କ୍ରୀଡ଼ା ସଂସାର: ଦିନେଶ-ବିଜୟ, ପ୍ରେମ-ପ୍ରତାରଣାର ଭିନ୍ନ କାହାଣୀ

ଭାରତୀୟ କ୍ରିକେଟ୍‌ରେ ଦୁଇ ସଫଳ ଖେଳାଳି ଦୀନେଶ କାର୍ତ୍ତିକ ଓ ମୁରଲୀ ବିଜୟ। ଉଭୟ ଭଲ ବଂଧୁ ଓ ସାଥିଖେଳାଳି। ଅନେକ ସଂଯୋଗ ‌ଏମାନଙ୍କ ମଧ୍ୟରେ। ଦୁହିଁଙ୍କ ଜନ୍ମ ଗୋଟିଏ ସହର ଚେନ୍ନାଇରେ। ଉଭୟ ତାମିଲନାଡୁରୁ ରଣ୍‌ଜୀ ଟ୍ରଫିରେ ଖେଳନ୍ତି। ଭାରତୀୟ ଦଳରୁ ଖେଳିଛନ୍ତି ମିଳିତ ଭାବେ। ଆଲଗା ଅଲଗା ସମୟରେ ମଧ୍ୟ ଜାତୀୟ ଦଳର ପ୍ରତିନିଧିତ୍ବ କରିଛନ୍ତି। ବିଜୟ ଜଣେ ପ୍ରତିଷ୍ଠିତ ଓପନର୍‌ ହୋଇଥିବା ‌େବ‌ଳେ କାର୍ତିକ ବ୍ୟାଟିଂ ସହ କରିପାରନ୍ତି ଭଲ ୱିକେଟ୍‌ କିପିଂ। ବିଜୟ ଦେଶ ପାଇଁ ୬୧ ଟେଷ୍ଟ୍ ଓ ୧୭ ଦିନିକିଆରେ ପ୍ରତିନିଧିତ୍ବ କରିଛନ୍ତି। କାର୍ତ୍ତିକ ଖେଳିଛନ୍ତି ୨୬ ଟେଷ୍ଟ୍‌, ୯୪ ଦିନିକିଆ ଓ ୫୬ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌। ବିଜୟଙ୍କ ଖେଳ ଜୀବନ ଶେଷ ‌ହୋଇସାରିଛି। କିନ୍ତୁ ତାଙ୍କ ଆଗରୁ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା କାର୍ତ୍ତିକ ଏବେ ବି ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ଦ୍ବନ୍ଦ୍ବରେ ପକାଉଛନ୍ତି। ଖେଳ ପଡ଼ିଆ ବାହାରେ କିନ୍ତୁ ଯେଉଁ ଗୋଟିଏ ସାଧାରଣ କାରଣ ପାଇଁ ଉଭୟ ବାରମ୍ବାର ଚର୍ଚ୍ଚାକୁ ଆସନ୍ତି, ତାହା ହେଉଛି ସେମାନଙ୍କ ବିବାହ। ଘଟଣାଚକ୍ରରେ ଜଣଙ୍କର ପୂର୍ବତନ ପତ୍ନୀ ହେଉଛନ୍ତି ଆଉ ଜଣଙ୍କର ବର୍ତ୍ତମାନର ପତ୍ନୀ। ଏମାନଙ୍କ ବ୍ୟକ୍ତିଗତ ଜୀବନ ପ୍ରେମ-ପ୍ରତାରଣା ଓ ବିବାହ-ବିଚ୍ଛେଦର ଏକ ଚର୍ଚ୍ଚିତ ଉଦାହରଣ।

ଜଣେ ସେଲିବ୍ରିଟି ଖେଳାଳିଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟତା ଲୁକ୍କାୟିତ ରହିପାରି ନ ଥାଏ। ଭାରତୀୟ କ୍ରିକେଟର୍‌ଙ୍କ ଜୀବନର ଛୋଟ ଛୋଟ କଥା ବି ଦାଣ୍ଡରେ ପଡ଼ି ହାଟରେ ଗଡ଼େ! ଏହି କ୍ରମରେ ଦୁଇ କ୍ରିକେଟର ଦୀନେଶ କାର୍ତିକ ଏବଂ ମୁରଲୀ ବିଜୟଙ୍କ ବ୍ୟକ୍ତିଗତ ଜୀବନର କାହାଣୀ କୌଣସି କ୍ରିକେଟ୍‌ ମ୍ୟାଚ୍‌ର ଅନିଶ୍ଚିତତା ଓ ଉତ୍କଣ୍ଠାଠାରୁ ବି କିଛି କମ୍‌ ନୁହେଁ। ଜଣଙ୍କର ପୂର୍ବତନ ପତ୍ନୀ ଏବେ ଆର ଜଣଙ୍କର ସ୍ତ୍ରୀ!

ଦୀନେଶ କାର୍ତ୍ତିକଙ୍କ ଗର୍ଭବତୀ ପତ୍ନୀ ନିକିତା ବଂଜାରାଙ୍କୁ ପ୍ରେମ ଜାଲରେ ଫସାଇ ନିଅନ୍ତି ମୁରଲୀ ବିଜୟ। ପିଲାଦିନର ବାଂଧବୀକୁ ପତ୍ନୀ କରିଥିବା କାର୍ତ୍ତିକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ନ୍ତି। କାର୍ତ୍ତିକଙ୍କ ବୈବାହିକ ଜୀବନର ୫ ବର୍ଷ ପରେ ଆସିଥିବା ଏହି ଅପ୍ରତ୍ୟାଶିତ ଝଡ଼ ତାଙ୍କୁ ଦୋହଲାଇ ଦିଏ। ବେଶ୍‌ କିଛି ଦିନ ନିକିତା ଓ ବିଜୟଙ୍କ ମଧ୍ୟରେ ଗୋପନ ପ୍ରେମ ଚାଲିଥିବା କଥା ଜାଣିବା ପରେ ନିକିତାଙ୍କୁ କାର୍ତ୍ତିକ ଛାଡ଼ପତ୍ର ଦେବାକୁ ବାଧ୍ୟ ହୁଅନ୍ତି। ବେଶ୍‌ ଶାନ୍ତ ଓ ଗୋପନୀୟ ଭାବେ ଏହାକୁ ସମ୍ପନ୍ନ କରିନିଆଯାଏ। ସେତେବେଳକୁ ନିକିତା ଗର୍ଭବତୀ ଥିଲେ, କିନ୍ତୁ ମନର ମୟୂରୀ ନିକିତାଙ୍କୁ ବିବାହ କରିନିଅନ୍ତି ବିଜୟ। ନିକିତା ବଂଜାରାରୁ ନିକିତା କାର୍ତିକ ପାଲଟିଥିବା ଏହି ତାମିଲ ମହିଳା ଶେଷରେ ନିକିତା ବିଜୟ ନାମରେ ପରିଚିତା ହୁଅନ୍ତି। ଏହାକୁ ନେଇ କାର୍ତ୍ତିକ ଓ ବିଜୟଙ୍କ ମଧ୍ୟରେ ଥିବା ବଂଧୁତା ବି ସମ୍ପୂର୍ଣ୍ଣ ଛିନ୍ନ ହୋଇଯାଏ। ଏବେ ବିଜୟ ୩ ପୁଅ ଓ ଗୋଟିଏ କନ୍ୟା ସନ୍ତାନ ସହ ସୁଖରେ ସଂସାର ଗଢ଼ିଛନ୍ତି।

ବିଜୟ ଜଣେ ପ୍ରତିଷ୍ଠିତ ଓପନର୍‌ ହୋଇଥିବା ବେଳେ କାର୍ତ୍ତିକ ବ୍ୟାଟିଂ ସହ କରିପାରନ୍ତି ଭଲ ୱିକେଟ୍‌ କିପିଂ। ବିଜୟ ଦେଶ ପାଇଁ ୬୧ ଟେଷ୍ଟ୍ ଓ ୧୭ ଦିନିକିଆରେ ପ୍ରତିନିଧିତ୍ବ କରିଛନ୍ତି। କାର୍ତ୍ତିକ ଖେଳିଛନ୍ତି ୨୬ ଟେଷ୍ଟ୍‌, ୯୪ ଦିନିକିଆ ଓ ୫୬ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌।

ଏଣେ ବାଲ୍ୟ ବାନ୍ଧବୀ ତଥା ପ୍ରଥମ ପତ୍ନୀର ପ୍ରତାରଣାକୁ ନ ଭୁଲିବା ପୂର୍ବରୁ କାର୍ତ୍ତିକ ପୁଣିଥରେ ପଡ଼ିଯାଆନ୍ତି ପ୍ରେମରେ। ଦେଶର ଅନ୍ୟତମ ସଫଳ କ୍ରୀଡ଼ା ବ୍ୟକ୍ତିତ୍ବ ଦୀପିକା ପାଲ୍ଲୀକଲଙ୍କ ସହ କିଛି ଦିନ ମାପିଚୁପି ପ୍ରେମ ସଂପର୍କ ଯୋଡ଼ିବା ପରେ ବିବାହ କରନ୍ତି। ଏକଦା ପ୍ରଥମ ଭାରତୀୟ ଭାବେ ଦୀପିକା ବିଶ୍ବ ସ୍କ୍ବାସ୍‌ ମାନ୍ୟତାର ଶୀର୍ଷ ୧୦ ଭିତରେ ପ୍ରବେଶ କରିଥିଲେ। ବେଶ୍ କିଛି ଦିନର ପ୍ରେମ ପରେ ବିବାହ ପାଇଁ ବି କାର୍ତ୍ତିକଙ୍କୁ ଢେର୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ୨୦୧୩ରେ ନିର୍ବନ୍ଧ ହୋଇଥି‌ଲେ ମଧ୍ୟ ଖେଳ ଜୀବନର ଗୁରୁତ୍ବ ଦୃଷ୍ଟିରୁ ଉଭୟ ବିବାହକୁ ବିଳମ୍ବିତ କରନ୍ତି। ୨୦୧୫ରେ ଉଭୟଙ୍କୁ ୩ ଦିନ ଭିତରେ ଦୁଇ ଥର ବିବାହ କରିବାକୁ ପଡ଼ିଥିଲା। ଦୀପିକା ଖ୍ରୀଷ୍ଟିଆନ ହୋଇଥିଲା ବେଳେ କାର୍ତ୍ତିକ ହିନ୍ଦୁ ପରିବାରରୁ ଆସିଥିବାରୁ ପ୍ରତିବନ୍ଧକ ଦେଖା ଦେଇଥିଲା। ପ୍ରଥମେ ପାରମ୍ପରିକ ଖ୍ରୀଷ୍ଟିଆନ ନୀତିରେ ବିବାହ ସମ୍ପନ୍ନ ହେବା ପରେ ହିନ୍ଦୁ ରୀତିନୀତି ଅନୁସାରେ ତେଲଗୁ-ନାଇଡୁ ଷ୍ଟାଇଲ୍‌ରେ ମଧ୍ୟ ବିବାହ ହୋଇଥିଲା। ଅଭ୍ୟର୍ଥନା ଉତ୍ସବରେ ରଣବୀର କପୁର-ଦୀପିକା ପାଦୁ‌କୋନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୟେ ଜୱାନୀ ହୈ ଦିୱାନୀ’ର ଲୋକପ୍ରିୟ ସଂଗୀତ ‘ବଦ୍‌ତମିଜ ଦିଲ୍‌’ର ତାଳେ ତାଳେ ନବଦଂପତି ନାଚିବା ଢେର୍‌ ଚର୍ଚ୍ଚା ସୃଷ୍ଟି କରିଥିଲା। ପାଲ୍ଲୀକଲ କ୍ରିକେଟ୍‌ ବିରୋଧୀ ଥିଲେ ମଧ୍ୟ‌ ଶେଷରେ ଏହାର ପ୍ରେମରେ ପଡ଼ିଯାଇଥିଲେ। ସ୍ପୋର୍ଟସ୍‌ କପଲ୍ ଭାବେ ପରିଚିତ ଦୀପିକା-ଦୀନେଶ ୨୦୨୧ରୁ ଯାଆଁଳା ପୁତ୍ର ସନ୍ତାନ କବୀର ଓ ଜିଆନ୍‌ଙ୍କୁ ପାଇ ସୁଖରେ ଅଛନ୍ତି।

ସମ୍ବନ୍ଧିତ ଖବର