ଅମାନିଆ ଡ୍ରାଇଭରଙ୍କୁ ଧରିବାକୁ କାର ଇଂଜିନ ଉପରେ ଶୋଇପଡିଲେ ଟ୍ରାଫିକ ପୁଲିସ, ଅଳ୍ପକେ ବର୍ତ୍ତିଲା ପୁଲିସଙ୍କ ଜୀବନ

ନୂଆଦିଲ୍ଲୀ: ସାବାସ ଟ୍ରାଫିକ ପୁଲିସ | କର୍ତ୍ତବ୍ୟ ପାଇଁ ଲଗାଇଲେ ଜୀବନର ବାଜି | ଅମାନିଆଙ୍କୁ ବାଟକୁ ଆଣିବାକୁ ଅଣ୍ଟା ଭିଡ଼ିଲେ ସତ କିନ୍ତୁ ମାନିଲେନି ବଦମାସ ଡ୍ରାଇଭର | ରାଜଧାନୀ ଦିଲ୍ଲୀରୁ ରାଜରାସ୍ତାରୁ ଏମିତି ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଯେଉଁଥିରେ ଅମାନିଆ ଡ୍ରାଇଭରଙ୍କ ଉଦ୍ଧତପଣିଆ ଦେଖିବାକୁ ମିଳିଛି | ଯେଉଁଥିରେ ଜଣେ ଅମାନିଆ ଚାଳକଙ୍କ କାରକୁ ଅଟକାଇବାକୁ ଉଦ୍ୟମ କରୁଥିବା ଟ୍ରାଫିକ ପୁଲିସଙ୍କୁ ଚାଳକ ଜଣକ କିଭଳି ମରଣ ମୁହଁକୁ ଠେଲିଦେଇଛନ୍ତି, ତାହା ଦେଖିବାକୁ ମିଳିଛି | ଏହି ଘଟଣାଟି ଅକ୍ଟୋବର ୧୨ର ହୋଇଥିବାବେଳେ ଦିଲ୍ଲୀର ଢୋଳାକୁଆଁ ଅଞ୍ଚଳରେ ଘଟିଛି |


ସନ୍ଧ୍ୟା ୫ଟା ବେଳେ ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କୁ ଟ୍ରାଫିକ ପୁଲିସ ଅଟକାଇଥିଲେ | ଏହି ସମୟରେ ହଠାତ ବ୍ୟକ୍ତି ଜଣକ ପୁଲିସଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ | ଆଉ ତାଙ୍କୁ ଅଟକାଇବାକୁ ଯାଇ ଟ୍ରାଫିକ ପୁଲିସ ଜଣକ କାରକୁ ସାମ୍ନାରେ ମାଡ଼ିବସିଥିଲେ | କାରର ବନେଟ ସାମ୍ନାରେ ପୁଲିସ ଜଣକ ମାଡ଼ିବସିଥିବାବେଳେ ଚାଳକ ଜଣକ ଦ୍ରୁତ ଗତିରେ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ | ଏହି ସମୟରେ ପୁଲିସ ଜଣକ ରାସ୍ତାରେ ଖସିପଡିଥିଲେ |

ସୌଭାଗ୍ୟବଶତଃ ଟ୍ରାଫିକ ପୁଲିସଙ୍କୁ ଆଘାତ ଲାଗିନଥିଲା | ତେବେ ଏହି ଉଦ୍ଧତ ଡ୍ରାଇଭରକୁ ଏକ କିଲୋମିଟର ଦୂରରେ ଧରାଯାଇଥିଲା । ସୂଚନା ମୁତାବକ କାରରେ ଏକ ଫ୍ୟାନ୍ସି ନମ୍ବର ପ୍ଲେଟ୍ ଲାଗିଥିଲା ଏବଂ କାରଟି ଟ୍ରାଫିକ୍ ନିୟମ ଭାଙ୍ଗି ଯାଉଥିଲା । ଟ୍ରାଫିକ୍ ପୁଲିସ ମହୀପାଲ ଏବଂ ତାଙ୍କ ସହକର୍ମୀମାନେ କାରକୁ ଅଟକାଇବାକୁ ଚେଷ୍ଟା କରିବାବେଳେ ଏଭଳି ଘଟଣା ଘଟିଥିଲା | ତେବେ କାରକୁ ଧରାଯିବ ପରେ ଏହାକୁ ଚଳାଉଥିବା ଶୁଭମଙ୍କ ନାମରେ ମାମଲା ରୁଜୁ କରାଯାଇଛି |

ସମ୍ବନ୍ଧିତ ଖବର