ପ୍ରଚଣ୍ଡ ଗରମ ପ୍ରଭାବରେ ଗହମ ଅମଳ କମିବ

ନୂଆଦିଲ୍ଲୀ: ମାର୍ଚ୍ଚ ମଧ୍ୟ ଭାଗରେ ହଠାତ ଗରମ ବହୁତ ବଢ଼ିଯିବାରୁ ତାହା ଗହମ ଫସଲକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେଣୁ ଚଳିତ ବର୍ଷ ଦେଶରେ ଗହମ ଅମଳ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଭାରତ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ଦେଶ। ଗତ ପାଞ୍ଚ ବର୍ଷ ଧରି ଏଠାରେ ରେକର୍ଡ ପରିମାଣର ଗହମ ଉତ୍ପାଦନ ହେଉଛି। ଚଳିତ ବର୍ଷ କିନ୍ତୁ ସେଥିରେ ବ୍ରେକ୍ ଲାଗିବ। ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରେ ଗହମ ରପ୍ତାନି ଲାଗି ଯେଉଁ ସୁଯୋଗ ସୃଷ୍ଟି ହୋଇଥିଲା ତାହାର ପୂର୍ଣ୍ଣ ସୁଯୋଗ ଭାରତ ନେଇପାରିବ ନାହିଁ। ଯୁଦ୍ଧ ଯୋଗୁଁ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ୭.୮୫ ନିୟୁତ ଟନ୍ ଗହମ ରପ୍ତାନି କରିଛି ଯାହା ୨୦୨୦-୨୧ ତୁଳନାରେ ୨୭୫% ଅଧିକ। ୨୦୨୨-୨୩ରେ ଭାରତ ୧୨ ନିୟୁତ ଟନ୍ ଗହମ ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି। ଗ୍ରୀଷ୍ଣ ପ୍ରବାହ ଆରମ୍ଭ ହେବା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରିରେ ସରକାର ଆକଳନ କରି କହିଥିଲେ ଯେ ଚଳିତ ବର୍ଷ ସର୍ବକାଳୀନ ରେକର୍ଡ ୧୧.୩୨ ନିୟୁତ ଟନ୍ ଗହମ ଉତ୍ପାଦନ ହେବ ଯାହା ପୂର୍ବବର୍ଷ ହୋଇଥିବା ୧୦୯.୫୯ ନିୟୁତ ଟନ୍ ତୁଳନାରେ ଅଧିକ। ଗରମ ପ୍ରଭାବରେ ଗହମ ଉତ୍ପାଦନ ୧୦୫ ନିୟୁତ ଟନ୍‌କୁ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଚଣ୍ଡ ଗରମ ଯୋଗୁଁ ଗହମ ଅମଳ ୨୦% ହ୍ରାସ ପାଇପାରେ ବୋଲି କୁହାଯାଉଛି। ୨୦୨୨ ଭାରତ ପାଇଁ ଏକ ଉତ୍ତପ୍ତ ବର୍ଷ ସାବ୍ୟସ୍ତ ହୋଇଛି। ଗତ ୧୨୨ ବର୍ଷ ଭିତରେ ଚଳିତ ବର୍ଷ ସବୁଠୁ ଅଧିକ ଗରମ ହୋଇଛି। ସାରା ଦେଶରେ ତାପମାତ୍ରା ୩୩.୧ ଡିଗ୍ରିରୁ ଅଧିକ ସ୍ତରରେ ପହଞ୍ଚିଥିଲା ଯାହା ସ୍ବାଭାବିକ ତାପମାତ୍ରା ଠାରୁ ୧.୮୬ ‌ଡିଗ୍ରି ଅଧିକ।

ସମ୍ବନ୍ଧିତ ଖବର