ରାଜଧାନୀ ପ୍ରତିଷ୍ଠା ଦିବସକୁ ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ଡକା ନଯିବା ନେଇ ବିବାଦ

ଭୁବନେଶ୍ବର : ରାଜଧାନୀ ପ୍ରତିଷ୍ଠା ଦିବସକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକା ନଯିବାକୁ ନେଇ ରାଜଧାନୀ ରାଜନୀତି ବେଶ୍‌ ସରଗରମ ହୋଇଯାଇଛି। ବିଜେପି କର୍ପୋରେଟର୍‌ମାନେ ମିଳିତ ଭାବେ ସାଂସଦଙ୍କ ସପକ୍ଷରେ ବାହାରି ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ। ସେ କହିଛନ୍ତି, ଏହି ଘଟଣା ରାଜ୍ୟ ସରକାରଙ୍କ ସଂସ୍କାର ଓ ଚରିତ୍ରକୁ ଦର୍ଶାଉଛି। ରାଜ୍ୟ ସରକାରଙ୍କ ଦୟାରେ ମୁଁ ସାଂସଦ ହୋଇନି, ଲୋକେ ମୋତେ ନିର୍ବାଚିତ କରିଛନ୍ତି। ଏହା ମୋର ଅପମାନ ନୁହେଁ, ରାଜ୍ୟ ସରକାର ଏଭଳି କରି ଏକ ସାମ୍ବିଧାନିକ ପଦର ଅପମାନ କରିଛନ୍ତି। ଯେଉଁ ଲୋକମାନେ ମତେ ଭୋଟ ଦେଇ ନିର୍ବାଚିତ କରିଛନ୍ତି, ରାଜ୍ୟ ସରକାର ସେମାନଙ୍କୁ ଅପମାନିତ କରିଛନ୍ତି। ମୁଁ ଜଣେ ନିର୍ବାଚିତ ସାଂସଦ ହିସାବରେ ଏହା କହିବା କଥା ନୁହେଁ। କିନ୍ତୁ କହିବାକୁ ବାଧ୍ୟ ହେଉଛି। ଏହା ରାଜ୍ୟ ସରକାର ଆପେ ବୁଝିବା କଥା। ଏହା ଯେ ଭୁଲ ହୋଇଯାଇଛି, ତା’ ନୁହେଁ, ଏଭଳି ଘଟଣା ବାରମ୍ବାର ଘଟୁଛି। ଗତଥର ମଧ୍ୟ ଏଭଳି ପରିସ୍ଥିତି ଉପୁଜିଥିଲା। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ଏହା ରାଜ୍ୟ ସରକାରଙ୍କ ସଂସ୍କାର, ସେ ସମୀକ୍ଷା କରନ୍ତୁ। ଆଗାମୀ ଦିନରେ ମୁଁ ଆଇନର ସାହାଯ୍ୟ ନେବି। ସାମ୍ବିଧାନିକ ପଦବିର ଯେଭଳି ଆଗକୁ ଅପମାନ ନ ହୁଏ, ସେଥିପାଇଁ ବ୍ୟବସ୍ଥା କରିବି ବୋଲି କହିଛନ୍ତି।

କମିଟିର ପରାମର୍ଶ ସତ୍ତ୍ବେ ଡକାଯାଇ ନଥିଲା!
ରାଜ୍ୟ ସରକାରଙ୍କ ସଂସ୍କାର, ଚରିତ୍ର ଧରାପଡ଼ିଯାଉଛି: ଅପରାଜିତା
ବିଧାୟକ, ମେୟର ସିଧାସଳଖ କିଛି କହିଲେନି
ସପକ୍ଷରେ ବାହାରିଲେ ବିଜେପି କର୍ପୋରେଟର୍‌

ଅପରପକ୍ଷେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର କର୍ମକର୍ତ୍ତାଙ୍କ ମନ୍ତବ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି। କମିଟି ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି କହିଛନ୍ତି, ଏହା ଏକ ସରକାରୀ କାର୍ଯ୍ୟକ୍ରମ। ୩୦ ବର୍ଷ ଧରି ଯେହେତୁ ଆମେ ଆୟୋଜନ କରି ଆସୁଥିଲୁ, ସେଥିପାଇଁ ଆମକୁ ପରାମର୍ଶ ମଗାଯାଇଥିଲା। ଭୁବନେଶ୍ୱର ସାଂସଦଙ୍କୁ ଡାକିବା ପାଇଁ ଆମେ ପରାମର୍ଶ ଦେଇଥିଲୁ। ଆମକୁ ଯେତେ ପ୍ରସ୍ତୁତି ବୈଠକକୁ ଡାକିଛନ୍ତି ଆମେ ସବୁବେଳେ ସାଂସଦଙ୍କୁ ଡାକିବା ପାଇଁ କହିଛୁ। ଅନ୍ତତଃ ନିମନ୍ତ୍ରଣପତ୍ର ଦେବା ପାଇଁ କହିଥିଲୁ। କିନ୍ତୁ ତାଙ୍କୁ ଡାକିବା ତ ଦୂରର କଥା, କାର୍ଡ ଦେବାକୁ ମେୟର୍‌ ସିଧାସଳଖ ମନା କରି ଦେଇଥିଲେ। ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ସନତ ମିଶ୍ର ମଧ୍ୟ ସମାନ କଥା ଦୋହରାଇଛନ୍ତି।

ତେବେ ବିଏମ୍‌ସି କମିସନର୍‌ ବିଜୟ ଅମୃତା କୁଲାଙ୍ଗେ ଏହି ବିବାଦରେ ପଶିବାକୁ ଚାହିନାହାନ୍ତି। ସେ କହିଛନ୍ତି, ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ କମିଟିକୁ ଦାୟିତ୍ୱ ଦିଆଯାଇଥିଲା ନିମନ୍ତ୍ରଣ ପାଇଁ। ମୁଁ ବୁଝିକି କହିବି କ’ଣ ହେଇଛି। ମେୟର୍‌ ସୁଲୋଚନା ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତଙ୍କୁ ଡକା ଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ସରକାରଙ୍କ ବିକାଶ କାର୍ଯ୍ୟକୁ ଦେଖନ୍ତୁ, ଦୋଷ ଦୁର୍ବଳତା ନ ଖୋଜନ୍ତୁ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ରାଜଧାନୀ ଆମର। ପ୍ରତିଷ୍ଠା ଦିବସ ପାଳନରେ ଆମେ ଅଂଶୀଦାର। ଡକାଯାଉ କି ନ ଯାଉ ଆମେ ଆସିବୁ, ସାଂସଦ ବି ଆସିବା କଥା। ଭୁବନେଶ୍ୱର କାହାର ପୈତୃକ ସମ୍ପତ୍ତି ନୁହେଁ କି ଏହା କେଉଁ ଦଳର କାର୍ଯ୍ୟକ୍ରମ ନୁହେଁ। ଆମେ ଆରଥରକୁ ସାଂସଦଙ୍କୁ ଡାକିବୁ ଓ ଏହି ଘଟଣାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ସେ କହିଛନ୍ତି।

ସନ୍ଧ୍ୟାରେ ବିଜେପିର କର୍ପୋରେଟର୍‌ମାନେ ୨୯ନମ୍ବର ୱାର୍ଡ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ। ସାଂସଦଙ୍କୁ ସରକାର କାହିଁକି ଏତେ ଭୟ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଜାଣି ଜାଣି ସେମାନେ ଲୋକପ୍ରତିନିଧିଙ୍କୁ ଅପମାନ କରାଯାଇଛି। ଏଥିପାଇଁ ବିଜେପି ଆନ୍ଦୋଳନ କରିବ। ସରକାର କ୍ଷମା ନ ମାଗିବା ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି କର୍ପୋରେଟର୍‌ ରାମ ରଣସିଂହ କହିଛନ୍ତି। କର୍ପୋରେଟର୍‌ ଅପରୂପ ରାଉତ କହିଛନ୍ତି, ଅନେକ ସରକାରୀ ସଭାକୁ ନିର୍ବାଚିତ ପ୍ରତିନିଧି ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକା ଯାଉନାହିଁ। ଏଭଳି କରି ରାଜ୍ୟ ସରକାର ଏକ ଖରାପ ପରମ୍ପରା ସୃଷ୍ଟି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ରା ପାତ୍ର, ଯ‌ଶୋଧାରା ପ୍ରଧାନ, ଗୀତାଞ୍ଜଳି ସାହୁ, ସୁଜାତା ଛୋଟରାୟ, ମଧୁସ୍ମିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଡ଼ା ଓ ଧରିତ୍ରୀ ଜେନା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର