ଶିଶୁଭବନ ଛକରେ ଧାରଣା ଦେଲେ ମୁକ୍ତିକାନ୍ତ

‘ପ୍ରତିଶ୍ରୁତି ଭୁଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ, ମନେ ପକାଇଦେବାକୁ ଆସିଛି’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ବର୍ଷ ତଳେ ରାଉରକେଲାବାସୀଙ୍କୁ ଉନ୍ନତିମୂଳକ କାର୍ଯ୍ୟ ନେଇ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ଏହି ପ୍ରତିଶ୍ରୁତିକୁ ମନେ ପକାଇଦେବା ପାଇଁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ। ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲକୁ କାନ୍ଧରେ ବୋହି ସେ ଏଠାରେ ପହଞ୍ଚିଥିଲେ। ତେବେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସକୁ ଯିବା ବେଳେ ଶିଶୁ ଭବନ ଛକଠାରେ ପୁଲିସ ତାଙ୍କୁ ଅଟକାଇଥିଲା। ତେଣୁ ମୁକ୍ତିକାନ୍ତ ସେହିଠାରେ ଧାରଣାରେ ବସି ରହିଛନ୍ତି। ନଭେମ୍ବର ୧୬ ତାରିଖରୁ ପଦଯାତ୍ରାରେ ବାହାରିଥିବା ମୁକ୍ତିକାନ୍ତ ୨୮ଦିନ ପରେ ଭୁବନେଶ୍ବରେ ପହଞ୍ଚିଥିଲେ।

ତାଙ୍କ ଅଭିଯୋଗ ହେଲା, ୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କୋଏଲ ବ୍ୟାରେଜ୍, କୋଏଲ୍ ନଦୀ ପାର୍ଶ୍ବରେ ରିଂ-ରୋଡ୍ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ଆର୍‌ଜିଏଚ୍‌ରେ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଭଳି ଚିକିତ୍ସା ସେବା ମିଳିବ ଘୋଷଣା କରାଯାଇଥିଲା। ସେତେବେଳେ ଏହାକୁ ନେଇ ରାଉରକେଲାବାସୀଙ୍କ ମନରେ ଏକ ନୂତନ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ। ସେହିପରି ଉପକଣ୍ଠ ବିଶ୍ରା ଓ ନୂଆଗାଁ ପରିବା ଚାଷର ଗନ୍ତାଘର ହୋଇଥିବା ବେଳେ ଏଠାରେ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ପରିବାକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଥିବାରୁ ମନେ ପକାଇ ଦେବାକୁ ଆସିଛି ବୋଲି ମୁକ୍ତିକାନ୍ତ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନ ଭେଟିବା ଯାଏ ଧାରଣାରୁ ଉଠିବେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର