ଦିଲ୍ଲୀ ପୁଲିସର କ୍ଷମତା ବଢ଼ିଲା, ଏନ୍‌ଏସଏ ଅଧୀନରେ ଯେକୌଣସି ବ୍ୟକ୍ତିଙ୍କୁ ଅଟକ ରଖିପାରିବ ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଏନ୍‌ଏସଏ (ଜାତୀୟ ସୁରକ୍ଷା ଆଇନ) ଅଧୀନରେ ଦିଲ୍ଲୀ ପୁଲିସର କ୍ଷମତା ବୃଦ୍ଧି କରିଛନ୍ତି। ୨୦୨୧ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସକୁ ମିଳିଥିବା ସ୍ବତନ୍ତ୍ର କ୍ଷମତା ଅନୁଯାୟୀ ଯେ କୌଣସି ବ୍ୟକ୍ତିଙ୍କୁ ଏନ୍‌ଏସଏ ଅଧୀନରେ ଅଟକ ରଖିପାରିବ। ଏନେଇ ଏକ ବିଜ୍ଞପ୍ତି ଜାରି ‌ହୋଇଛି। ଦିଲ୍ଲୀ ପୁଲିସ କମିସନର ବାଲାଜୀ ଶ୍ରୀବାସ୍ତବଙ୍କୁ ମିଳିଥିବା କ୍ଷମତା ୧୯ ତାରିଖରୁ କାର୍ଯ୍ୟକାରୀ ହୋଇଛି। ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀ ପୁଲିସ ଜୁଲାଇ ୧୯ରୁ ଅକ୍ଟୋବର ୧୮ ମଧ୍ୟରେ ‌ଯେକୌଣସି ବ୍ୟକ୍ତିଙ୍କୁ ଦେଶର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପ୍ରତି ବିପଦ ବୋଲି ମନେ କରିବେ ତାଙ୍କୁ ଏନ୍‌ଏସଏର ଧାରା ୨ ଏବଂ ୩ ଅଧୀନରେ ଅଟକ ରଖିପାରିବେ। କିଛି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏହା ଏକ ରୁଟିନ୍‌।

ପ୍ରତିବର୍ଷ ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ପୁଲିସକୁ ଏହି କ୍ଷମତା ମିଳିଥାଏ। କିନ୍ତୁ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଦିଲ୍ଲୀର ଜନ୍ତର ମନ୍ତରଠାରେ ଆନ୍ଦୋଳନରତ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଉପରାଜ୍ୟପାଳ ବୈଜଲ ପୁଲିସକୁ ଏହି ସ୍ବତନ୍ତ୍ର କ୍ଷମତା ଦେଇଛନ୍ତି। ୨୦୨୦ରେ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ମଧ୍ୟ ଏହି ସମାନ ନିର୍ଦ୍ଦେଶ ଜାରି ହୋଇଥିଲା। ଉଲ୍ଲେଖଯୋଗ୍ୟ, ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ବିଭାଗ ସତର୍କ କରାଇ ଦେଇଛି।

ସମ୍ବନ୍ଧିତ ଖବର