ମେଘାଳୟରେ ଜେଲରୁ ଫେରାର କଏଦୀଙ୍କୁ ଗାଁ ଲୋକେ ପିଟିପିଟି ମାରିଦେଲେ

ସିଲଂ : ମେଘାଳୟର ୱେଷ୍ଟ ଜଇନ୍ତିଆ ହିଲ୍ସ ଜିଲ୍ଲାରେ ଶନିବାର ଜେଲ୍‌ର ଗାର୍ଡଙ୍କୁ ‌‌ଚାକୁରେ ଆକ୍ରମଣ କରି ଦେଇ ଜଣେ ବନ୍ଦୀ ଏବଂ ୫ ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗାଁ ଲୋକେ ପିଟିପିଟି ମାରି ଦେଇଛନ୍ତି। ସଙ୍ଗପଙ୍ଗ ଗାଁରେ ଏହି ଅଘଟଣ ଘଟିଛି ବୋଲି ପୁଲିସ ଡିଜି ଏଲଆର ବିଷ୍ଣୋଇ କହିଛନ୍ତି। ମୃତକମାନଙ୍କ ମରଶରୀରକୁ ଡାକ୍ତରଖାନାକୁ ଚିହ୍ନଟ ପାଇଁ ନିଆଯିବ। ରଡ୍ ଏବଂ ବାଡ଼ିରେ ଲୋକମାନେ ସେମାନଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଜେଲରୁ ଫେରାର ହେବା ଏବଂ ସେମାନଙ୍କୁ ପିଟିପିଟି ହତ୍ୟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମେଘାଳୟ ଗୃହମନ୍ତ୍ରୀ ଲଖମେନ ରିମ୍ବୁଇ। ୧୦ ତାରିଖରେ ଜେଲରୁ ଫେରାର ହୋଇଯାଇଥିବା ଅପରାଧୀମାନଙ୍କୁ ପ୍ରାୟ ୫୦୦୦ ଲୋକ ପିଟିପିଟି ହତ୍ୟା କରିଛନ୍ତି ବୋଲି ସେ ବିଧାନସଭାରେ କହିଛନ୍ତି।

ଜେଲରୁ ଫେରାର ହେବା ଘଟଣାର ତଦନ୍ତ ଅତିରିକ୍ତ ଜିଲ୍ଲାପାଳ ପିକେ ବୋରୋ କରିବେ ଏବଂ ପିଟିପିଟି ହତ୍ୟା ଘଟଣାର ତଦନ୍ତ ଅନ୍ୟଜଣେ ଅଧିକାରୀ ଏମଏ ସଲାମ କରିବେ। ଜେଲରୁ ‌ଫେରାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ଏବେ ବି ନିଖୋଜ ଅଛନ୍ତି। ଜେଲରୁ କଏଦୀ ଫେରାର ହେବା ଘଟଣାରେ ୫ ଜଣ ଜେଲ୍ ଅଧିକାରୀଙ୍କ ନାମରେ ମାମଲା ହୋଇଛି ବୋଲି ଏସପି ବିକେ ମରାକ କହିଛନ୍ତି।

ସମ୍ବନ୍ଧିତ ଖବର