ଗ୍ୟାସ୍ ଲିକ୍‌, ୧୧ ମୃତ; ବିଶାଖାପାଟଣାରେ ଆତଙ୍କ, ୫ ହଜାର ଅସୁସ୍ଥ

ଜଗନଙ୍କ ସହ କଥା ହେଲେ ମୋଦୀ, ମୃତକଙ୍କ ସଂପର୍କୀୟଙ୍କୁ କୋଟିଏ ଲେଖାଏଁ ସହାୟତା ଘୋଷଣା

ବିଶାଖାପାଟଣା : ଆନ୍ଧ୍ର ପ୍ରଦେଶର ବନ୍ଦର ସହର ବିଶାଖାପାଟଣାରେ ଗ୍ୟାସ ଲିକ୍ ଯୋଗୁଁ ୧୧ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ୫ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବିଭିନ୍ନ ହସପିଟାଲରେ ଭର୍ତି କରାଯାଇଛି। ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଥିିବା ବେ‌େଳ ମୃତ ବ୍ୟକ୍ତିଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଏହି ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି।

ବୁଧବାର ଭୋର ପ୍ରାୟ ୩ଟାରେ ବଡ଼ ଅଘଟଣ ଘଟିଛି। ଦକ୍ଷିଣ କୋରିଆ ମାଲିକାନାରେ ଥିବା ଏଲ୍‌ଜି ପଲିମର୍ସ କାରଖାନାରୁ ଷ୍ଟାଇରିନ୍ ନାମକ ଗ୍ୟାସ୍‌ ଲିକ୍ ହେବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ବିଶାଖାପାଟଣାରୁ ୧୫ କିଲୋମିଟର ଦୂରରେ ଥିବା ଗୋପାଳପଟନମରେ ଏହି କାରଖାନା ରହିଛି। ଗ୍ୟାସ୍ ଲିକ୍ ହେବାରୁ ଏହା ଆଖପାଖରେ ଥିବା ୫ଟି ଗ୍ରାମର ଲୋକ ଅଣନିଶ୍ବାସୀ ହୋଇପଡ଼ିଥିଲେ। ସକାଳ ହେଲା ବେଳକୁ ପରିସ୍ଥିତି ଗୁରୁତର ହୋଇପଡ଼ିଥିଲା। ଘର ବାହାରେ ଓ ରାସ୍ତା ଘାଟରେ ଲୋକେ ‌ଅଚତ ଅବସ୍ଥାରେ ପଡ଼ିଥିବା ଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋରେ ମେଡିକାଲ ନିଆଯାଇଥିଲା।

ଚିକିତ୍ସିତ ଅବସ୍ଥାରେ ଜଣେ ୮ ବର୍ଷର ବାଳିକା ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଭେଣ୍ଟିଲେଟରରେ ଏବେ ବି ୨୦ ଜଣ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ପୁଲିସ କହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାସ୍ ଲିକ୍ ହେବା ପରେ କାରଖାନାର ୩ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଅନେକ ଲୋକ ରାସ୍ତାଘାଟରେ ଚାଲି ଚାଲି, ସାଇକଲ ଏବଂ ମୋଟର ସାଇକଲ ଆଦିରେ ଯିବା ସମୟରେ ଟଳି ପଡ଼ିଥିଲେ। ନିଃଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ କରିବା ସହିତ ଲୋକଙ୍କ ମୁଣ୍ଡ ବୁଲାଇବା ଏବଂ ବାନ୍ତି ଆଦି ହୋଇଥିଲା। ସେହିଭଳି ତ୍ବଚା ଏବଂ ଆଖି ଆଦି ଜଳା ପୋଡ଼ା ହୋଇଥିଲା। ଏହି ଘଟଣା ଜଣାପଡ଼ି‌ବା ପରେ ସ୍ଥାନୀୟ ପୁଲିସ ଘଟଣା ସ୍ଥଳକୁ ତୁରନ୍ତ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସ୍ଥାନୀୟ ପ୍ରଶାସନ ସହ ମିଶି ‌ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଶତାଧିକ ଲୋକଙ୍କୁ ନିଆଯାଇଥିଲା।

ଘଟଣା ସ୍ଥଳରେ ଏନ୍‌ଡିଆର୍‌ଏଫ୍ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରାଯିବା ସହିତ ସେମାନଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ କରାଯାଇଛି। ସବୁଠୁ ଅଧିକ ଅସୁସ୍ଥ ଭର୍ତ୍ତି ହୋଇଥିବା କେଜି ‌ହସ୍ପିଟାଲକୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ଯାଇ ସେଠାରେ ଅସୁସ୍ଥ ମାନଙ୍କ ଅବସ୍ଥା ବୁଝିଛନ୍ତି।

ଘଟଣା ସମ୍ପର୍କରେ ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଗ୍ୟାସ ଲିକ୍ ସମ୍ପର୍କରେ ବୁଝିଥିଲେ। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିବା ସହିତ ଅସୁସ୍ଥ ବ୍ୟକ୍ତକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ‌ବୋଲି ମୁଖ୍ୟମନ୍ତ୍ରୀ ଜଗନ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ଗ୍ୟାସ୍‌ ଲିକ୍‌ରେ ମୃତା‌ହତ ହୋଇଥିବା ବ୍ୟକ୍ତି ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଅସୁସ୍ଥମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ବିଶାଖାପାଟଣା ଏଲ୍‌ଜି ପଲିମର୍ସଠାରେ ଆଜି ଗ୍ୟାସ ଲିକ୍‌ ଘଟଣା ଜଣାପଡ଼ିବା ପରେ ଲୋକଙ୍କ ମନରେ ୧୯୮୪ ମସିହାର ସେହି ଭୟଙ୍କର ଭୋପାଳ ଗ୍ୟାସ ଲିକ୍ ଘଟଣା ତାଜା ହୋଇ ଉଠିଥିଲା। ଲୋକମାନେ ଅଧିକ ମାତ୍ରାରେ ଛାନିଆ ହୋଇ ପଡ଼ିଥିଲେ। ଦିଲ୍ଲୀରେ କେନ୍ଦ୍ର ସରକାର ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ତନାଘନା ଆରମ୍ଭ କରିଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି. କେ ମିଶ୍ରଙ୍କ ନେତୃତ୍ବରେ ଏକ ଜରୁରୀ ବୈଠକ ହୋଇଥିଲା।

ସୂଚନାଯୋଗ୍ୟ ଯେ ଡିସେମ୍ବର ୧୯୮୪ରେ ଭୋପାଳରେ ୟୁନିଅନ୍ କାର୍ବାଇଡ୍ କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ରାୟ ୪ ହଜାର ଲୋକ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ଏଥିରେ ୧୩ ହଜାର ମୃତ୍ୟୁ ବରଣ କରିଥିବା ବେସରକାରୀ ସୂତ୍ରରୁ ଜଣାଡ଼ିଛି।

ସମ୍ବନ୍ଧିତ ଖବର