ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ କମାଇବାକୁ ବାମ ପାର୍ଶ୍ବରେ ସମାନ୍ତରାଳ ରାସ୍ତା ଏକାମ୍ରକାନନରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣ ଚାଲିଛି। ୫ ବର୍ଷ ହେଲା ପର୍ଯ୍ୟାୟକ୍ରମେ ରାସ୍ତା ନିର୍ମାଣ ହେଉଥିଲେ ମଧ୍ୟ ସରିବା ନାଁ ଧରୁନି। କେ‌ତେବେଳେ ସାଲିଆସାହି ତ ଆଉ କେତେବେଳେ ପଥରଗାଡ଼ିଆ ପଟୁ ପ୍ରଶାସନକୁ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ରାସ୍ତା ନିର୍ମାଣ ପାଇଁ ଜାଗା ରହିଥିଲେ ମଧ୍ୟ ଜୋର୍‌ ଜବରଦସ୍ତ ଲୋକଙ୍କ ଘର ଭଙ୍ଗାଯାଇ ରାସ୍ତା ନିର୍ମାଣ ହେଉଥିବା ସାଲିଆସାହି ବସ୍ତିବାସିନ୍ଦାମାନେ ଅଭିଯୋଗ କରି ଆସୁଛନ୍ତି। ବିରୋଧ ଭିତରେ ବିଏମ୍‌ସି, ବିଡିଏ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଗତକାଲି ସାଲିଆସାହି ଭିତରେ ସର୍ଭେ କରିଛନ୍ତି। ୨୦୦ ଫୁଟିଆ ରାସ୍ତା ଯିବାକୁ ଥିବା ଅଞ୍ଚଳରେ ୫୨୧ ପରିବାର ପ୍ରଭାବିତ ହେବାକୁ ଥିବାରୁ ଏବେ ବସ୍ତିବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି। ସିଧା ରାସ୍ତା ପାଇଁ ବିକଳ୍ପ ଜମି ଥିବା ସତ୍ତ୍ବେ ଅଙ୍କାବଙ୍କା ବିପଦସଙ୍କୁଳ ରାସ୍ତା ତିଆରି କରି ୬୦୦ ଘର କାହିଁକି ଭଙ୍ଗାଯିବ, ସେନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ମନ୍ତ୍ରୀଙ୍କୁ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରାଇଲେ

ବସ୍ତିବାସିନ୍ଦାଙ୍କ କହିବା କଥା ହେଉଛି ୨୦୦ ଫୁଟିଆ ରାସ୍ତା ନିର୍ମାଣ କରିବାକୁ ଏକାମ୍ରକାନନ ଭିତରେ ପର୍ଯ୍ୟାପ୍ତ ଜାଗା ରହିଛି। ତାହା କରା ନ ଯାଇ ବସ୍ତିବାସିନ୍ଦାଙ୍କ ଘର ଭାଙ୍ଗି ରାସ୍ତା ନିର୍ମାଣ କରିବାକୁ ମସୁଧା ହେଉଛି। ଏହି ରାସ୍ତା ଯିବା ଦ୍ବାରା ୬୦୦ ପରିବାର ବେଘର ହୋଇଯିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବା ବେଳେ ପ୍ରାୟ ୪ହଜାର ଲୋକ ପ୍ରଭାବିତ ହେବେ। ତେଣୁ ବିକଳ୍ପ ଜମିରେ ରାସ୍ତା ନିର୍ମାଣ କରାଯାଉ। ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ଜମି ଅଧିକାର ପ୍ରଦାନ କରାଯାଉ। ନହେଲେ ଆଗାମୀ ଦିନରେ ଯେଉଁ ଆନ୍ଦୋଳନ ଗଢ଼ିଉଠିବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ଆମେ ଏଠାରେ ବସି ରହିବୁ। ପୁଲିସ, ସ୍କ୍ବାଡ୍‌ ଲଗାଇଲେ ମଧ୍ୟ ଆମେ ଡରିବୁ ନାହିଁ। ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ।

ଗତକାଲି ସାଲିଆସାହି ବସ୍ତିବାସିନ୍ଦା ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ସେମାନେ କହିଥିଲେ ଯେ ବିଜେଡି ସରକାର ସମୟରେ ତଞ୍ଚକତା କରାଯାଇ ୨୦୦ ଫୁଟିଆ ରାସ୍ତାର ନକ୍ସା ବଦଳାଯାଇଥିଲା। ୨୦୧୦ରେ ଖଡ଼ଗପୁର ଆଇଆଇଟି ଦ୍ବାରା ଯେଉଁ ନକ୍ସା ହୋଇଥିଲା ତାହାକୁ କାର୍ଯ୍ୟକାରୀ କରା ନଯାଇ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପାଇଁ ରାସ୍ତାକୁ ସାଲିଆସାହି ଭିତରେ ଜୋର୍‌ ଜବରଦସ୍ତ ନେବାକୁ ଉଦ୍ୟମ କରାଯାଇଥିଲା। ଯେଉଁ ଅଧିକାରୀମାନେ ସେତେବେଳେ ଦାୟିତ୍ବରେ ଥିଲେ ଏବେ ମଧ୍ୟ ସେମାନେ ରହିଛନ୍ତି ଏବଂ ଭୁଲ୍‌ ତଥ୍ୟ ଦେଇ ବର୍ତ୍ତମାନର ରାଜ୍ୟ ସରକାରଙ୍କୁ ଭ୍ରମିତ କରୁଛନ୍ତି। ତେଣୁ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ସିଧା ରାସ୍ତା ନେବାକୁ ସେମାନେ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଅନୁରୋଧ କରିଥିଲେ। ଖୁବ୍‌ଶୀଘ୍ର ମନ୍ତ୍ରୀ କିମ୍ବା ତାଙ୍କ ପ୍ରତିନିଧି ବାସ୍ତବ ସ୍ଥିତି ଯାଞ୍ଚ କରିବାକୁ ପ୍ରତିଶ୍ରୁତି ଦେଇଥିବା ବସ୍ତିବାସିନ୍ଦା କହିଛନ୍ତି।