ବଂଶଧାରା ଜଳବିବାଦ ମାମଲା : ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ନିକଟରେ ଓଡ଼ିଶା ପକ୍ଷରୁ ମତ, ଯୁଗ୍ମ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇ ପାରିବେନି ଟ୍ରିବ୍ୟୁନାଲ, ଶୁଣାଣି ୧୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ : ୧୯୯୦ର ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ହୋଇଥିବା ବୁଝାମଣା ଅନ୍ତର୍ଗତ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଯୁଗ୍ମ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇପାରିବେନାହିଁ। ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ନିକଟରେ ଓଡ଼ିଶା ପକ୍ଷରୁ ମତ ରଖାଯାଇଛି।

ଆଜି ସୁପ୍ରିମକୋର୍ଟ ବିଚାରପତି ଵାଇ.ଏସ୍‌. ଚନ୍ଦ୍ରଚୂଡ଼ ଓ ବିଚାରପତି ଋଷିକେଶ ରାୟଙ୍କ ଖଣ୍ଡପୀଠରେ ବଂଶଧାରା ଜଳବିବାଦର ଶୁଣାଣି ହୋଇଥିଲା। ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ ଭୂଷଣ ଯୁଗ୍ମ ସର୍ଭେ ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ମତ ରଖିଥିଲେ।

ସେପ୍ଟେମ୍ବର ୨୩ରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ପକ୍ଷରୁ ନେରେଡ଼ି ପ୍ରକଳ୍ପ ଅଞ୍ଚଳର ଯୁଗ୍ମ ସର୍ଭେ ପାଇଁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ର ଜଳ ଆୟୋଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ, ରିପୋର୍ଟ ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ତେବେ, ଯୁଗ୍ମ ସର୍ଭେକୁ ବିରୋଧ କରାଯାଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, ଯାହାର ଶୁଣାଣି ପାଇଁ ଖଣ୍ଡପୀଠ ଆଜି ତାରିଖ ଧାର୍ଯ୍ୟ କରିଥିଲେ। ଅପରପକ୍ଷେ ଆନ୍ଧ୍ରପ୍ରଦେଶ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଏସ ବୈଦ୍ୟନାଥନ୍ ଯୁଗ୍ମ ସର୍ଭେ ପାଇଁ ଓଡ଼ିଶା ସହଯୋଗ କରୁନଥିବାର କୋର୍ଟରେ ଅଭିଯୋଗ କରିଥିଲେ।

ଖଣ୍ଡପୀଠ ଆଜିର ଶୁଣାଣି ସମୟରେ ସ୍ପଷ୍ଟ ରୂପେ କହିଥିଲେ, ଯେହେତୁ ବଂଶଧାରା ଜଳ ବିବାଦ ମାମଲା ସମ୍ପର୍କିତ ପୂର୍ବରୁ ଏକ ମାମଲାର ଶୁଣାଣି ପାଇଁ ଚଳିତ ମାସ ୧୦ ତାରିଖ ଧାର୍ଯ୍ୟ କରାଯାଇଥିବାରୁ ଆଜିର ଏହି ମାମଲାକୁ ସେଦିନ ଏକତ୍ର ଶୁଣାଯିବ। ଏନେଇ ଆଜି ଖଣ୍ଡପୀଠ କୌଣସି ପ୍ରକାର ଆଦେଶ ଜାରି ନକରି ମାମଲାକୁ ଜାନୁଆରି ୧୦କୁ ଘୁଞ୍ଚାଇ ଦେଇଥିଲେ।

ସମ୍ବନ୍ଧିତ ଖବର