୩୦% ମହିଳା ୨୧ ବର୍ଷ ପୂର୍ବରୁ ବିବାହ କରୁଛନ୍ତି, ଓଡ଼ିଶାରେ ୨୨ ପ୍ରତିଶତ

ନୂଆଦିଲ୍ଲୀ : ୨୦୨୦ରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସଂଖ୍ୟାଧିକ ମହିଳା ୨୧ ବର୍ଷ ବା ତା’ ପୂର୍ବରୁ ବିବାହ କରିଛନ୍ତି। ଜମ୍ମୁ-କାଶ୍ମୀରରେ ଏହି ସଂଖ୍ୟା ୧୦ ପ୍ରତିଶତରୁ ବି କମ୍। ସେହିପରି ଦିଲ୍ଲୀରେ ୧୭ ପ୍ରତିଶତ ମହିଳା ୨୧ ବର୍ଷ ପୂର୍ବରୁ ବିବାହ କରିଛନ୍ତି। ସାରା ଦେଶରେ ପ୍ରାୟ ୩୦ ପ୍ରତିଶତ ମହିଳା ୨୧ ବର୍ଷ ବା ତା’ ପୂର୍ବରୁ ବିବାହ କରିଥିବା ନିକଟରେ ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି।

ଜମ୍ମୁ-କାଶ୍ମୀରରେ ସର୍ବାଧିକ ହାରାହାରି ୨୬ ବର୍ଷ ବୟସରେ ଝିଅମାନେ ବିବାହ କରିଥିବା ବେଳେ ତା’ ତଳକୁ ରହିଛନ୍ତି ପଞ୍ଜାବ ଓ ଦିଲ୍ଲୀ ଯେଉଁଠି ବିବାହର ହାରାହାରି ବୟସ ୨୪.୪ ବର୍ଷ। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଏହା ସବୁଠାରୁ କମ୍, ୨୧ ବର୍ଷ ଏବଂ ଓଡ଼ିଶାରେ ୨୨ ବର୍ଷ। ଭାରତରେ ବିବାହର ହାରାହାରି ବୟସ ହେଉଛି ୨୨.୭ ବର୍ଷ।

୨୦୨୦ରେ କେରଳରେ ୧୮ ବର୍ଷରୁ କମ୍ ବୟସରେ କୌଣସି ବି ମହିଳା ବିବାହ କରିନାହାନ୍ତି, ଯଦିଚ ୨୧ରୁ ଊର୍ଦ୍ଧ୍ବ ବୟସରେ ସେମାନଙ୍କ ବିବାହ ସଂଖ୍ୟା ମାତ୍ର ୭୨.୬ ପ୍ରତିଶତ, ଯାହା ବିହାର ସହ ସମାନ ଏବଂ ଉତ୍ତରପ୍ରଦେଶ (୭୨%)ଠାରୁ ସାମାନ୍ୟ ଅଧିକ। ଏହାର କାରଣ ଏହି ରାଜ୍ୟଗୁଡ଼ିକର ପ୍ରାୟ ଏକଚତୁର୍ଥାଂଶ ମହିଳା ୨୦ ବର୍ଷ ବୟସ ସୁଦ୍ଧା ବିବାହ କରିଛନ୍ତି।

ଏକତୃତୀୟାଂଶ ଗ୍ରାମୀଣ ମହିଳା ୧୮ରୁ ୨୦ ବର୍ଷ ଭିତରେ ବିବାହ କରିଛନ୍ତି। ସହରାଞ୍ଚଳରେ ଏହି ସଂଖ୍ୟା ପ୍ରାୟ ୧୮.୬ ପ୍ରତିଶତ। ୧୮ରୁ କମ୍ ବୟସରେ ବିବାହ ସଂଖ୍ୟା ଝାଡ଼ଖଣ୍ଡରେ ସବୁଠାରୁ ଅଧିକ (୫.୮%) ଏବଂ ତା’ ପଛକୁ ରହିଛି ପଶ୍ଚିମବଙ୍ଗ (୪.୭%)ର ସ୍ଥାନ। ତା’ ପଛକୁ ରହିଛି ଓଡ଼ିଶା, ବିହାର ଓ ଉତ୍ତରପ୍ରଦେଶର ସ୍ଥାନ, ଯେଉଁଠି ୩%ରୁ ଅଧିକ ମହିଳା ୧୮ ବର୍ଷରୁ କମ୍ ବୟସରେ ବିବାହ କରିଛନ୍ତି। ୧୮ ବର୍ଷରୁ କମ୍ ବୟସରେ ବିବାହ କରିଥିବା ମହିଳାଙ୍କ ହାରାହାରି ବୟସ ତେଲେଙ୍ଗାନା (୧୫ ବର୍ଷ) ଓ ରାଜସ୍ଥାନ (୧୫.୪ ବର୍ଷ)ରେ ସବୁଠାରୁ କମ୍।

୨୧ ବର୍ଷରୁ ଅଧିକ ବୟସରେ ବିବାହ କରୁଥିବା ମହିଳାଙ୍କ ସଂଖ୍ୟା ଯେଉଁସବୁ ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ସେଗୁଡ଼ିକ ଭିତରେ ଅଛନ୍ତି ଗୁଜରାଟ, ଉତ୍ତରାଖଣ୍ଡ, ପଞ୍ଜାବ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ଓ ହିମାଚଳପ୍ରଦେଶ। ଦକ୍ଷିଣଭାରତର ମାତ୍ର ଦୁଇଟି ରାଜ୍ୟ ଏହି ତାଲିକା ଭିତରକୁ ଆସୁଛନ୍ତି- ତାମିଲନାଡ଼ୁ (୮୨%) ଓ ତେଲେଙ୍ଗାନା (୮୦.୫)।

୨୧ ବର୍ଷରୁ ଊର୍ଦ୍ଧ୍ବ ବୟସରେ ବିବାହ କରିଥିବା ମହିଳାଙ୍କ ସଂଖ୍ୟା ସହରାଞ୍ଚଳରେ ଅଧିକ ଏବଂ ଅନେକ ସହର ଅଛି ଯେଉଁଠି ୧୮ରୁ କମ୍ ବୟସରେ ବିବାହ ଆଦୌ ହୋଇନାହିଁ। ପଶ୍ଚିମବଙ୍ଗରେ ୧୮ ବର୍ଷରୁ କମ୍ ନାବାଳିକା ବିବାହ ସବୁଠାରୁ ଅଧିକ (୪.୪%) ଏବଂ ତା’ ପଛକୁ ରହିଛି ଉତ୍ତରପ୍ରଦେଶର ସ୍ଥାନ (୩.୬%)।

ଅଧିକାଂଶ ରାଜ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳାଙ୍କ ହାରାହାରି ବିବାହ ବୟସରେ ବିଶେଷ ପାର୍ଥକ୍ୟ ନାହିଁ। କିନ୍ତୁ ଆସାମରେ ଏହି ବ୍ୟବଧାନ ୩ ବର୍ଷ ହୋଇଥିବା ବେଳେ ରାଜସ୍ଥାନରେ ୨.୫ ବର୍ଷ।

ସମ୍ବନ୍ଧିତ ଖବର