ମମତାଙ୍କୁ ଧକ୍କାଦେଲା କିଏ? ଡାକ୍ତରଙ୍କ ସୂଚନାକୁ ନେଇ ହଙ୍ଗାମା

ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଦାବି କଲା ବିଜେପି, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା କଡ଼ାକଡ଼ି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କପାଳରେ ଗତକାଲି ଗଭୀର ଆଘାତ ଲାଗିଥିବା ଘଟଣାର ତଦନ୍ତ ଆରମ୍ଭ କରିଛି କୋଲକାତା ପୁଲିସ । ମମତାଙ୍କୁ ଧକ୍କା ଦିଆଯାଇଛି ବୋଲି ଜଣେ ଡାକ୍ତର ପ୍ରଘଟ କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ବିଜେପି ଦାବି କରିଛି। ଅନ୍ୟପକ୍ଷରେ ଆଜି ସକାଳୁ କୋଲକାତା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କୋଲକାତା ପୁଲିସ କମିସନର ବିନୀତ ଗୋଏଲ ସୁରକ୍ଷା ତ୍ରୁଟି ହୋଇଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ସୁରକ୍ଷା ଅଧିକାରୀଙ୍କୁ କହିଥିଲେ ଯେ କେହି ତାଙ୍କୁ ପଛରୁ ଧକ୍କା ଦେଇଛି।

ସୂଚନାଯୋଗ୍ୟ, ଗତରାତିରେ ଏକ ଦୁର୍ଘଟଣାରେ ଆହତ ହେବାପରେ ମମତାଙ୍କୁ ତୁରନ୍ତ ଏସ୍‌ଏସ୍‌କେଏମ୍ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ୪ଟି ଷ୍ଟିଚ୍‌ ପଡ଼ିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଆଜି ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ମଣିମୟ ବନ୍ଦୋପାଧ୍ୟାୟ କହିଥିଲେ ଯେ ମମତା ବାନାର୍ଜୀଙ୍କୁ ପଛପଟୁ ଜୋର୍‌ରେ ଠେଲି ଦିଆଯାଇଥିଲା, ଯେଉଁଥିପାଇଁ ସେ ତଳେ ପଡ଼ିଯାଇଥିଲେ। ଡାକ୍ତରଙ୍କ ଏଭଳି ବୟାନ ପରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟମନ୍ତ୍ରୀ ଆହତ ହେବା ଘଟଣାକୁ ନେଇ ପ୍ରଶ୍ନ ଉଉଠାଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ କାହିଁକି ଧ୍ୟାନ ଦିଆଯାଇ ନଥିଲା ଏବଂ ଏହା ପଛରେ କି ରହସ୍ୟ ରହିଛି ବୋଲି ବିଜେପି ପ୍ରଶ୍ନ କରିଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଅଛି, ତେବେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ ବୋଲି ବିଜେପି କହିଛି। ଟିଏମ୍‌ସି ଭିତରେ ମଧ୍ୟ ମମତା ଆହତ ହେବା ଘଟଣାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଯଦି ଉଦ୍ଦେଶ୍ୟମୂଳକ ଭାବେ କେହି ମମତାଙ୍କୁ ଧକ୍କା ଦେଇଛି ତାହା ଯାଞ୍ଚରୁ ନିଶ୍ଚିତ ଜଣାପଡ଼ିବ ବୋଲି ଅନେକ କାର୍ଯ୍ୟକର୍ତ୍ତା କହିଛନ୍ତି। ଅନ୍ୟପକ୍ଷରେ କେତେକ ଦଳୀୟ ନେତା କହିଛନ୍ତି ଯେ ଠେଲାପେଲା ଭିତରେ ଏଭଳି କିଛି ସ୍ବାଭାବିକ ଭାବେ ଘଟିଯାଇଛି। ଅନ୍ୟପକ୍ଷରେ ମମତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥର ରହିଛି ଏବଂ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ତାଙ୍କର ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମମତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିବା ବେଳେ ଆଜି ମମତା ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର