ଆଧୁନିକ ଭାରତର ମହାନ ସମାଜ ସଂସ୍କାରକ ଥିଲେ ଆମ୍ବେଦକର

ଭୁବନେଶ୍ୱର: ଗୌତମ ବୁଦ୍ଧ ସମାଜରେ ଗଣତନ୍ତ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିଭିନ୍ନ ପ୍ରାନ୍ତକୁ ଯାଇ ଅସମାନତା ଦୂର କରିବା ସହିତ ରାଜା ଓ ପ୍ରଜାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ। ସେହିପରି ସମ୍ବିଧାନର ପ୍ରଣେତା ବାବା ସାହେବ ଭୀମରାଓ ଆମ୍ୱେଦକର ଆଧୁନିକ ଯୁଗରେ ଗୌତମ ବୁଦ୍ଧଙ୍କ ପରି ସମାଜରେ ଥିବା ଅସମାନତା, ଘୃଣା ଓ ଜନଜାତିଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୂର କରିବା ପାଇଁ କାର୍ଯ୍ୟ କରୁଥିଲେ। ଆମ୍ବେଦକରଙ୍କୁ କେବଳ ଜଣେ ଦଳିତ ପ୍ରତିନିଧି ବୋଲି ସମ୍ୱୋଧନ କରିବା ଉଚିତ୍‌ ନୁହେଁ। ସେ ଥିଲେ ଆଧୁନିକ ଭାରତର ଜଣେ ମହାନ ସମାଜ ସଂସ୍କାରକ। ନାଗରିକ ଏକତା ପରିଷଦର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ତାପସ ଦାସ, ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଧନଞ୍ଜୟ ହେମ୍ୱ୍ରମ, ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ସଭାପତି ଅଲେଖ ମଲ୍ଲିକ, ନାଗରିକ ଏକତା ପରିଷଦର କାର୍ଯ୍ୟକାରୀ ସଭାପତି ଅର୍ଜୁନ ମହାକୁଡ଼, ଉପସଭାପତି ମହେନ୍ଦ୍ର କାୟସ୍ଥ, ନାରାୟଣ ସେଠୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ହରପାଳ ହେମ୍ୱ୍ରମ, ରିର୍ଜଭ ବ୍ୟାଙ୍କର ପୂର୍ବତନ ମୁଖ୍ୟ ପ୍ରବନ୍ଧକ ଗୋବିନ୍ଦ ଚନ୍ଦ୍ର ସେଠୀ, ସଭାପତି ନିରଞ୍ଜନ ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ, ଏନ. ଦେବ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଏହାବ୍ୟତୀତ ଭଗବାନ ବୁଦ୍ଧଙ୍କ ବାଣୀର ପ୍ରଚାର ପ୍ରସାର ଓ ସମ୍ୱିଧାନ ପ୍ରଣେତା ବାବା ସାହେବ ଆମ୍ୱେଦକରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ରାଜଧାନୀରେ ଆମ୍ୱେଦକର ଭବନ ନିର୍ମାଣ ଏବଂ ଆମ୍ୱେଦକର କଲେଜର ଉନ୍ନତି ଓ ସଂରକ୍ଷଣ ସମ୍ପର୍କରେ ସଭାରେ ଆଲୋଚନା ହୋଇଥିଲା। ପରିଷଦର ଉପଦେଷ୍ଟା ଲକ୍ଷ୍ମଣ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସାଧାରଣ ସଂପାଦକ ସୁନାକର ବେହେରା ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର