ଗୋପାଳପୁରରେ ରାଡିସନ୍ ଖୋଲିବ ହୋଟେଲ୍‌: ପଦ୍ମା ଇଷ୍ଟର୍ଣ୍ଣ ହୋଟେଲ୍‌ସ ସହ ବୁଝାମଣା

ଭୁବନେଶ୍ବର: ରାଡିସନ୍ ହୋଟେଲ୍‌ ଗ୍ରୁପ୍ ଗଞ୍ଜାମ ଜିଲ୍ଲାର ଗୋପାଳପୁର‌ରେ ଏହାର ନୂଆ ହୋଟେଲ୍‌ ଖୋଲିବାକୁ ଯାଉଛି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ଏହି ହୋଟେଲ୍‌ ଖୋଲିବ। ଏଥିପାଇଁ କମ୍ପାନି ପଦ୍ମା ଇଷ୍ଟର୍ଣ୍ଣ ହୋଟେଲ୍‌ସ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି ସଂସ୍ଥା ଗୋପାଳପୁରରେ ପ୍ରମୋଦ ଲ୍ୟାଣ୍ଡ୍‌ସ ଏଣ୍ଡ୍‌ ରିସୋର୍ଟ ନାମରେ ଏକ ୧୦୦ କୋଠରିଭିତ୍ତିକ ହୋଟେଲ୍‌ ବିକାଶ କରିଛି। ତାହାକୁ ରାଡିସନ୍ ଗ୍ରୁପ୍‌ର ହୋଟେଲ୍ ଭାବେ ବିଚାର କରାଯିବ। ରାଡିସନ୍ ଇଣ୍ଡିଭିଜୁଆଲ୍‌ସ ବ୍ରାଣ୍ଡ୍‌ ଅଧୀନରେ ଏହା ପରିଚାଳିତ ହେବ। ଗୋପାଳପୁର ବେଳାଭୂମି ନିକଟରେ ପ୍ରମୋଦ ଲ୍ୟାଣ୍ଡ୍‌ସ୍‌ ଏଣ୍ଡ୍‌ ରିସୋର୍ଟ ରହିଛି। ରାଡିସନ୍‌ ଖୋଲିବାକୁ ଯାଉଥିବା ଏହି ହୋଟେଲ୍‌ରେ ସୁଇଟ୍‌ସ ଓ ଭିଲ୍ଲା ଏବଂ ପ୍ରାଇଭେଟ୍ ପୁଲ୍‌ ମଧ୍ୟ ରହିଛି। ସ୍ବତନ୍ତ୍ର ଡାଇନିଂ, ବାର୍ ଓ ରେସ୍ତୋରାଁର ବ୍ୟବସ୍ଥା ମଧ୍ୟ ରହିଛି। ବୈଠକ ଓ କାର୍ଯ୍ୟକ୍ରମ ଆୟୋଜନ ଲାଗି ବାଙ୍କ୍‌ୱେଟ୍ ହଲ୍‌ ମଧ୍ୟ ରହିଛି। ଫିଟ୍‌ନେସ୍ ସେଣ୍ଟର ଓ ସ୍ପାର ମଧ୍ୟ ବ୍ୟବସ୍ଥା ରହିଛି।

ରାଡିସନ୍ ହୋଟେଲ୍‌ ଗ୍ରୁପ୍‌ର ବରିଷ୍ଠ ନିର୍ଦ୍ଦେଶକ (ବିକାଶ-ଦକ୍ଷିଣ ଏସିଆ) ଦେବାଶିଷ ଶ୍ରୀବାସ୍ତବ କହିଛନ୍ତି ଯେ ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ସମ୍ପ୍ରସାରଣ ଲାଗି ଆମର ରହିଥିବା ଯୋଜନା ଅନୁସାରେ ପ୍ରମୋଦ ଲ୍ୟାଣ୍ଡ୍‌ସ ଏଣ୍ଡ୍‌ ରିସୋର୍ଟ ସହ ବୁଝାମଣା କରାଯାଇଛି। ରାଡିସନ୍ ଗ୍ରୁପ୍ ଗୁଣାତ୍ମକ ଆତିଥେୟତା ଅନୁଭୂତିକୁ ବଡ଼ ସହର ବାହାରକୁ ନେବାକୁ ଚାହୁଛି। ଆମେ ଓଡ଼ିଶାରେ ହୋଟେଲ୍ ଖୋଲିବାକୁ ଯାଉଥିବାରୁ ତାହାକୁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ବିଚାର କରୁଛୁ ଏବଂ ସେହି ଅଞ୍ଚଳରେ ଥିବା ବିପୁଳର ସମ୍ଭାବନାର ଏହା ମଧ୍ୟ ପ୍ରମାଣ ବୋଲି ସେ କହିଛନ୍ତି। ପଦ୍ମା ଇଷ୍ଟର୍ଣ୍ଣ ହୋଟେଲ୍‌ସର ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ରଥ କହିଛନ୍ତି ଯେ ବିଶ୍ବସ୍ତରୀୟ ହୋଟେଲ୍‌ ବିକାଶ ଓ ପରିଚାଳନା କରିବାରେ ଆମର ରହିଥିବା ଦକ୍ଷତାକୁ ରାଡିସନ୍ ହୋଟେଲ୍‌ ଗ୍ରୁପ୍‌ ସହ ଆମ ସହଯୋଗିତା ପ୍ରମାଣ କରୁଛି। ଓଡ଼ିଶା ଆତିଥେୟତା କ୍ଷେତ୍ରରେ ଏହା ଆମ ଉପସ୍ଥିତିକୁ ଦୃଢ଼ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର