ଦ୍ବିତୀୟ ଦିନରେ ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘର ବିକ୍ଷୋଭ: ଆନ୍ଦୋଳନ ବେଳେ ୨୧ ଅଚେତ

ଭୁବନେଶ୍ବର : ୧୦ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଓଡ଼ିଶା ସରକାରୀ ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ ଆନ୍ଦୋଳନ ଚଳାଇଥିବା ବେଳେ ରବିବାର ଦ୍ବିତୀୟ ଦିନରେ ୨୧ଜଣ ଆନ୍ଦୋଳନକାରୀ ଅଚେତ ହୋଇପଡ଼ିଛନ୍ତି। ପ୍ରବଳ ଖରା ଓ ଗରମ ଯୋଗୁଁ ସେମାନେ ଅଚେତ ହୋଇପଡ଼ିଥିବା କୁହାଯାଉଛି। ସେମାନଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶେଷ ଖବର ଲେଖା ହେବା ବେଳକୁ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଅପରପକ୍ଷେ, ଆନ୍ଦୋଳନକୁ ଦୁଇ ଦିନ ବିତିବା ପରେ ମଧ୍ୟ ସରକାରୀ ସ୍ତର‌‌ରେ ଆଲୋଚନା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଆସନ୍ତାକାଲିଠାରୁ ମହାସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନେଇଛି। ରବିବାର ସନ୍ଧ୍ୟାରେ ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜି‌ରେ ମହମବତି ଜାଳି ଆନ୍ଦୋଳନ କରାଯାଇଥିଲା।

‌ଗ୍ରୁପ୍‌-ବି, ସି ଓ ଡିରେ ଖାଲିଥିବା ମୋଟ ୨ଲକ୍ଷ ୩୦ ହଜାର ପଦରେ ଆଉଟ୍‌ସୋର୍ସିଂ କର୍ମଚାରୀମାନଙ୍କୁ ନିୟମିତ ନିଯୁକ୍ତି, ନିୟମିତ ଆଦେଶ ବାହାରିବା ପର୍ଯ୍ୟନ୍ତ ଚାକିରି ନିରାପତ୍ତ‌ା ଓ ଦରମା ବୃଦ୍ଧି, ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପାଇଁ ମହାସଂଘ ପକ୍ଷରୁ ଦାବି କରାଯାଇଛି। ମହାସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ସଭାପତି ସଞ୍ଜୟ ପଟ୍ଟନାୟକ, ପ୍ରତାପ କୁମାର ନାଥ, ମହାସଚିବ ମାନସ ରଞ୍ଜନ ଦାଶ, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ଆଜିର ବିକ୍ଷୋଭର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର