ଅନ୍ତର୍ଜାତୀୟ ମିଲେଟ୍ସ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ସ୍ମାରକୀ ଡାକ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ନୂଆଦିଲ୍ଲୀର ପୁସା ସ୍ଥିତ ଆଇଏଆର୍‌ଆଇ କ୍ୟାମ୍ପସର ଏନ୍‌ଏଏସ୍‌ସି କମ୍ପ୍ଲେକ୍ସ ସୁବ୍ରମଣ୍ୟମ୍‌ ହଲଠାରେ ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀଅନ୍ନ) ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ମିଲେଟ୍ସ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାଧିକ ଅଧିବେଶନ ଆୟୋଜନ କରାଯିବ। ଚାଷୀ, ଗ୍ରାହକ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ସୃଷ୍ଟି କରିବା, ଏଥିପାଇଁ ପ୍ରୋତ୍ସାହନ ଯୋଗାଇଦେବା, ଶ୍ରୀଅନ୍ନ ମୂଲ୍ୟଶୃଙ୍ଖଳର ବିକାଶ, ଶ୍ରୀଅନ୍ନର ସ୍ୱାସ୍ଥ୍ୟ ଓ ପୋଷଣ ଦିଗ, ବଜାର ସୁବିଧା, ଗବେଷଣା ଓ ବିକାଶ ଆଦି ବିଷୟବସ୍ତୁ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯିବ।

କାର୍ଯ୍ୟକ୍ରମ ପରିସରରେ ଆୟୋଜିତ ପ୍ରଦର୍ଶନୀ ତଥା କ୍ରେତାବିକ୍ରେତା ସାକ୍ଷାତ୍ ପାଭିଲିୟନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ସହିତ ଏହାକୁ ବୁଲି ଦେଖିଥିଲେ। ସେ ଏହି ଅବସରରେ ସ୍ମାରକୀ ଡାକ ଟିକେଟ ଓ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଡିଜିଟାଲ ରୂପରେ ଭାରତୀୟ ମିଲେଟର କମ୍ପେଡିୟମ୍ ଷ୍ଟାର୍ଟଅପ୍ସ ଏବଂ ମିଲେଟ୍‌ ମାନକ ଉପରେ ଏକ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ବହୁ ଅନ୍ତର୍ଜାତୀୟ ନେତୃବର୍ଗ ସେମାନଙ୍କର ବାର୍ତ୍ତା ପ୍ରଦାନ କରିଥିଲେ। ଇଥିଓପିଆର ରାଷ୍ଟ୍ରପତି ସେଲ-ୱର୍କ ଜେୱଦେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଲୋକମାନଙ୍କର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ମିଲେଟ୍ସ ଏକ ଶସ୍ତା ଓ ପୋଷକ ବିକଳ୍ପ ଯୋଗାଇ ଦେଇଥାଏ। ଉପ-ସାହାରା ଆଫ୍ରିକାରେ ଇଥିଓପିଆ ଏକ ପ୍ରମୁଖ ମିଲେଟ୍ସ ଉତ୍ପାଦନକାରୀ ରାଷ୍ଟ୍ର।

ଗୟାନାର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ଇରଫାନ ଅଲ୍ଲୀ କହିଥିଲେ ଯେ, ମିଲେଟ୍ସର ପ୍ରଚାର ନିମନ୍ତେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେଉଛି ଏବଂ ଅବଶିଷ୍ଟ ବିଶ୍ୱର ବ୍ୟବହାର ପାଇଁ ନିଜର ବିଶେଷଜ୍ଞତାକୁ ଯୋଗାଇ ଦେଇଛି। ସେ କହିଥିଲେ ଯେ, ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷର ସଫଳତା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇପାରିବ। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ମିଲେଟ୍ସକୁ ଏକ ପ୍ରମୁଖ କାରକ ଭାବେ ଗୟାନା ଗ୍ରହଣ କରିଥିବା ସେ ସୂଚନା ଦେଇଥିଲେ। ମିଲେଟ୍ସ ଉତ୍ପାଦନ ପାଇଁ ଗୟାନା ଓ ଭାରତ ମଧ୍ୟରେ ସହଭାଗିତା ପ୍ରତିଷ୍ଠା ହୋଇଛି। ଗୟାନାରେ କେବଳ ୨୦୦ ଏକର ଜମିରେ ମିଲେଟ୍ସ ଚାଷ କରାଯିବ ଏବଂ ଏଥିପାଇଁ ଭାରତ ପ୍ରଯୁକ୍ତି ସହାୟତାରେ ବୈଷୟିକ ମାର୍ଗଦର୍ଶନ ଓ ସହାୟତା ଯୋଗାଇ ଦେବ।

ଭାରତର ମିଲେଟ୍ସ ବ୍ରାଣ୍ଡିଂ ବା ନାମକରଣ ସମ୍ପର୍କରେ ବିଦେଶୀ ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତ ଏବେ ମିଲେଟ୍ସକୁ ‘ଶ୍ରୀଅନ୍ନ’ ନାମ ଦେଇଛି। ସେ ଆହୁରି କହିଥିଲେ ଯେ, ଶ୍ରୀଅନ୍ନ କେବଳ ଖାଦ୍ୟ କିମ୍ବା ଚାଷ ମଧ୍ୟରେ ସୀମିତ ହୋଇ ରହି ନାହିଁ। ଭାରତୀୟ ପରମ୍ପରା ସହିତ ପରିଚିତ ଲୋକମାନେ କିଛି ଜିନିଷ ପୂର୍ବରୁ ‘ଶ୍ରୀ’ ଲଗାଯିବା କଥା ଭଲଭାବେ ଜାଣନ୍ତି। ଶ୍ରୀଅନ୍ନ ଭାରତରେ ସାମଗ୍ରିକ ବିକାଶର ଏକ ମାଧ୍ୟମ ପାଲଟୁଛି। ଏହା ଗାଁ ଓ ଗରିବଙ୍କ ସହ ଜଡ଼ିତ। ଶ୍ରୀଅନ୍ନ ଦେଶର କ୍ଷୁଦ୍ର ଚାଷୀଙ୍କ ପାଇଁ ସମୃଦ୍ଧିର ଏକ ଦ୍ୱାର, ଏହା କୋଟି କୋଟି ଦେଶବାସୀଙ୍କ ପୁଷ୍ଟିସାଧନର ଆଧାରସ୍ତମ୍ଭ, ଶ୍ରୀଅନ୍ନ ଆଦିବାସୀ ସମୁଦାୟ ପ୍ରତି ସମ୍ମାନ, ଏହା କମ୍ ପାଣିରେ ଅଧିକ ଅମଳ ଦେଇଥାଏ, ଶ୍ରୀଅନ୍ନ ରାସାୟନିକମୁକ୍ତ ଚାଷ ପାଇଁ ଏକ ବଡ଼ ମୂଳଦୁଆ ଏବଂ ଏହା ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଏକ ବଡ଼ ସହାୟତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ୧୨-୧୩ଟି ଭିନ୍ନ ଭିନ୍ନ ରାଜ୍ୟରେ ମୁଖ୍ୟତଃ ମିଲେଟ୍ସ ଚାଷ କରାଯାଇଥାଏ। ପୂର୍ବରୁ ମାସିକ ମୁଣ୍ଡ ପିଛା ମିଲେଟ୍ସ ସେବନ ହାର ୩ କିଲୋଗ୍ରାମରୁ ଅଧିକ ନ ଥିଲା। କିନ୍ତୁ ଆଜି ମୁଣ୍ଡପିଛା ମିଲେଟ୍ସ ଉପଯୋଗ ପରିମାଣ ମାସିକ ୧୪ କିଲୋଗ୍ରାମକୁ ବୃଦ୍ଧି ପାଇଛି। ମିଲେଟରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବିକ୍ରି ମଧ୍ୟ ପ୍ରାୟ ୩୦% ବଢ଼ିଛି। ମିଲେଟ୍‌ ବ୍ୟଞ୍ଜନ ପ୍ରସ୍ତୁତିକୁ ନେଇ ସାମାଜିକ ଗଣମାଧ୍ୟମରେ ଚାନେଲ ଖୋଲିବା ସହିତ ମିଲେଟ୍‌ କାଫେ ଆରମ୍ଭ ହୋଇଛି। ‘ଏକ ଜିଲ୍ଲା, ଏକ ଉତ୍ପାଦ’ ଯୋଜନା ଅଧୀନରେ ଦେଶର ୧୯ଟି ଜିଲ୍ଲାରୁ ମିଲେଟ୍‌ମାନ ଚୟନ କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ସୁବ୍ରମଣ୍ୟମ୍ ଜୟଶଙ୍କର, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡବୀୟ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ଶ୍ରୀମତୀ ଶୋଭା କରନ୍ଦଲାଜେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର