ବାରସିଂହାର ରଙ୍ଗବଦଳା ଆଖି

ପରିବେଶ ସହ ଖାପ ଖୁଆଇବା ଲାଗି ଏଣ୍ଡୁଅ ପରି ଇତର ପ୍ରାଣୀ ନିଜ ଶରୀରର ରଙ୍ଗ ବଦଳାଉଥିବା କଥା ଆମେ ଜାଣିଛନ୍ତି। ତେବେ ବାରସିଂହା ପରି ତୃଣଭୋଜୀ ଚତୁସ୍ପଦ ପ୍ରାଣୀର ଆଖିର ରଙ୍ଗ ଋତୁ ଅନୁସାରେ ବଦଳୁଥିବା କଥା କ୍ବଚିତ୍‌ ଜାଣିଥିବେ। ସମସ୍ତଙ୍କର ଆଖିର ରଙ୍ଗ ସାଧାରଣତଃ ଅପରିବର୍ତ୍ତନୀୟ ରହିଥାଏ। କାହାର ଧୂସର ବର୍ଣ୍ଣ ତ, କାହାର କଳାଗୁମର ଓ କାହାର ନୀଳ ରଙ୍ଗର ହୋଇଥାଏ। ମାତ୍ର ଏ କଥା ସତ, ତିନି ମାସର ଥଣ୍ଡା ଶୀତଋତୁ ବେଳେ ଏହି ବାରସିଂହାର ଆଖି ଘନନୀଳ ରଙ୍ଗର ହୋଇଥାଏ ତ ତିନି ମାସର ଉଷ୍ମ ଗ୍ରୀଷ୍ମ ଋତୁ ବେଳେ ଏହା ହଳଦିଆ ରଙ୍ଗର ହୋଇଥାଏ। ସେହିପରି ବର୍ଷାଦିନ ତକ ତାହା ପେଜୁଆ ରଙ୍ଗ ଜଣାପଡ଼େ। ଏହା ପଛରେ ଆଖିର ଗଠନ ଓ ତାହା ଉପରେ ପଡୁଥିବା ଆଲୋକ ରଶ୍ମିର ଭୂମିକା ରହିଥିବା ଜୀବବିଜ୍ଞାନୀମାନେ ଜାଣି ପାରିଛନ୍ତି।

ସେମାନଙ୍କ ମତରେ, ଆଖିର ପୃଷ୍ଠଭାଗରେ ଅବସ୍ଥିତ ଅକ୍ଷପଟ ବା ରେଟିନା ପଛକୁ ରହିଥିବା ଟାପେଡମ୍‌ ଲୁସିଟମ୍‌‌ ବା ‘କ୍ୟାଟ୍‌ସ ଆଇ’ ନାମକ ପ୍ରତିବିମ୍ବଶୀଳ ପରଦା ସ୍ତର ଯୋଗୁଁ ଏପରି ଆଖିର ରଙ୍ଗ ବଦଳିଥାଏ। ରେଟିନା ମଧ୍ୟ ଦେଇ ପ୍ରବେଶ କରୁଥିବା ଯେ କୌଣସି କ୍ଷିପ୍ରତାର ଆଲୋକ ରଶ୍ମିକୁ ତାହା ପ୍ରତିଫଳିତ କରାଇ କୌଣସି ବସ୍ତୁକୁ ଦେଖିବାରେ ସହାୟକ ହୋଇଥାଏ। ଏପରିକି ଅତି କ୍ଷୀଣ ଆଲୁଅରେ ମଧ୍ୟ ତାହା ସକ୍ରିୟ ରହିଥାଏ। ସେଥିପାଇଁ ଆମେ ରାତିରେ କାହାର ଫଟୋ ଉଠାଇଲା ବେଳେ ତାହାର ଆଖି ହଳଦିଆ ଦେଖାଯିବା ସହ କ୍ୟାମେରାର ଫ୍ଲାସ୍‌ ପ୍ରତିଫଳିତ ହେଲା ପରି ଜଣାପଡ଼ିଥାଏ। ଏହି ବାରସିଂହାର ଟାପେଟମ୍‌ ସ୍ବର୍ଣ୍ଣାଭ ହୋଇଥିବାରୁ ଖରାଦିନେ ତାହାର ଆଖି ସ୍ବାଭାବିକ ଭାବେ ହଳଦିଆ ଜଣାପଡ଼େ। ଶୀତଦିନେ ପ୍ରବଳ ଥଣ୍ଡା ଯୋଗୁଁ ଏହାର ଆଖି ଫୁଲିଯାଇଥାଏ। ଫଳରେ ଟାପେଟମ୍‌ ସହ ଜଡ଼ିତ ତନ୍ତୁଗୁଡ଼ିକ ସଂକୁଚିତ ହୋଇଯାଇଥା’ନ୍ତି। ତେଣୁ ତାହା ଦ୍ବାରା ଅନ୍ୟ ବର୍ଣ୍ଣର ଆଲୋକରଶ୍ମି ସବୁ ଶୋଷି ହୋଇଯାଇ କେବଳ ନୀଳ ଆଲୋକ ପ୍ରତିଫଳିତ ହୋଇଥାଏ। ତେବେ ମୋଟାମୋଟି ଭାବେ ଋତୁ ଅନୁସାରେ ବାରସିଂହାର ଆଖିର ଟାପେଟମ୍‌ ତନ୍ତୁର ପ୍ରତିଫଳକ ଗୁଣ ବଦଳୁଥିବା ଯୋଗୁଁ ତାହାର ଆଖି ଏପରି ବିଭିନ୍ନ ସମୟରେ ଭିନ୍ନ ରଙ୍ଗ ଧାରଣ କରିଥାଏ।

ସମ୍ବନ୍ଧିତ ଖବର