କ୍ୟାପିଟାଲ କ୍ରାଇମ: ଗଣ୍ଡଗୋଳ କରି ୩ ଚିକେନ୍‌ ବେପାରୀ ଗିରଫ

ପୁରୁଣା ଭୁବନେଶ୍ବର: ସୁନ୍ଦରପଦା ହାଟରେ ନିଜ ନିଜ ଭିତରେ ଗଣ୍ଡଗୋଳ କରିବା ଅଭିଯୋଗରେ ଏୟାର୍‌ଫିଲ୍‌ଡ ଥାନା ପୁଲିସ ଦୁଇ ଚିକେନ୍‌ କାଉଣ୍ଟରର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଆଜାଦ୍‌ନଗରର ସେକ୍‌ ଇବ୍ରାହିମ୍‌, ତା’ ଭାଇ ସେକ୍‌ ଇସ୍‌ମାଇଲ ଓ ପ୍ରତିପକ୍ଷରୁ ଅମିଦ୍‌ ଖାଁ ଓରଫ୍ ମଙ୍ଗା। ଗତକାଲି ମଧ୍ୟାହ୍ନରେ ମଙ୍ଗା ଓ ଇବ୍ରାହିମ୍‌ ମଧ୍ୟରେ ବ୍ୟବସାୟକୁ କେନ୍ଦ୍ର କରି ହାତାହାତି ହୋଇଥିଲା। ପରେ ଏହା ଏକ ଗୋଷ୍ଠୀ ସଂଘର୍ଷ‌ର ରୂପ ନେଇଥିଲା।

ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଯୁବକ ଗିରଫ

ପୁରୁଣା ଭୁବନେଶ୍ବର: ଏୟାରପୋର୍ଟ ଥାନା ଅଧୀନ କାରଗିଲ ବସ୍ତିର ମଦନମୋହନ ସାହି ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲା ସେହି ସାହିର ରାଜେନ୍ଦ୍ର ସାମଲ(୪୭)। ପୁଲିସ ସୂଚନା ଅନୁଯାୟୀ ରାଜେନ୍ଦ୍ର ବିଭିନ୍ନ ସମୟରେ ବ୍ରାଉନ୍‌ସୁଗାର ବେପାର କରିଥାଏ। ଗତକାଲି ପୁଲିସ ଚଢ଼ଉ କରି ଅଭିଯୁକ୍ତ ରାଜେନ୍ଦ୍ରର ତଲାସି ବେଳେ ୯.୨୫ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା।

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ବର: ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍‌-୨ରେ ରହୁଥିବା ପ୍ରଭାସ ନାୟକଙ୍କୁ ଗତ ୨୨ ତାରିଖ ଦିନ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସଂଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ସେ ଘର ଆଗରେ ଛିଡ଼ା ହୋଇଥିବା ବେଳେ କିଛି ଯୁବକ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏକ ଲୁହାଛଡ଼ରେ ସେମାନେ ପ୍ରଭାସଙ୍କୁ ବାଡ଼େଇବା ସହ ପଥରରେ ଛେଚି ମାରିଦେବାକୁ ଉଦ୍ୟମ କରିଥିଲେ। ପ୍ରଭାସଙ୍କ ଚିତ୍କାର ଶୁଣି ପଡ଼ୋଶୀ ଘଟଣାସ୍ଥଳକୁ ଚାଲି ଆସିବାରୁ ଯୁବକମାନେ ଫେରାର୍‌ ହୋଇଯାଇଥିଲେ। ଏ ସଂପର୍କରେ ପ୍ରଭାସ ଖଣ୍ଡଗିରି ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର