ରତ୍ନ ରହସ୍ୟ: ନୀଳମଣି ନୀଳା

ଏହା ପୂର୍ବରୁ ଆମେ ହୀରା ବିଷୟରେ ଆଲୋଚନା କରିଥିଲେ। ଆଜି ନୀଳାର ପାଳି। ନୀଳ ରଙ୍ଗ ହେତୁ ଏହାକୁ ନୀଳା, ନୀଳମଣି, ଶୌରୀରତ୍ନ, ଇନ୍ଦ୍ରନୀଳ, ହିନ୍ଦୀରେ ନୀଲମ୍ ଓ ଇଂରାଜୀରେ ବ୍ଲୁ ସାଫାୟାର୍‌ କୁହାଯାଏ। କଠୋରତାରେ ହୀରା ତଳକୁ ଏହାର ସ୍ଥାନ ଦୁଇ ନମ୍ବରରେ ଆସିବ ଏବଂ ହୀରା ପରି ଏହା ସମାନ ଭଙ୍ଗୁର। ଏହା ଆଲୁମିନିୟମ୍ ଓ ଅକ୍ସିଜେନ୍‌ର ଏକ ଯୌଗିକ ଏବଂ ଏଥିରେ ଅଳ୍ପ ମାତ୍ରାରେ କୋବାଲ୍‌ଟ ମିଶିଥିବାରୁ ଏହାର ରଙ୍ଗ ନୀଳ ହୋଇଥାଏ। ଉଜ୍ଜ୍ବଳତାରେ ଏହା ହୀରାଠାରୁ କମ୍। ସବୁଠାରୁ ଭଲ ନୀଳା ଶ୍ରୀଲଙ୍କା ଓ ଭାରତର କଶ୍ମୀରରୁ ମିଳେ। ଥାଇଲାଣ୍ଡ୍‌ରେ ଗାଢ଼ା ରଙ୍ଗର ନୀଳା ମିଳେ। ଅଷ୍ଟ୍ରେଲିଆରେ ମଧ୍ୟ ଗାଢ଼ା ଓ ହରା ରଙ୍ଗର ନୀଳା ମିଳେ। କଶ୍ମୀରର ନୀଳା ସର୍ବଶ୍ରେଷ୍ଠ ଓ ଏହାକୁ ମୟୂର ନୀଲମ୍ ବୋଲି କୁହାଯାଏ। କାରଣ ଏହାର ରଙ୍ଗ ମୟୂର ବେକର ରଙ୍ଗ ପରି ହୋଇଥାଏ। ରୋଡେସିଆ ଓ ରୁଷିଆର ନୀଳା ନିମ୍ନମାନର।

ବଲିଉଡ୍ ତାରକାଙ୍କ ନୀଳା ପ୍ରୀତି

ବିଶେଷ କାରଣରୁ ଏହି ଲୋକପ୍ରିୟ ତଥା ମୂଲ୍ୟବାନ୍‌ ରତ୍ନପଥରକୁ ସେଲିବ୍ରିଟିମାନେ, ବିଶେଷ କରି ବଲିଉଡ୍‌, ହଲିଉଡ୍‌ ସୁପର୍‌ଷ୍ଟାର୍‌ ଓ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ପରିଧାନ କରନ୍ତି। ନୀଳା ପରିଧାନ କରୁଥିବା ବଲିଉଡ୍‌ କଳାକାରମାନଙ୍କ ମଧ୍ୟରେ ଅଛନ୍ତି, ଅମିତାଭ ବଚ୍ଚନ, ଏ. ଆର୍‌. ରହମନ୍‌, ଅଭିଷେକ ବଚ୍ଚନ, ଐଶ୍ବର୍ଯ୍ୟା ରାୟବଚ୍ଚନ ଓ ସୋନୁ ନିଗମ। ସୌଭାଗ୍ୟପ୍ରାପ୍ତି ନିମନ୍ତେ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ନୀଳା ପରିଧାନ କରନ୍ତି। ସେହିପରି ବୃତ୍ତି ଓ ଜୀବନରେ ସଫଳତା ଲାଗି ବଲିଡ୍‌ର ବିଶିଷ୍ଟ ସଙ୍ଗୀତଜ୍ଞ ଏ. ଆର୍‌. ରହମନ୍‌ ନୀଳାଖଚିତ ମୁଦ୍ରିକା ପରିଧାନ କରନ୍ତି। ସବୁପ୍ରକାର ଉଦ୍ୟମ ସତ୍ତ୍ବେ ବଲିଉଡ୍‌ ଚଳଚ୍ଚିତ୍ରରେ ସଫଳତା ହାସଲ ନ କରିବାରୁ ଅଭିଷେକ ବଚ୍ଚନ ନୀଳାଖଚିତ ମୁଦ୍ରିକା ପିନ୍ଧିଥିଲେ ବୋଲି ଚର୍ଚ୍ଚାହୁଏ। ସେହିପରି ମଝି ଆଙ୍ଗୁଠିରେ ନୀଳାଖଚିତ ମୁଦ୍ରିକା ପିନ୍ଧନ୍ତି ଐଶ୍ବର୍ଯ୍ୟା ରାୟବଚ୍ଚନ। ଗାୟନର ଆଦ୍ୟ କାଳରେ ସଫଳତା ହାସଲ କରି ପାରି ନ ଥିବା ଗାୟକ ସୋନୁ ନିଗମ ନୀଳା ପରିଧାନ କରିବା ପରେ ଅଶେଷ ଲୋକପ୍ରିୟତା ଅର୍ଜନ କଲେ ବୋଲି କେତେକ ଦାବି କରନ୍ତି।

ଯେଉଁମାନଙ୍କ ଜାତକରେ ଶନି ଶୁଭ ଓ ଦୁର୍ବଳ ହୋଇଥିବେ ସେମାନେ ନୀଳା ପିନ୍ଧିବା ଉଚିତ। ମକର ଓ କୁମ୍ଭ ଲଗ୍ନକୁ ଶନି ଲଗ୍ନାଧିପତି ହିସାବରେ ଶୁଭଗ୍ରହ। ସେମାନେ ନୀଳା ପିନ୍ଧିପାରିବେ। ତୁଳା ଓ ବୃଷ ଲଗ୍ନକୁ ଶନି ଯୋଗକାରକ ହେତୁ ସର୍ବାଧିକ ଶୁଭଗ୍ରହ। କିନ୍ତୁ ବୃଷ ଅପେକ୍ଷା ତୁଳା ଲଗ୍ନକୁ ଶନି ଅଧିକ ଶୁଭ, କାରଣ ସ୍ଥିର ଲଗ୍ନ ପାଇଁ ନବମାଧିପତି ହିସାବରେ ବୃଷ ଲଗ୍ନକୁ ଶନି ବାଧକ ଗ୍ରହ ମଧ୍ୟ। ତେଣୁ ବୃଷ ଲଗ୍ନଜାତ ବ୍ୟକ୍ତିଙ୍କର ଜାତକରେ ଶନି ନୀଚ, ଅସ୍ତ ଆଦି କାରଣରୁ ଦୁର୍ବଳ ହୋଇଥିଲେ, ସେମାନେ ବିଶେଷତଃ ଶନି ମହାଦଶାରେ ନୀଳା ପିନ୍ଧିବା ସହ ଘୋଡ଼ାନାଲର ମୁଦି ମଧ୍ୟ ପିନ୍ଧିବା ଉଚିତ। ଏହା ବାଧକ ଦୋଷର ପ୍ରଭାବକୁ କିଛି ପରିମାଣରେ ଊଣା କରିପାରିବ। କିନ୍ତୁ ଶନି ତୁଳାରେ ନ ଥିଲେ ତୁଳା ଲଗ୍ନଜାତ ବ୍ୟକ୍ତି ସାରା ଜୀବନ ନୀଳା ପିନ୍ଧିବାରେ କୌଣସି ଅସୁବିଧା ନାହିଁ। ମିଥୁନ ଓ କନ୍ୟା ଲଗ୍ନର ବ୍ୟକ୍ତି ମଧ୍ୟ ଦରକାର ବେଳେ ନୀଳା ପିନ୍ଧିପାରିବେ କାରଣ ମିଥୁନ ଲଗ୍ନକୁ ଶନି ଭାଗ୍ୟାଧିପତି ଓ କନ୍ୟା ଲଗ୍ନକୁ ପଞ୍ଚମାଧିପତି। କିନ୍ତୁ କର୍କଟ, ସିଂହ, ମେଷ, ବିଛା, ଧନୁ ଓ ମୀନ ଲଗ୍ନଜାତ ବ୍ୟକ୍ତି ନୀଳା ପିନ୍ଧିବା ଉଚିତ ନୁହେଁ। ପ୍ରାଚୀନ ଶାସ୍ତ୍ର ଅନୁସାରେ ନୀଳା ଦୁଇ ପ୍ରକାର- ଜଳନୀଳ ଓ ଇନ୍ଦ୍ରନୀଳ। ଯେଉଁ ନୀଳାର ଭିତର ସ୍ବଚ୍ଛ ଓ ଚାରିପଟ ଲଘୁ ନୀଳ ବର୍ଣ୍ଣର ହୋଇଥାଏ, ତାକୁ ଜଳନୀଳ କୁହାଯାଏ। ଯାହାର ଭିତରୁ ଶ୍ୟାମ ଆଭା ବାହାରୁଥାଏ, ବାହାର ନୀଳ ଓ ଭାରୀ ତାହାକୁ ଇନ୍ଦ୍ରନୀଳ କୁହାଯାଏ। ବାସ୍ତବରେ ଏହାର ରଙ୍ଗ ନୀଳ ଓ ଲାଲ ରଙ୍ଗର ମିଶ୍ରଣ ହୋଇଥାଏ।

ସମ୍ବନ୍ଧିତ ଖବର