୨ କୁଖ୍ୟାତ ମୋବାଇଲ ଲୁଟେରା ଗିରଫ, ୭ମୋବାଇଲ ଓ ୨ବାଇକ୍ ଜବତ

ରିମାଣ୍ଡ୍ ପାଇଁ ଆବେଦନ

ଭୁବନେଶ୍ବର: ସୋମବାର ଜଣେ ମହିଳାଙ୍କ ଠାରୁ ମୋବାଇଲ୍ ଝାମ୍ପିନେବା ଅଭିଯୋଗରେ ତମାଣ୍ଡୋ ପୁଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ବାଘମାରୀର ସନ୍ତୋଷ କୁମାର ରାଉତ ଓ ଜେମାଦେଈପୁରର ସହଦେବ ପାଟ୍ଟଶାଣୀ। ପୁଲିସ ଦୁଇ ଲୁଟେରାଙ୍କ ଠାରୁ ୭ଟି ମୋବାଇଲ୍ ଓ ୨ଟି ବାଇକ୍ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଗତ ୯ତାରିଖ ସନ୍ତୋଷ ଓ ସହଦେବ ଅଭିଯୋଗକାରୀ ସୋମାଲିନ ଦାସଙ୍କ ପର୍ସ ଝାମ୍ପି ନେଇଥିଲେ। ପର୍ସରେ ଦୁଇଟି ମୋବାଇଲ୍ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଥିଲା।

ଏ‌ ନେଇ ସୋମାଲିନ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଆଇଏମ୍‌ଇଆଇ ନମ୍ବରରେ ଟ୍ରାକ୍ କରିବାରୁ ମୋବାଇଲ୍ ତମାଣ୍ଡୋସ୍ଥିତ ଲକ୍ଷ୍ମୀନଗର ବସ୍ତିରେ ଥିବା ଜଣାପଡ଼ିଥିଲା। ସ୍ଥାନୀୟ ଅଞ୍ଚଳରେ ଚଢ଼ଉ କରିବା ପରେ ପୁଲିସ ଚୋରି ମୋବାଇଲ୍ ସମେତ ବାଇକ୍‌ ଜବତ କରିଥିଲା। ଅଭିଯୁକ୍ତଙ୍କ ଠାରୁ ଅଧିକ ମୋବାଇଲ୍ ମିଳିବ ବୋଲି ପୁଲିସ ଆଶା ପ୍ରକଟ କରିଥିବାରୁ ଦୁଇ ସପ୍ତାହ ପାଇଁ ରିମାଣ୍ଡ୍ ଆବେଦନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର