ସରିଲା ତୋଷାଳି ମେଳା: ୧୬କୋଟିରୁ ଊର୍ଦ୍ଧ୍ବ ବେପାର

ଚନ୍ଦ୍ରଶେଖରପୁର: ରାଜ୍ୟ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୧୪ ଦିନ ଧରି ଜନତା ମଇଦାନରେ ଚାଲିଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ରବିବାର ଉଦ୍‌ଯାପିତ ହୋଇଛି। ୧୪ ଦିନ ଧରି ଚାଲିଥିବା ଏହି ମେଳାରେ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ କରାଯାଇଥିଲା। ସେହିପରି ୩୦ଟି ଫୁଡ ଷ୍ଟଲ୍‌ରେ ବିଭିନ୍ନ ପ୍ରକାରର ପାରମ୍ପରିକ ତଥା ସୁସ୍ବାଦୁ ଆମିଷ ଏବଂ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶା ସମେତ ୨୪ଟି ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ଏହି ମେଳାରେ ଯୋଗଦାନ କରିଥିଲେ।

ଚଳିତ ବର୍ଷ ଏହି ମେଳାରେ ୧୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହୋଇଥିବା ଜଣାପଡ଼ିଛି। ହସ୍ତଶିଳ୍ପରେ ୬କୋଟି ୧୮ଲକ୍ଷ, ହସ୍ତତନ୍ତରେ ୭କୋଟି ୪୭ଲକ୍ଷ ଓ ଫୁଡ୍‌କୋର୍ଟରେ ୨କୋଟି ୪୭ଲକ୍ଷ ଟଙ୍କାର ବେପାର ହୋଇଛି। ୧୯ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ମେଳା ପରିଦର୍ଶନ କରିଛନ୍ତି। ଉଦ୍‌ଯାପନୀ ଦିବସରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିସନର ତଥା ଶାସନ ସଚିବ ଶୁଭା ଶର୍ମା ଯୋଗଦେଇ ଶିଳ୍ପୀ, କଳାକାର, ବୁଣାକାର, କାରିଗରମାନଙ୍କୁ ଧନ୍ୟବାଦ ଦେବା ସହ ଏହି ମେଳାର ସଫଳତା ନିମନ୍ତେ ନିରନ୍ତର ଉଦ୍ୟମ କରିଥିବା ସମସ୍ତ କର୍ମଚାରୀ, ଅଧିକାରୀ ଓ ବିଭିନ୍ନ ସହଯୋଗୀ ସଂସ୍ଥାମାନଙ୍କୁ ପ୍ରଶଂସା କରିଥି‌ଲେ। ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ ମେଳାର ସଫଳ ଆୟୋଜନ ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଉଦ୍‌ଯାପନୀ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର