ମହୁଆଙ୍କ ବୟାନକୁ ନେଇ ମମତା ଖପ୍ପା, ବୟାନକୁ ସମର୍ଥନ କଲାନାହିଁ ଦଳ

କୋଲକାତା: ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍‌ରକୁ ନେଇ ବିବାଦ ଉପୁଜିିବା ପରେ ଏ ନେଇ ନିଜର ମତ ରଖିଥିଲେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର। ଆଉ ମହୁଆଙ୍କ ଏହି ବୟାନକୁ ନେଇ ରାଗିଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | କାରଣ ମହୁଆଙ୍କ ବୟାନକୁ ତାଙ୍କରି ଦଳ ତୃଣମୂଳ କଂଗ୍ରେସ ସମର୍ଥନ କରିନାହିଁ | ପୋଷ୍ଟ୍‌ରରେ ମାଆ କାଳୀ ସିଗାରେଟ୍‌ ପିଉଥିବାର ଦୃଶ୍ୟକୁ ନେଇ ବିବାଦ ଉପୁଜିବା ପରେ ମହୁଆ କହିଥିଲେ ଯେ, ‘ମୋ ପାଇଁ କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ। ଦେବୀଙ୍କୁ କଳ୍ପନା କରିବାର ସ୍ବାଧୀନତା ସଭିଙ୍କର ଅଛି। ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଈଶ୍ବରଙ୍କୁ ହ୍ବିସ୍‌କି ଅର୍ପଣ କରାଯାଏ। ମାତ୍ର ଅନ୍ୟ କେତେକ ସ୍ଥାନରେ ଏହା ନିନ୍ଦନୀୟ।’ ତେବେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ଏହାର ସାଂସଦ ମହୁଆଙ୍କ କାଳୀ ଦେବୀଙ୍କୁ ନେଇ ଦେଇଥିବା ବିବୃତ୍ତିରୁ ନିଜକୁ ଦୂରେଇ ରଖିଛି।


ଦଳ କହିଛି ଯେ କାଳୀ ଦେବୀଙ୍କ ମହୁଆ ଯାହା କହିଛନ୍ତି ତାହା ହେଉଛି ତାଙ୍କର ବ୍ୟକ୍ତିଗତ ବିବୃତ୍ତି ଏବଂ ଦଳ ଏହାକୁ ସମର୍ଥନ କରୁନାହିଁ। ଟିଏମସି ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି, “ଇଣ୍ଡିଆ ଟୁଡେ କନକ୍ଲେଭ ଇଷ୍ଟ ୨୦୨୨ରେ ମହୁଆଙ୍କ ମନ୍ତବ୍ୟ ଏବଂ ଦେବୀ କାଳୀଙ୍କ ଉପରେ ଦେଇଥିବା ବୟାନ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତାମତ | ଦଳ ତାଙ୍କୁ କୌଣସି ପ୍ରକାରର ସମର୍ଥନ କରୁନାହିଁ। ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ବୟାନକୁ ନିନ୍ଦା କରାଯାଉଛି | ମହୁଆଙ୍କ ଏହି ବିବୃତ୍ତିକୁ ନେଇ ବିଜେପି ମଧ୍ୟ ବିରୋଧ କରିଛି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ମମତାଙ୍କଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଟିଏମସି ସବୁବେଳେ ହିନ୍ଦୁ ଦେବତାଙ୍କୁ ଅପମାନିତ କରେ।

ସମ୍ବନ୍ଧିତ ଖବର