୫ ମିନିଟରେ ୫ଟି ପ୍ରଶ୍ନ

ପ୍ରଶ୍ନ ୧: ଭୁବନେଶ୍ୱରରେ ଡ୍ୟାନ୍ସବାର୍‌କୁ ଅନୁମତି ମିଳିଲା, ଏହାକୁ ଆପଣ କିପରି ଦେଖୁଛନ୍ତି?
ଏମିତିରେ ତ ରାଜଧାନୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଡ୍ୟାନ୍ସ ବାର୍‌କୁ ଅନୁମତି ଦେଇ ସରକାର ଅପରାଧକୁ ଆହୁରି ପ୍ରଶ୍ରୟ ଦେଇ ଦେଇଛନ୍ତି। ସରକାରଙ୍କୁ ଯଦି ରାଜସ୍ବ ଚିନ୍ତା ଏତେ ଘାରୁଛି, ତେବେ ଡାନ୍ସ ବାର୍ ରାତି ୧୦ଟା ପର୍ଯ୍ୟନ୍ତ ଖୋଲନ୍ତୁ। ୧୨ଟା ପର୍ଯ୍ୟନ୍ତ ଅନୁମତି ଅଧିକ ହୋଇଯାଉଛି।

ପ୍ରଶ୍ନ ୨: ମୌସୁମୀର ଅନିୟମିତତା ପାଇଁ ରାଜ୍ୟରେ ଅନେକ କ୍ଷେତ୍ର କ୍ଷତି ହେଉଛି। ଏ ଦିଗରେ ଆପଣ କ’ଣ ଚିନ୍ତା କରନ୍ତି?
ମଣିଷର ପ୍ରକୃତି ବିରୋଧୀ ବ୍ୟବହାର ପାଇଁ ଆଜି ଜଳବାୟୁରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି ଓ ମୌସୁମୀ ଅନିୟମିତତାର ଏହା ଏକ ବଡ଼ କାରଣ। ଏହାଦ୍ବାରା କୃଷି, ପର୍ଯ୍ୟଟନ ଭଳି କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି। ତେଣୁ ସରକାର, ବୁଦ୍ଧିଜୀବୀ, ପାଣିପାଗ ଓ ପରିବେଶ ବିଜ୍ଞାନୀ ଏହା ଉପରେ ଚିନ୍ତା କରିବାର ସମୟ ଆସିଯାଇଛି।

ପ୍ରଶ୍ନ ୩: ରାଜ୍ୟ‌ରେ ପ୍ରାଚୀନ ମୂର୍ତ୍ତି ଚୋର ଗ୍ୟାଙ୍ଗ୍‌ ମାତିଛନ୍ତି। ଏହା ପଛରେ କାହାର ହାତ ବୋଲି ଭାବୁଛନ୍ତି?
ଓଡ଼ିଶା ପ୍ରତିଟି ଗାଁରେ କିଛି ନା କିଛି ଭାସ୍କର୍ଯ୍ୟ, କଳାକୃତି ରହିଛି। ଏ ସବୁ ଉପରେ ଏବେ ବିଦେଶୀ ଶକ୍ତିଙ୍କ ନଜର। ସେମାନେ ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ଆମରି ଲୋକଙ୍କ ହାତରେ ହିଁ ଏ କୁକର୍ମ କରାଉଛନ୍ତି। ଏଥିପାଇଁ ସବୁ ସ୍ତରରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ପ୍ରଶ୍ନ ୪: ପରିବା ଦର ବୃଦ୍ଧି ପାଇଁ ସରକାର ଦାୟୀ ବୋଲି ଆପଣ ଭାବୁଛନ୍ତି କି?
ଆଉ କିଏ ଦାୟୀ ହେବ। ପ୍ରଥମ କଥା ହେଲା, ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉ ନଥିବାରୁ ଅଧିକାଂଶ ପରିବା ଜାତୀୟ ଫସଲ ପାଇଁ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରୁଛି। ଯାହା କିଛି ବି ଆମ ଚାଷୀ ଉତ୍ପାଦନ କରୁଛନ୍ତି, ତାକୁ ସାଇତିବା ପାଇଁ ରାଜ୍ୟରେ ଆବଶ୍ୟକ ପରିମାଣର ଶୀତଳ ଭଣ୍ଡାର ନାହିଁ। ତେଣୁ ଆମଦାନି କମିଗଲେ, ସ୍ବାଭାବିକ ଭାବେ ଦରବୃଦ୍ଧି ହେଉଛି।

ପ୍ରଶ୍ନ ୫: କରୋନା ପରେ ବହୁ ପିଲା ସ୍କୁଲ ଛାଡ଼ିବା ପଛରେ କାରଣ କ’ଣ?
ସବୁ ପିଲାଙ୍କୁ ସ୍କୁଲ ଫେରିବାକୁ ସମୟ ଲାଗିବ। ଆମ ଗାଁ କଥା କହୁଛି, ପିଲାମାନେ ପାଠଠାରୁ ବହୁତ ଦୂରକୁ ଚାଲି ଯାଇଛନ୍ତି। ସେମାନେ କିଛି କାମ କରି ଟଙ୍କା ରୋଜଗାର କରିବାକୁ ପ୍ରାଧାନ୍ୟ ଦେଇଛନ୍ତି। ସେମାନଙ୍କ ମନରୁ ଟଙ୍କାରୁ ଲୋଭ ଛଡ଼ାଇ ପାଠ ପ୍ରତି ଆଗ୍ରହ ଫେରାଇ ଆଣିବାକୁ ପଡ଼ିବ।
ଶଶିକାନ୍ତ ମଲ୍ଲିକ, ସମାଜସେବୀ

ସମ୍ବନ୍ଧିତ ଖବର