ନୂଆଦିଲ୍ଲୀ: ଦୀର୍ଘ ପ୍ରତିକ୍ଷା ପରେ ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ତାଙ୍କ ପତ୍ନୀ ଓ ମା’ ଗତକାଲି ଇସଲାମାବାଦ୍ଠାରେ ସାକ୍ଷାତ କରି ଫେରିଥିବା ବେଳେ ଏ ବାବଦରେ ପାକିସ୍ତାନର ଆଚରଣକୁ ଆଜି କଡ଼ା ସମାଲୋଚନା କରିଛି ଭାରତ। କୁଳଭୂଷଣଙ୍କ ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ପାଇଁ ପ୍ରତି ପଦକ୍ଷେପରେ ପାକ୍ ଅଧିକାରୀମାନଙ୍କ ପ୍ରୟାସ ନିନ୍ଦନୀୟ ଏବଂ ଏଭଳି ଆଚରଣ ଦେଖାଇ ପାକିସ୍ତାନ ଅଦୌ ବିଶ୍ୱାସଯୋଗ୍ୟ ନଥିବା ପୁଣି ଥରେ ପ୍ରମାଣିତ କରିଛି ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି।
ଆତଙ୍କବାଦୀ କାର୍ଯର୍୍ୟକଳାପ ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁଦଣ୍ଡାଦେଶ ପାଇଥିବା କୁଳଭୂଷଣଙ୍କୁ ଗତକାଲି ତାଙ୍କ ମା’ ଓ ପତ୍ନୀ ୪୦ ମିନିଟ୍ ଧରି ସାକ୍ଷାତ କରିଥିଲେ। ପାକିସ୍ତାନ ପୂର୍ବରୁ ଯେଉଁଭଳି ମାନବିକତା ଦୃଷ୍ଟିକୋଣରୁ ଏହି ସାକ୍ଷାତ ସୁଯୋଗ ଦେଉଛି ବୋଲି ଦୃଢ଼ୋକ୍ତି ବାଢ଼ିଥିଲା, ଅସଲରେ ଏହା ପଛରେ ପାକିସ୍ତାନର ଥିବା ହୀନ ଉଦ୍ଦେଶ୍ୟ ଧରା ପଡ଼ିଯାଇଛି। ଏହା ନିଜର କୁତ୍ସିତ ଚିନ୍ତାଧାରାକୁ କେବେହେଲେ ଲୁଚାଇ ରଖିପାରିବନି ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି। ସୁରକ୍ଷା ଦ୍ୱାହି ଦେଇ କୁଳଭୂଷଣଙ୍କ ପରିବାର ସଦସ୍ୟଙ୍କ ସାଂସ୍କୃତିକ ଏବଂ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି। ସାକ୍ଷାତ ପୂର୍ବରୁ ସେମାନଙ୍କ ମଙ୍ଗଳସୁତ୍ର, ଚୁଡ଼ି ଏବଂ ବିନ୍ଦି କାଢ଼ିବାକୁ ବାଧ୍ୟ କରାଯାଇଛି। କୁଳଭୂଷଣଙ୍କ ମା’ ଓ ପତ୍ନୀ ଯେଉଁ ପୋଷାକ ପିନ୍ଧିଥିଲେ ତାହା ମଧ୍ୟ ବଦଳାଇବାକୁ ବାଧ୍ୟ କରାଯାଇଥିଲା। ଏହାସହିତ ମାତୃଭାଷା ମରାଠୀରେ ମଧ୍ୟ କଥା ହେବାକୁ ମଧ୍ୟ ସୁଯୋଗ ଦିଆଯାଇନଥିଲା।
ମା’ ଅବନ୍ତୀ ଏବଂ ପତ୍ନୀ ଚେତନ କାଉଲ କୁଳଭୂଷଣଙ୍କ ସହ ସାକ୍ଷାତ ବେଳେ ମଝିରେ କାଚ ପରଦା ଥିଲା ଏବଂ ଇଣ୍ଟରକମ୍ ଦ୍ୱାରା ସେମାନେ କଥା ହୋଇଥିଲେ। ସାକ୍ଷାତ ସମୟରେ ଭାରତୀୟ ରାଷ୍ଟ୍ରଦୁତ ଉପସ୍ଥିତ ରହିବେ ବୋଲି ପାକିସ୍ତାନ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଗତକାଲି ଭାରତୀୟ ଡେପୁଟି ହାଇକମିସନରଙ୍କୁ ନଜଣାଇ ପ୍ରଥମେ ସେମାନଙ୍କୁ ସାକ୍ଷାତ ଆଲୋଚନା ପାଇଁ ନିଆଯାଇଥିଲା। ପରେ ଡେପୁଟି ହାଇକମିସନର ଆଉ ଏକ ପର୍ଯ୍ୟାୟରେ ସାକ୍ଷାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ସିଧାସଳଖ ଯୋଗାଯୋଗ କରିପାରିନଥିଲେ। ସାକ୍ଷାତକାର ପୂର୍ବରୁ କୁଳଭୂଷଣଙ୍କ ପତ୍ନୀଙ୍କ ଯୋତା ମଧ୍ୟ ଜଣେ ପାକ୍ ଅଧିକାରୀ ନେଇ ଯାଇଥିଲେ ଏବଂ ସାକ୍ଷାତକାର ପରେ ଏହା ଆଉ ଫେରସ୍ତ କରାଯାଇନାହିଁ। ଏହାପଛରେ ପାକିସ୍ତାନର କୌଣସି ଚାଲ୍ ଥିବା ଭାରତ ସନ୍ଦେହ କରୁଛି ।
କୁଳଭୂଷଣଙ୍କ ମା’ ଓ ଭଉଣୀଙ୍କ ପାକିସ୍ତାନ ଗସ୍ତରେ ସେମାନଙ୍କୁ ଗଣମାଧ୍ୟମ କୌଣସି ପ୍ରଶ୍ନ ନ କରିବାପାଇଁ ଭାରତ ଦ୍ୱାରା ପୂର୍ବରୁ ସ୍ପଷ୍ଟ କରାଯାଇଥିଲେ ସୁଦ୍ଧା ପାକିସ୍ତାନ ବିଦେଶ କାର୍ଯ୍ୟାଳୟ ଗଣମାଧ୍ୟମର ଭିଡ଼ ଆୟୋଜନ କରିଥିଲା ଏବଂ ପାକ୍ ଗଣମାଧ୍ୟମ କୁଳଭୂଷଣଙ୍କ ମା’ଙ୍କୁ ଜଣେ ହତ୍ୟାକାରୀର ମା’ ଭାବେ ଚିତ୍ରଣ କରିଥିଲା। ତାହା ସବୁଠୁ ଅପମାନ ଜନକ। ସାକ୍ଷାତ ପରେ ବିଦେଶ ମନ୍ତ୍ରାଳୟ କାର୍ଯ୍ୟାଳୟ ବାହାରେ ପାଖାପାଖି ୧୫ ମିନିଟ୍ ପର୍ଯ୍ୟନ୍ତ ଗାଡ଼ି ପାଇଁ ଅପେକ୍ଷା କରିଥିଲେ କୁଳଭୂଷଣଙ୍କ ମା, ପତ୍ନୀ ଓ ଭାରତୀୟ ରାଷ୍ଟ୍ରଦୁତ। ତେବେ କୁଳଭୂଷଣଙ୍କ ପରିବାର ସଦସ୍ୟ ଏହି ପରିସ୍ଥିତିକୁ ଅତି ଧୈର୍ଯ୍ୟର ସହ ସାମ୍ନା କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମୁଖପାତ୍ର ରବିଶ କୁମାର କହିଛନ୍ତି। ସାକ୍ଷାତ ପରେ ଜଣାଯାଇଛି ଯେ କୁଳଭୂଷଣ ଅତ୍ୟନ୍ତ ଚାପରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଠିକ୍ ନଥିବା ଜଣାଯାଇଛି। କୁଳଭୂଷଣଙ୍କୁ ଆତଙ୍କବାଦୀ ଦର୍ଶାଇ ମିଥ୍ୟା ଅଭିଯୋଗରେ ପାକ୍ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାରୁ ଏବେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ରେ ଏହି ମାମଲା ବିଚାରାଧୀନ ରହିଛି।