ବିଶ୍ୱ ହୃଦ୍‌ ଦିବସ: ବ୍ୟାୟାମ ପୂର୍ବରୁ ହୃତ୍‌ପିଣ୍ଡର ନିୟମିତ ସ୍କ୍ରିନିଂ ଆବଶ୍ୟକ

ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ବ ହୃଦ୍‌ରୋଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବିଷୟ ବସ୍ତୁ ହେଲା, ଟିକେ ରହି ଯାଆନ୍ତୁ ଏବଂ ଚିନ୍ତା କରନ୍ତୁ ମାନବିକତା, ପ୍ରକୃତି ଏବଂ ଆପଣଙ୍କ ପାଇଁ ଆପଣଙ୍କ ହୃତ୍‌ପିଣ୍ଡର ବ୍ୟବହାର କ’ଣ ହେବ? ବର୍ତ୍ତମାନ ଚିନ୍ତା କରିବାର ସମୟ ଆସିଛି ଯେ, ଏତେ ସଂଖ୍ୟକ ଯୁବକଙ୍କ ମୃତ୍ୟୁ କେମିତି ଶିରୋନାମା ପାଲଟି ଯାଉଛି। ଏହା ପଛର ଅନେକ କାରଣ ରହିଛି। ଯାହାକୁ ବିଶେଷଜ୍ଞମାନେ ସତର୍କ ମଧ୍ୟ କରାଇ ଦେଇଛନ୍ତି। ଯୁବକମାନେ ମାତ୍ରାଧିକ ଶାରିରୀକ ବ୍ୟାୟାମ କରିବା ପୂର୍ବରୁ ହୃତ୍‌ପିଣ୍ଡ ସହିତ ସନ୍ତୁଳନ ରକ୍ଷା କରିବାକୁ ହେବ। ସୁସ୍ଥ ହୃତ୍‌ପିଣ୍ଡ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶର ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଉଛି। ମାତ୍ର ଏହା ବାହାରେ ମଧ୍ୟ ଆହୁରି ବିଭିନ୍ନ କାରଣରୁ ହୃଦ୍‌ରୋଗ ହେଉଛି ଯାହାକୁ ଅଣଦେଖା କରାଯାଉଛି। ବୈକଳ୍ପିକ ରକ୍ତ ପ୍ରବାହ ମାର୍ଗ ବିକଶିତ ନହେବା ଯୋଗୁଁ ଅନେକ ଯୁବ ତାରକାଙ୍କ ମୃତ୍ୟୁ ହେଉଛି। ବୟସ୍କ ବ୍ୟକ୍ତିଙ୍କ ଠାରେ ଏଭଳି ସ୍ଥିତି ଉତ୍ପନ୍ନ ହୁଏ ନାହିଁ। ସମୟ ସହିତ ସେମାନଙ୍କ ଧମନୀରେ ବ୍ଲକେଜ୍‌ ଦେଖାଯାଏ ଏବଂ ଏହାକୁ ନେଇ କାମ କରିବା ବା ଏହି ପରିବର୍ତ୍ତନ ସହିତ ଅଭ୍ୟସ୍ତ ହେବାରେ ତାଙ୍କ ଶରୀରକୁ ପର୍ଯ୍ୟାପ୍ତ ସମୟ ମିଳିଯାଏ। କଠିନ ବ୍ୟାୟାମ ପୂର୍ବରୁ ନିଜ ଶରୀରକୁ ଯଥେଷ୍ଟ ପରିମାଣରେ ଜଳୀୟ ଅଂଶର ସନ୍ତୁଳନ ନ କରି ମାତ୍ରାଧିକ ବ୍ୟାୟାମ କଲେ ରକ୍ତ ମୋଟା ହୋଇ ଜମାଟ ବାନ୍ଧିଯାଏ। ବିଶେଷତଃ କୋଲେଷ୍ଟ୍ରଲ ଜମା ହୋଇଥିଲେ ଧମନୀ ଫାଟିବାର ସମ୍ଭାବନା ଥାଏ। ଏଥିଯୋଗୁଁ ସମସ୍ତେ ଜାଣିବା ଉଚିତ ଯେ ମାତ୍ରାଧିକ ବ୍ୟାୟାମ କରିବା ପୂର୍ବରୁ ହୃତ୍‌ପିଣ୍ଡର ସ୍କ୍ରିନିଂ ନିହାତି ଆବଶ୍ୟକ। ଛାତିରେ ଯନ୍ତ୍ରଣା ବା ଅସ୍ବାଭାବିକ ଅନୁଭବ ହେଲେ ହୃତ୍‌ପିଣ୍ଡ ସମସ୍ୟାକୁ ସୂଚାଇ ଦିଏ ତେଣୁ ଏହାର କାରଣ ଜାଣିବା ପାଇଁ ପରୀକ୍ଷା କରିବାର ନିହାତି ଆବଶ୍ୟକତା ରହିଛି। ମନେ ରଖନ୍ତୁ ଅନେକ ସମୟରେ ଲକ୍ଷଣ ଦେଖାଯିବା ବେଳକୁ ଏହି ରୋଗ ବହୁତ ଆଗକୁ ବଢିଯାଇ ଥାଏ।

କ’ଣ କରିବା ଉଚିତ
୧. ନିୟମିତ ସ୍କ୍ରିନିଂ ଜରିଆରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ସମସ୍ୟାର ଚିହ୍ନଟ ହୋଇ ପାରିବ। ଯାହାଫଳରେ ହୃତ୍‌ପିଣ୍ଡ କ୍ଷତିଗ୍ରସ୍ତ ହେବା ପୂର୍ବରୁ ଚିକିତ୍ସା ହେବ। ସ୍କ୍ରିନିଂ ପରେ ଇସିଜି, ୨ଡି ଇକୋକାର୍ଡିଓଗ୍ରାମ, ଷ୍ଟ୍ରେସ ଟେଷ୍ଟ, କରୋନାରି କ୍ୟାଲସିୟମ ପାଇଁ ସିଟି ସ୍କାନ କରିବା ଉଚିତ।
୨. ପ୍ରତିବର୍ଷ ଥରେ ଏବଂ ୪୦ ବର୍ଷ ପରେ ବାର୍ଷିକ ୨ ଥର ହୃତ୍‌ପିଣ୍ଡ ସ୍କ୍ରିନିଂ କରାଯିବା ଉଚିତ। ଏପରିକି ୩୦ ବର୍ଷ ପରର ବ୍ୟକ୍ତିଙ୍କ ଠାରେ ମଧ୍ୟ ଏହି ରୋଗର ବିପଦ ରହିଛି।
୩. ପ୍ରତିଦିନ ୩୦ରୁ ୪୫ ମିନିଟ୍‌ର ବ୍ୟାୟାମ ଆପଣଙ୍କୁ ମଧୁମେହ, ଉଚ୍ଚରକ୍ତଚାପ ଏବଂ ମେଦବହୁଳତାରୁ ଦୂରେଇ ରଖେ ତଥା ଏଥି ଜରିଆରେ ହୃଦ୍‌ରୋଗର ନିରାକରଣ ମଧ୍ୟ ସମ୍ଭବ ଥାଏ।
୪. ଆପଣ ହୃତ୍‌ପିଣ୍ଡର ସ୍ଥିତି ନଜାଣି ମଧ୍ୟମରୁ ମାତ୍ରାଧିକ ବ୍ୟାୟାମ କଲେ ଅନ୍ତର୍ନିହିତ କରୋନାରି ବ୍ଲକ ହେବା ସହିତ ହୃଦ୍‌ଘାତର କାରଣ ହୁଏ।
ହୃଦ୍‌ରୋଗର ପାରିବାରିକ ଇତିହାସ, ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ଚାପ, ବ୍ୟାୟାମ ଅଭାବ, ପରିବେଶ, ପ୍ରଦୂଷଣ ସହିତ ଜୀବନଶୈଳୀରେ ସମସ୍ୟା ଧୂମପାନ ଆଦି ହୃଦ୍‌ରୋଗର କାରଣ ହୋଇପାରେ।
ଡା. ରମାକାନ୍ତ ପଣ୍ଡା
ହୃଦ୍‌ରୋଗ ସର୍ଜନ, ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ, ମୁମ୍ବାଇ

ସମ୍ବନ୍ଧିତ ଖବର