧ୍ୟ ସହର ବାହାରକୁ ଯିବା ପାଇଁ ଅନୁମତି ମିଳିନାହିଁ।

ସମ୍ବନ୍ଧିତ ଖବର