ୟୁକ୍ରେନ୍ ଯୁଦ୍ଧ ଅନେକ ବର୍ଷ ଧରି ଚାଲିବ! ପୂରା ଛାରଖାର ହୋଇଯିବ ୟୁକ୍ରେନ

ଲଣ୍ଡନ: ବ୍ରିଟିସ ସଂଯୁକ୍ତ ବାହିନୀର ପୂର୍ବତନ କମାଣ୍ଡର ତଥା ପ୍ରତିରକ୍ଷା କମ୍ପାନି ୟୁନିଭର୍ସାଲ ଡିଫେନ୍ସ ଆଣ୍ଡ୍ ସିକ୍ୟୁରିଟି ସଲ୍ୟୁସନ୍ସର ଅଧ୍ୟକ୍ଷ ଜେନେରାଲ ସାର୍ ରିଚାର୍ଡ ବ୍ୟାରନ୍ସ ବୁଧବାର କହିଛନ୍ତି ଯେ, ୟୁକ୍ରେନ୍ ଯୁଦ୍ଧ ଅନେକ ବର୍ଷ ଧରି ଚାଲିବ ଏବଂ ସମଗ୍ର ରାଷ୍ଟ୍ର ଛାରଖାର ହୋଇଯିବ। ଜେନେରାଲ ବ୍ୟାରନଙ୍କ କହିବା ଅନୁସାରେ, ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧ ପ୍ରଥମ ବିଶ୍ବଯୁଦ୍ଧ ପରି ଏକ ବଡ଼ଧରଣର ଯୁଦ୍ଧ। ଏପରି ଯୁଦ୍ଧରେ ବହୁ ସାଧାରଣ ଲୋକଙ୍କର ମୃତ୍ୟୁ ବି ହୁଏ। ଏହା ତଥାକଥିତ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ। ୟୁକ୍ରେନ୍‌ରେ ଯେଉଁ ଯୁଦ୍ଧ ଚାଲିଛି ସେଥିରେ ଏହାର ସତ୍ତା ହଜିଯାଇପାରେ। ଉଭୟ ପକ୍ଷରୁ ଯେଉଁ ହାରରେ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି, ପ୍ରତିରକ୍ଷା ଶିଳ୍ପ ସେତିକି ଅସ୍ତ୍ର ତିଆରି କରି ଶୀଘ୍ର ତା’ର ସ୍ଥାନ ପୂରଣ କରିପାରିବ ନାହିଁ। ମାସକୁ ୩୦,୦୦୦ ଗୁଳିଗୋଳା ତିଆରି କରିବାର କ୍ଷମତା ପାଶ୍ଚାତ୍ୟ ଦେଶମାନଙ୍କର ରହିଛି। କିନ୍ତୁ ୟୁକ୍ରେନ୍‌ର ସେନା ଦିନକୁ ୬୦୦୦ ସେଲ୍ ମାଡ଼ କରୁଛି। ରୁଷ୍ ପାଖରେ ଯୁଦ୍ଧ ଆରମ୍ଭ ବେଳେ ୫ ନିୟୁତରୁ ୨୦ ନିୟୁତ ଯାଏ ଗୋଳା ଥିଲା। କିନ୍ତୁ ରୁଷ୍ ସେନା ୟୁକ୍ରେନ୍‌ରେ ଦିନକୁ ୨୦,୦୦୦ ଗୋଳାମାଡ଼ କରୁଛି। ସେମାନେ ୧୦ ବର୍ଷରେ ଯେତିକି ଗୋଳା ତିଆରି କରିଥିଲେ ତାହା ୮ ମାସରେ ମାଡ଼ କରିସାରିଛନ୍ତି ବୋଲି ବ୍ୟାରନ କହିଛନ୍ତି।

ବ୍ୟାରନ କହିଛନ୍ତି, ଯଦି ଉଭୟ ପକ୍ଷର ଗୁଳିଗୋଳା ସରିଯାଏ, ତେବେ ଯୁଦ୍ଧ ଶେଷ ହେବାର ସମ୍ଭାବନା ଦେଖାଯାଇପାରେ। ପୁଣି ଯଦି ଭାରତ କିମ୍ବା ଚୀନ୍ ମଧ୍ୟରୁ କୌଣସି ଗୋଟିଏ ବି ଦେଶ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାନ୍ତି, ତେବେ ରୁଷିଆର ଶକ୍ତି ଏବେ ବଢ଼ିଯିବ ଯେ ପାଶ୍ଚାତ୍ୟ ଦେଶଗୁଡ଼ିକ ମିଳିତ ଭାବେ ୟୁକ୍ରେନ୍‌କୁ ସେହି ପରିମାଣରେ ସାହାଯ୍ୟ କରିପାରିବେ ନାହିଁ। ଏ ପରିସ୍ଥିତିରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ କେବଳ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ ନ କରି ନିଜେ ଯୁଦ୍ଧରେ ସାମିଲ ହେବେ କାରଣ ୟୁକ୍ରେନ୍ ପରାସ୍ତ ହେଉ ବୋଲି ସେମାନେ ଚାହାନ୍ତି ନାହିଁ। ଭାରତ ପାଶ୍ଚାତ୍ୟ ଦେଶ ପଟକୁ ଆସିଲା ଭଳି ଜଣାପଡ଼ୁ ନାହିଁ। ଭାରତ ରୁଷ୍‌କୁ ସମର୍ଥନ କରୁଥିଲେ ମଧ୍ୟ ଯଥାସମ୍ଭବ ନିରପେକ୍ଷତା ଅବଲମ୍ବନ କରିଆସୁଛି ବୋଲି ବ୍ୟାରନ କହିଛନ୍ତି।

ସମ୍ବନ୍ଧିତ ଖବର