କାହିଁ କେତେ କାଳରୁ ରାଜପ୍ରାସାଦ ବା ରାଜଉଆସ ପ୍ରତି ଲୋକଙ୍କ ମନେର କୌତୂହଳ ଥିଲା ଏବଂ ଏବେ ବି ରହିଛି। କେହି ଭଲ ଘର ଖଣ୍ଡେ ତୋଳିଲେ ଅନ୍ୟମାନେ କୁହାକୁହି ହୁଅନ୍ତି, ରାଜଉଆସ ତୋଳୁଛି। ରାଜପ୍ରାସାଦରେ ରହିବାକୁ ଯେ ସମସ୍ତଙ୍କର ମନ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଆଜିକାଲି ପ୍ରାଚୀନ ରାଜପ୍ରାସାଦ ପରି ଅଟ୍ଟାଳିକା ଗଢ଼ିବା ଲାଗି କେହି ଆଗ୍ରହୀ ନ ଥିଲେ ବି ସେଥିରେ ରହିବାକୁ ଅନେକଙ୍କର ଇଚ୍ଛା। ଏବେ ସେ ଅଭିଳାଷ ବି ସାକାର ହୋଇପାରୁଛି। ଦେଶର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାର କେତେକ ରାଜପ୍ରାସାଦ ଏବେ ପର୍ଯ୍ୟଟକଙ୍କ ପାଇଁ ଅତିଥି ଭବନ ପାଲଟିଛି। ଅନ୍ତତଃ ଦିନକ ପାଇଁ ବା ରାତିକ ପାଇଁ ହେଉ ପଛେ ଆଗ୍ରହୀ ଲୋକେ ସେଥିରେ ରାଜାରାଜୁଡ଼ାଙ୍କ ଭଳି ଚଳିବାର ଅଭିଜ୍ଞତା ଅର୍ଜନ କରୁଛନ୍ତି।
ଢେଙ୍କାନାଳ ରାଜପ୍ରାସାଦ:
୧୯୯୨ ମସିହାରେ ଓଡ଼ିଶାର ଐତିହ୍ୟ ପର୍ଯ୍ୟଟନ ନିବାସ ସର୍ବପ୍ରଥମେ ଢେଙ୍କାନାଳ ରାଜବାଟୀରେ ବର୍ତ୍ତମାନର ରାଜା ଅମରଜ୍ୟୋତି ସିଂହଦେଓ ଆରମ୍ଭ କରିଥିଲେ। ଢେଙ୍କାନାଳ ସହରରେ ୧୮୩୦ରେ ନିର୍ମିତ ଏହି ରାଜପ୍ରାସାଦ ଉତ୍କୃଷ୍ଟ ସ୍ଥାପତ୍ୟ ଶୈଳୀର ନିଦର୍ଶନ। ଏକ ପ୍ରଶସ୍ତ ଅଞ୍ଚଳରେ ପରିବ୍ୟାପ୍ତ ଓ ଅତି ଯତ୍ନରେ ଦେଖାରଖା କରାଯାଉଥିବା ଏହି ୨୦୦ ବର୍ଷ ପୁରୁଣା ରାଜପ୍ରାସାଦ ସମ୍ପ୍ରତି ପର୍ଯ୍ୟଟକଙ୍କ ଲାଗି ବିଳାସମୟ ଅତିଥି ଭବନରେ ରୂପାନ୍ତରିତ ହୋଇଛି। ଦେଶବିଦେଶର ଅତିଥିମାନଙ୍କ ରହଣି ପାଇଁ ୧୫ଟି ସୁବ୍ୟବସ୍ଥିତ କୋଠରି ରହିଛି। ଏଥିପାଇଁ କୋଠରି ପିଛା ଦୈନିକ ଦେୟ ୧୧,୦୦୦ରୁ ଆରମ୍ଭ କରି ୧୫,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ରାଜକୀୟ ଅତିଥି ଭବନ ସଂପର୍କରେ ରାଜା ଅମରଜ୍ୟୋତି ସିଂହଦେଓ କହନ୍ତି, “ସ୍ଥାନୀୟ ଅଞ୍ଚଳର ପରମ୍ପରା, ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟର ବିକାଶ କ୍ଷେତ୍ରରେ ଏଭଳି ଐତିହ୍ୟ ପର୍ଯ୍ୟଟନ ନିବାସର ଅନେକ ଅବଦାନ ରହିଛି। ଏଠାକୁ ଆସି ବିଗତ ଦିନର ରାଜବଂଶୀୟ ଚଳଣି ଓ ରାଜପ୍ରାସାଦ ସଂକ୍ରାନ୍ତ ଅନେକ ବାସ୍ତବତାକୁ ପରଖିବାର ଅବସର ମିଳିଥାଏ। ଏଠାରେ ଅତିଥିମାନଙ୍କୁ ପରିବେଷଣ କରାଯାଉଥିବା ବ୍ୟଞ୍ଜନ ଜୈବିକ କୃଷି ପଦ୍ଧତିରେ ଉତ୍ପାଦିତ ଫସଲରେ ପ୍ରସ୍ତୁତ କରାଯାଇଥାଏ। ବିଭିନ୍ନ ବ୍ୟଞ୍ଜନ ମଧ୍ୟରୁ ଦହି-ବାଇଗଣ ଅତିଥିଙ୍କ ପାଇଁ ଖୁବ୍ ତୃପ୍ତିକର। ବର୍ଷର ସବୁ ସମୟରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।’’
ରାଜାରାଜୁଡ଼ା ଅମଳର ପ୍ରାଚୀନ କାରୁକାର୍ଯ୍ୟ ଓ ପରମ୍ପରା ଏହି ରାଜପ୍ରାସାଦର ପ୍ରମୁଖ ଆକର୍ଷଣ। ଏହାର କୋଠରିରେ ପ୍ରଦର୍ଶିତ ଅନେକ ରାଜକୀୟ ଆସବାବପତ୍ର ଓ ସ୍ମାରକୀ ଖୁବ୍ ଚିତ୍ତାକର୍ଷକ। େଢଙ୍କାନାଳ ରହଣି ବେଳେ ପର୍ଯ୍ୟଟକ ସପ୍ତଶଯ୍ୟା, କପିଳାସ ଓ ମହିମା ଧର୍ମପୀଠ ଯୋରନ୍ଦା ଭ୍ରମଣରେ ଯାଇପାରିବେ।
ବେଲଗାଡ଼ିଆ ରାଜପ୍ରାସାଦ:
ବାରିପଦା ସହରରେ ଅବସ୍ଥିତ ଏହି ଅତ୍ୟନ୍ତ ରମଣୀୟ ରାଜପ୍ରାସାଦ ବା ରାଣୀମହଲ ହେଉଛି ପୂର୍ବତନ ଗଡ଼ଜାତ ମୟୂରଭଞ୍ଜର ଶାସକ ଭଞ୍ଜଦେଓ ରାଜ ପରିବାରର ବାସଭବନ। ୧୮୦୪ରେ ମହାରାଣୀ ସୁମିତ୍ରା ଦେବୀଙ୍କ ନିମନ୍ତେ ତତ୍କାଳୀନ ରାଜା ପର୍ବତ ଚୂଡ଼ାରେ କଲିକତାର ଭିକ୍ଟୋରିଆ ମେମୋରିଆଲ୍ ଶୈଳୀରେ ଏହି ଦ୍ବିତଳ ପ୍ରାସାଦ ନିର୍ମାଣ କରାଇଥିଲେ। ୨୦୧୬ରେ ଏହି ପ୍ରାସାଦର ଗୋଟିଏ ପାର୍ଶ୍ବକୁ ଅତ୍ୟାଧୁନିକ ଐତିହ୍ୟ ବୁଟିକ୍ ହୋଟେଲ୍ରେ ରୂପାନ୍ତରଣ କରାଯାଇଛି। ବିଶାଳ ଉଦ୍ୟାନ ପରିବେଷ୍ଟିତ ବିସ୍ତୃତ ଘାସଗାଲିଚା ମଝିରେ ଏହି ପ୍ରାସାଦ ଅବସ୍ଥିତ। ବେଲଗାଡ଼ିଆ ପ୍ରାସାଦକୁ ଆଧୁନିକ ଶୈଳୀରେ ପୁନଃନବୀକରଣ କରାଯାଇଥିଲେ ବି ଏହାର ପ୍ରାଚୀନ ସୌନ୍ଦର୍ଯ୍ୟକୁ ଅତୁଟ ରଖାଯାଇଛି। ପର୍ଯ୍ୟଟକଙ୍କ ଲାଗି ଏଠାରେ ରହିଛି ୧୧ଟି ବିଳାସମୟ କୋଠରି। ଏଠାରେ ଅପରାହ୍ଣ ୨ଟାରୁ ନେଇ ପରଦିନ ସକାଳ ୧୧ଟା ପର୍ଯ୍ୟନ୍ତ ରହଣି ଲାଗି କୋଠରି ପିଛା ଦେୟ ୧୩,୫୦୦ରୁ ୧୬୦୦୦ ଟଙ୍କା। ଏଠାରେ ଅତିଥିମାନଙ୍କ ଲାଗି ସୁଇମିଙ୍ଗ୍ ପୁଲ୍, ବିଲିଆଡ୍ କୋଠରି ଆଦି ରହିଛି। ଆପଣ ଯଦି ପୁସ୍ତକପ୍ରେମୀ, ତେବେ ପ୍ରାସାଦର ପାଠାଗାରରେ ପୁରୁଣା ବହି ସହ ସମୟ ବିତାଇ ପାରିବେ। ଅବସ୍ଥାନ କାଳରେ ଶିମିଳିପାଳ ଜାତୀୟ ଉଦ୍ୟାନକୁ ଭ୍ରମଣରେ ଯାଇ ସ୍ଥାନୀୟ ଜନଜାତିଙ୍କ ସହିତ ଭାବ ବିନିମୟ କରିପାରିବେ। ଅତୀତରେ ଜେ.ଏନ୍. ଟାଟା, ପଶ୍ଚିମବଙ୍ଗ ନବଜାଗରଣର ପ୍ରଖ୍ୟାତ ନେତା କେଶବ ଚନ୍ଦ୍ର ସେନ୍, ବିଶ୍ବକବି ରବୀନ୍ଦ୍ରନାଥ ଠାକୁର, ବ୍ରିଟେନ୍ର ରାଣୀ କ୍ୟାମିଲା ପାର୍କର୍ଙ୍କ ଭାଇ ମାର୍କ ସାଣ୍ଡ୍ ଓ ନେପାଳ ମହାରାଜା ଜ୍ଞାନେନ୍ଦ୍ର ଶାହାଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିମାନେ ଏହି ରାଣୀମହଲରେ ଅତିଥି ହୋଇଛନ୍ତି।
ପାରିକୁଦ ରାଜନଅର:
୧୭୯୮ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ୍ ଆକ୍ରମଣରୁ ରକ୍ଷା ପାଇବାକୁ ଚିଲିକା ମଝିରେ ଥିବା ପାରିକୁଦ ଦ୍ବୀପରେ ଏହି ରାଜନଅର ନିର୍ମାଣ କରାଯାଇଥିଲା। ଏହାର ପ୍ରତିଷ୍ଠାତା ମହାରାଜା ଭାଗୀରଥୀ ମାନସିଂହ। ସେ ଥିଲେ ରାଜସ୍ଥାନର ମୂଳ ବାସିନ୍ଦା ଏବଂ ଓଡ଼ିଶା ଆସିବା ପରେ ତାଙ୍କର ସାଙ୍ଗିଆ ପରିବର୍ତ୍ତନ ହୋଇ ଦେଓ ହୋଇଥିଲା। ବାଣପୁର ବାଙ୍କରାଗଡ଼ ଥିଲା ରାଜାଙ୍କର ଗଡ଼ଜାତ ରାଜ୍ୟ ଏବଂ ପାରିକୁଦରୁ ନେଇ ବରବରା ଜଙ୍ଗଲ ପର୍ଯ୍ୟନ୍ତ ଲମ୍ବିଥିଲା ଏହାର ସୀମା।
୨୦୧୨ ମସିହାରେ ପାରିକୁଦ ରାଜନଅରକୁ ବର୍ତ୍ତମାନର ରାଜା ସନ୍ତୋଷ ଚନ୍ଦ୍ର ଦେଓ ଐତିହ୍ୟ ପର୍ଯ୍ୟଟନ ନିବାସରେ ପରିଣତ କରିଥିଲେ। ରାଜନଅରରେ ୫ଟି କୋଠରି ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ। ଅକ୍ଟୋବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଏହି ଐତିହ୍ୟ ନିବାସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାରହେ। ଏଠାରେ ଦିନକର ରହଣି ଲାଗି ଅତିଥିଙ୍କୁ ୬୦୦୦ ଟଙ୍କାରୁ ୮୦୦୦ ଟଙ୍କା ଦେବାକୁ ହୋଇଥାଏ। ଉଲ୍ଲେଖନୀୟ କଥା ହେଉଛି, ଏହା ହେଉଛି ଦ୍ବୀପରେ ଥିବା ରାଜ୍ୟର ଏକମାତ୍ର ଐତିହ୍ୟ ପର୍ଯ୍ୟଟନ ନିବାସ। ଅତିଥିମାନଙ୍କୁ ଏଠାରେ ଚିଲିକା କଙ୍କଡା, ମାଛ ଓ ଚିଙ୍ଗୁଡ଼ିର ସୁସ୍ବାଦୁ ବ୍ୟଞ୍ଜନ ପରଷାଯାଏ। ପାରିକୁଦ ଆସୁଥିବା ପର୍ଯ୍ୟଟକ ଚିଲିକାର କାଳିଜାଈ ଓ ରାଜହଂସ ଦ୍ବୀପର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଦେଶବିଦେଶର ପକ୍ଷୀ, ଡଲ୍ଫିନ୍ ଓ ଲାଲ୍ କଙ୍କଡ଼ା ଦେଖିବାର ସୁଯୋଗ ପାଆନ୍ତି ବୋଲି କହନ୍ତି ସନ୍ତୋଷ ଚନ୍ଦ୍ର ଦେଓ।
ଆଳି ରାଜବାଟୀ:
କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଖରସ୍ରୋତା ନଦୀତଟରେ ଅବସ୍ଥିତ ଏହି ଭବ୍ୟ ରାଜପ୍ରାସାଦରେ ପୁରାତନ ସ୍ଥାପତ୍ୟର ନୈପୁଣ୍ୟ ଓ ରଙ୍ଗିନ ପ୍ରାଚୀର ଚିତ୍ର ଦେଖିବାକୁ ମିଳେ। କଟକରୁ ପ୍ରାୟ ୧୦୦ କିଲୋମିଟର ଦୂର ଆଳିରେ ଅବସ୍ଥିତ ଏହି ରାଜବାଟୀ ପରିସରରେ ରାଣୀମହଲ, ଘୋଡ଼ାଶାଳ, ଚାନ୍ଦିନୀ ଆଦି ରହିଛି । ୨୦୧୨ ମସିହାେରେ ରାଜା ବ୍ରଜକେଶରୀ ଦେବ ରାଜପ୍ରାସାଦର କେତୋଟି କୋଠରିକୁ ଐତିହ୍ୟ ପର୍ଯ୍ୟଟନ ନିବାସରେ ରୂପାନ୍ତର କରାଇଥିଲେ। ରହିଣି ଲାଗି ପ୍ରତି ଦୁଇଜଣ ପର୍ଯ୍ୟଟକଙ୍କୁ ଗୋଟିଏ କୋଠରି ପାଇଁ ଦୈନିକ ୮୦୦୦ରୁ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼େ। ଏଠାକୁ ଦିଲ୍ଲୀ, ମୁମ୍ବାଇ, ଗୁଜରାଟ ଓ କୋଲ୍କାତା ସମେତ ପଶ୍ଚମ ୟୁରୋପ୍, ବେଲ୍ଜିୟମ୍, ଜର୍ମାନି, ଇଂଲଣ୍ଡ୍ ପ୍ରଭୃତି ଦେଶରୁ ପର୍ଯ୍ୟଟକମାନେ ଆସିଥାନ୍ତି। ରାଜା ବ୍ରଜକେଶରୀ ଦେବ କହନ୍ତି, “ଏହି ଐତିହ୍ୟ ପର୍ଯ୍ୟଟନ ନିବାସ ଆଞ୍ଚଳିକ ଇତିହାସର ପ୍ରଚାର ଓ ପ୍ରସାର କରିବା ସହିତ ବିସ୍ମୃତ କିଂବଦନ୍ତିକୁ ଉଜ୍ଜୀବିତ କରୁଛି। ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେଉଛି। ରାଜବାଟି ଅଦୂରରେ ଅବସ୍ଥିତ ଶ୍ରୀଲକ୍ଷ୍ମୀବରାହ ମନ୍ଦିର ୩୫୦ ବର୍ଷର ସଂସ୍କୃତିକୁ ଧରି ରଖିଛି। ତେଣୁ, ଐତିହ୍ୟ ସୁରକ୍ଷା ପାଇଁ ଏଭଳି ପର୍ଯ୍ୟଟନ ନିବାସର ଯଥେଷ୍ଟ ଆବଶ୍ୟକତା ରହିଛି। ମଧ୍ୟପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା, ଓ ରାଜସ୍ଥାନ ରାଜ୍ୟରେ ବହୁ ଆଗରୁ ସେମାନେ ନିଜ ନିଜର ପ୍ରାସାଦରେ ଏଭଳି ଐତିହ୍ୟ ପର୍ଯ୍ୟଟନ ନିବାସ ପରିଚାଳନା କରି ଆସୁଛନ୍ତି। ରାଜ ପରିବାର ଯଦି ଏସବୁ ଐତିହ୍ୟର ସୁରକ୍ଷା ନ କରିବେ, କରିେବ କିଏ?” ଏଠାରେ ରହି ଜଳପଥରେ ଭିତର କନିକା ଜାତୀୟ ଉଦ୍ୟାନକୁ ଯାଇହେବ। ଯଦି ବାହାରେ ବୁଲାବୁଲି କରିବାକୁ ଚାହିଁବେ ତେବେ ସାଇକେଲ୍ ଟୁର୍ରେ ଯାଇପାରିବେ, ପ୍ରାକୃତିକ ପରିବେଷ୍ଟନୀରେ ଚାଲି ଚାଲି ବୁଲିପାରିବେ ପାରିବେ ଏବଂ ନୌକାରେ ବସି ଖରସ୍ରୋତା ନଦୀରେ ବୁଲିପାରିବେ ।
ଡାଳିଯୋଡ଼ା ରାଜପ୍ରାସାଦ:
କଟକ ସହର ଉପକଣ୍ଠ ଚୌଦ୍ୱାର-ଚାରବାଟିଆ ରାସ୍ତାରେ ଥିବା ଡମଡ଼ମଣି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଡାଳିଯୋଡ଼ାରେ ପଞ୍ଚକୋଟ ରାଜାଙ୍କର ପୁରାତନ ରାଜବାଟୀ ଅବସ୍ଥିତ। ୧୯୩୧ରେ ଆରମ୍ଭ ହୋଇ ୧୯୩୩ରେ ଶେଷ ହୋଇଥିବା ଏହି ପ୍ରାସାଦକୁ ପଞ୍ଚକୋଟର କାଶୀପୁର ରାଜାଙ୍କ ପୂର୍ବଜମାନେ ଶିକାର ଓ ଗ୍ରୀଷ୍ମାବକାଶ ନିମନ୍ତେ ବ୍ୟବହାର କରୁଥିଲେ। ୨୦୧୨ ମସିହାରେ ରାଜା ଦେବଜିତ ସିଂହଦେଓ ଏହି ରାଜବାଟୀକୁ ଐତିହ୍ୟ ପର୍ଯ୍ୟଟନ ନିବାସରେ ପରିଣତ କରିଥିଲେ। ପର୍ଯ୍ୟଟକଙ୍କ ରହଣି ଲାଗି ରାଜବାଟୀର ୬ଟି କୋଠରିକୁ ଅତିଥି ଭବନ ଭାବେ ରୂପାନ୍ତର କରାଯାଇଛି। ଗୋଟିଏ ଦିନ ବା ୨୪ ଘଣ୍ଟା ରହଣି ପାଇଁ କୋଠରି ପିଛା ୮୫୦୦ ଟଙ୍କା ଦେବାକୁ ପଡ଼ିଥାଏ। ରାଜ ପରିବାର ବି ଏହି ପ୍ରାସାଦରେ ରହୁଛନ୍ତି। ପର୍ଯ୍ୟଟକମାନେ ନିଶ୍ଚୟ ଏଠାରେ ରାଜକୀୟ ରହଣିର ସମ୍ଭ୍ରାନ୍ତୀୟ ଅନୁଭବ ପାଇପାରିବେ।
ଏଠାରେ ନିରାମିଷ ଓ ଆମିଷ ଭୋଜନ ବ୍ୟବସ୍ଥା ରହିଛି। କିନ୍ତୁ, ପ୍ରାସାଦର ଅଧିଷ୍ଠାତ୍ରୀ ଦେବୀ ବଗଳାମୁଖୀ କୋପ କରିବେ ବୋଲି ପ୍ରଚଳିତ ବିଶ୍ବାସ କାରଣରୁ ଏଠାରେ କୁକୁଡ଼ା କି, କୁକୁଡ଼ାଅଣ୍ଡା ରନ୍ଧା ହୁଏନାହିଁ। ଏହି ପ୍ରାସାଦକୁ ବେଢ଼ି ରହିଥିବା ଅରଣ୍ୟ ବର୍ତ୍ତମାନ କପିଳାସ ହସ୍ତୀ ଅଭୟାରଣ୍ୟର ଅଂଶବିଶେଷ। ରାଜବାଟୀରେ ଥିବା ବାଘଧରା ଯନ୍ତା ଦେଖିବା ଭଳି ଜିନିଷଟିଏ। ଏହାଛଡ଼ା ଏଠାରେ ପ୍ରାଚୀନ ଅମଳର ଖଟ, ଟେବୁଲ୍, ପାଣି ଗରମ ପାତ୍ର, ପଙ୍ଖା ଓ ଆଲୋକ ଜାଳିବା ଉପକରଣ ସାଇତା ହୋଇଥିବା କହନ୍ତି ଦେବଜିତ ସିଂହଦେଓ।
ମହୋଦଧି ପାଲେସ୍:
ଡାଳିଯୋଡ଼ା ରାଜପ୍ରାସାଦ ସହିତ ପୁରୀ ମହୋଦଧି ପାଲେସ୍ର ଇତିହାସ ଜଡ଼ିତ। ପୁରୀ ବେଳାଭୂମି ରାସ୍ତା ପାର୍ଶ୍ବରେ ଅବସ୍ଥିତ ଏହି ପ୍ରାସାଦ ଏକଦା ପଞ୍ଚକୋଟ ରାଜ ପରିବାରର ପୁରୀ ରହଣିସ୍ଥଳ ଥିଲା। ବର୍ଷାଋତୁ ଆଗମନ ସମୟରେ ଡାଳିଯୋଡ଼ା ରାଜବାଟୀରୁ ପଞ୍ଚକୋଟ କାଶୀପୁର ରାଜା ଓ ତାଙ୍କ ପରିବାର ପୁରୀକୁ ଆସି ଏଠାରେ ଅବସ୍ଥାନ କରୁଥିଲେ। ପୁରୀରେ ରଥଯାତ୍ରା ଦେଖିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରି ପଞ୍ଚକୋଟ ଫେରିଯାଉଥିଲେ।
ସମୟକ୍ରମେ ଏହି ରାଜବଂଶର ଦାୟାଦମାନଙ୍କର ଆୟ କମିଗଲା ଏବଂ ୧୯୭୭ ମସିହାରେ ଏହି ଜମିର ଲିଜ୍ ସମୟ ଅବଧି ମଧ୍ୟ ଶେଷ ହୋଇଗଲା। ସେମାନେ ଆଉ ଏହାର ପୁନଃନବୀକରଣ ଲାଗି ସରକାରଙ୍କୁ ଆବେଦନ କରିବାକୁ ମନବଳାଇଲେ ନାହିଁ। ଶେଷର ଏହା ରାଜ୍ୟ ସରକାରଙ୍କ ଅଧୀନକୁ ଚାଲିଗଲା। ଏବେ କାମାତ୍ ହୋଟେଲ୍ସ୍ ଏହାକୁ ହେରିଟେଜ୍ ରିସର୍ଟରେ ରୂପାନ୍ତର କରିଛି। ଏଥିରେ ଥିବା କୋଠରି ଓ ସୁଟ୍ଗୁଡ଼ିକରେ ରାଜକୀୟ ସୌନ୍ଦର୍ଯ୍ୟ ରହିଥିବା ବେଳେ ବିଳାସମୟ ଆଧୁନିକ ଉପକରଣ ବି ଲାଗିଛି। ମୁଖ୍ୟ ଅଟ୍ଟାଳିକା ଛଡ଼ା ବଗିଚା ଭିତରେ କାଠରେ ନିର୍ମିତ କୁଟୀର ଓ ଭିଲ୍ଲା ରହିଛି। ସମ୍ପୂର୍ଣ୍ଣ ନବୀକରଣ କାର୍ଯ୍ୟ ଲାଗି ସମ୍ପ୍ରତି ଏହାକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଛି ବୋଲି ସଂସ୍ଥାର ବରିଷ୍ଠ ପରିଚାଳକ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି।
ସଜେଇ ହେବ ନୀଳଗିରି ରାଜପ୍ରାସାଦ:
ବାଲେଶ୍ବର ଜିଲ୍ଲା ନୀଳଗିରିରେ ଏକ ଆକର୍ଷଣୀୟ ରାଜପ୍ରାସାଦ ରହିଛି। ଏଠାରେ ଐତିହ୍ୟ ପର୍ଯ୍ୟଟନ ନିବାସ ପାଇଁ ଯୋଜନା କରାଯାଉଛି। ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ କହିଛନ୍ତି, ଅାସନ୍ତା ପର୍ଯ୍ୟଟନ ଋତୁ ବେଳକୁ ନୀଳଗିରି ରାଜପ୍ରାସାଦରେ ବିଧିବଦ୍ଧ ଭାବେ ‘େହାମ୍ ଷ୍ଟେ’ ବ୍ୟବସ୍ଥାର ଲୋକାର୍ପଣ କରାଯିବ ଏବଂ ବୁକିଂ ପାଇଁ ସ୍ବତନ୍ତ୍ର ୱେବ୍ସାଇଟ୍ ରହିବ। ଓଡ଼ିଶାର ରାଜାମାନେ ନିଜ ନିଜ ରାଜପ୍ରାସାଦରେ ‘ହେରିଟେଜ୍ ଟୁରିଜିମ୍’ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏନେଇ ଆଗ୍ରହ ଦେଖାଇନାହିଁ। ଫଳରେ ଏକାଧିକ ରାଜା ନିଜ ଉଦ୍ୟମରେ ସେମାନଙ୍କର ରାଜପ୍ରାସାଦରେ ‘ହୋମ୍ ଷ୍ଟେ’ ବ୍ୟବସ୍ଥା କରିଛନ୍ତି। ସୂଚନାଯୋଗ୍ୟ, ବ୍ରିଟିଶ୍ ଅମଳରେ ନୀଳଗିରି ଗଡ଼ଜାତ ରାଜ୍ୟ ଥିଲା। ୧୯୪୭ ମସିହା ନଭେମ୍ବର ୧୪ରେ ଏହା ଭାରତ ସହିତ ମିଶିଥିଲା।
ରାଜବାଟୀ, କିନ୍ତୁ ଚଟାଣ ଗୋବରରେ ଲିପାହୁଏ
ଅବସ୍ଥା ଚକ୍ରରେ ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ଡାଳିଯୋଡ଼ା ରାଜବାଟୀ ୨୦୦୪ ମସିହାରେ ପ୍ରାକୃତିକ ଐତିହ୍ୟ ପର୍ଯ୍ୟଟନ ନିବାସରେ ପରିଣତ ହୋଇଥିଲା। ଆଜି ଏଠାକୁ ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ବିସ୍ମୟଜନକ କଥାଟି ହେଲା, ଏଠାରେ ଥିବା ଅତିଥି ସତ୍କାର ଗୃହର ଚଟାଣ ମାଟିର ଏବଂ ନିୟମିତ ଗୋବରପାଣିରେ ଲିପା ହୋଇଥାଏ। ଗୋମୟକୁ ଆମେ ଶୁଭ ଓ ପବିତ୍ର ମାନିଥାଉ ବୋଲି କହନ୍ତି ଏହାର ସ୍ବତ୍ବାଧିକାରୀ ଦେବଜିତ ସିଂହଦେଓ। ବର୍ତ୍ତମାନର ମାର୍ବଲ-ସେରାମିକ୍ ଟାଇଲ୍ ଚଟାଣର ଯୁଗରେ ଅତିଥିମାନେ ମାଟିଗୋବରର ଚଟାଣରେ ରହିବାର ଆନନ୍ଦ ନେଉଥିବା ନିଶ୍ଚିତ ଭାବେ ଉତ୍ସାହଜନକ। ପ୍ରକୃତି କୋଳରେ ମାଟି ସହ ଏକାଠି ହେବାର ଏକ ନିଆରା ଅବସର ଦେଉଛି ଡାଳିଯୋଡ଼ା।
ପ୍ରେମର ସ୍ମାରକୀ ବେଲଗାଡ଼ିଆ
ମୟୂରଭଞ୍ଜର ଯୁବରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ବଙ୍ଗୀୟ ସାଂସ୍କୃତିକ ନବଜାଗରଣର ଅନ୍ୟତମ ପୁରୋଧା ତଥା ବ୍ରାହ୍ମସମାଜର ପ୍ରବର୍ତ୍ତକ କେଶବ ଚନ୍ଦ୍ର ସେନଙ୍କ କନ୍ୟା ସୁଚାରୁ ଦେବୀଙ୍କର ପ୍ରେମ ଓ ପ୍ରଣୟର କାହାଣୀ ଅତ୍ୟନ୍ତ ରୋମାଞ୍ଚକର। ୧୮୮୯ରେ ପ୍ରଥମ ସାକ୍ଷାତ୍ ଓ ବିବାହ ପ୍ରସ୍ତାବ ପରେ ମୟୂରଭଞ୍ଜ ରାଜପରିବାରର ବିରୋଧ କାରଣରୁ ଅନ୍ୟତ୍ର ବିବାହ ଏବଂ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୧୯୦୪ ମସିହାରେ ସୁଚାରୁ ଓ ଶ୍ରୀରାମଚନ୍ଦ୍ରଙ୍କର ବିବାହ ଯେତିକି ନାଟକୀୟ ସେତିକି ରୋମାଞ୍ଚକର। ମହରାଜା ଶ୍ରୀରାମଚନ୍ଦ୍ର ଦେବ ସୁଚାରୁ ଦେବୀଙ୍କ ପାଇଁ ବାରିପଦା ରାଜବାଟୀ ଠାରୁ ପ୍ରାୟ ଏକ କି.ମି. ଦୂରରେ ଥିବା ବେଲଗାଡ଼ିଆ ଉଆସର ନବୀକରଣ କରାଇଥିଲେ। ୧୯୧୨ରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଆକସ୍ମିକ ମୃତ୍ୟୁ ପରେ ସୁଚାରୁ ଦେବୀ ବହୁବାର ବାରିପଦା ଆସି ବେଲଗାଡ଼ିଆ ଉଆସରେ ରହିଛନ୍ତି। ଆଜି ମଧ୍ୟ ଏହି ଉଆସର କୋଣ ଅନୁକୋଣରେ ସୁଚାରୁ ଦେବୀଙ୍କର ଅଙ୍କିତ ଚିତ୍ରକଳା ଓ ଗୃହସଜ୍ଜାର ମନୋରମ ବିନ୍ୟାସ ଦେଖିବାକୁ ମିଳେ।
ଡାଳିଯୋଡ଼ା ଇଷ୍ଟେଟ୍ର ଜନ୍ମ କାହାଣୀ
ଡାଳିଯୋଡ଼ାର ରହିଛି ବିଶେଷ ଇତିହାସ। ଏହି ରାଜବଂଶର ପୂର୍ବଜମାନେ ଓଡ଼ିଶାର ମୂଳ ବାସିନ୍ଦା ନୁହନ୍ତି। ଏମାନେ ପଶ୍ଚିମବଙ୍ଗର ପୁରୁଲିଆ ଅନ୍ତର୍ଗତ ପଞ୍ଚକୋଟର କାଶୀପୁର ରାଜପରିବାର ଦାୟାଦ। ଏକଦା ଆସନ୍ସୋଲ୍ ଓ ରାଣୀଗଞ୍ଜ ପ୍ରଭୃତି ସ୍ଥାନରେ ଅନେକ କୋଇଲା ଖାଦାନ ଏହି ରାଜ ପରିବାର ଅଧୀନରେ ରହିଥିଲା। କାଶୀପୁର ରାଜା ଜ୍ୟୋତିପ୍ରସାଦ ସିଂହଦେଓଙ୍କ ସାନପୁଅ ଅଜିତପ୍ରସାଦ ସିଂହଦେଓ ଓଡ଼ିଶାର ବାମଣ୍ଡା ରାଜକୁମାରୀଙ୍କୁ ବିବାହ କରିଥିଲେ। ଥରେ ରାଜା ଜ୍ୟୋତିପ୍ରସାଦ ଶିକାର କରିବାକୁ ବାମଣ୍ଡା ଆସୁଥିଲେ, କିନ୍ତୁ ସେତେବେଳେ ବ୍ରିଟିଶ୍ କର୍ତ୍ତୃପକ୍ଷଙ୍କ ଅନୁମତି ନ ମିଳିବାରୁ ଫେରିଯାଇଥିଲେ। ପରେ ଘନିଷ୍ଠ ବନ୍ଧୁ ତାଳଚେର ରାଜାଙ୍କ ସହାୟତାରେ ସେ ଓଡ଼ିଶାର ଡାଳିଯୋଡ଼ା ଇଷ୍ଟେଟ୍କୁ କିଣିଲେ। ଏଠାକୁ ରାଜା ଜ୍ୟୋତିପ୍ରସାଦ ଗ୍ରୀଷ୍ମ ଅବକାଶ ଓ ଶିକାର ପାଇଁ ଆସୁଥିଲେ। ଡାଳିଯୋଡ଼ା ଇଷ୍ଟେଟ୍ ୧୧୦୦୦ ଏକର ପରିମିତ ଜଙ୍ଗଲ ଓ ଚାଷ ଜମିରେ ପରିବ୍ୟାପ୍ତ। ଜ୍ୟୋତିପ୍ରସାଦଙ୍କ ସମୟରୁ ପଞ୍ଚକୋଟ କାଶୀପୁର ରାଜାମାନେ ଏଠାକୁ ଶିକାର କରିବାକୁ ଆସି ହୋଲି ପର୍ଯ୍ୟନ୍ତ ରହିଥାନ୍ତି। ରହଣି ସମୟରେ ସେମାନେ ଓଡ଼ିଶାର ଅନ୍ୟ ରାଜପରିବାର ସହିତ ଏକତ୍ର ହୋଇ ଶିକାର କରନ୍ତି ଓ ଆନନ୍ଦ ଉତ୍ସବ ପାଳନ୍ତି। ମାତ୍ର ସମୟ ପ୍ରବାହରେ ପରିସ୍ଥିତି ବଦଳିଗଲା। ୧୯୭୨ ମସିହାରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଆସିବା ପରେ ଶିକାର ବନ୍ଦ ହୋଇଗଲା। ୧୯୭୩-୭୪ ମସିହାରେ କୋଇଲା ଖଣି ଖାଦାନ ସବୁ ଜାତୀୟକରଣ ହୋଇ ସରକାରଙ୍କ ଅଧୀନକୁ ଚାଲିଗଲା। ଏପରିକି ଡାଳିଯୋଡ଼ା ଇଷ୍ଟେଟ୍ରେ ରହିଥିବା ୫୦୦୦ ହଜାର ଏକର ଘଞ୍ଚ ଜଙ୍ଗଲ ଜମି ସରକାରଙ୍କ ଦାଖଲକୁ ଚାଲିଗଲା। ତେଣୁ, ରାଜା ଜ୍ୟୋତିପ୍ରସାଦ ସିଂହଦେଓଙ୍କ ଉତ୍ତରାଧିକାରୀମାନେ ଡାଳିଯୋଡ଼ା ଆସି ଅଧିକ ଅର୍ଥ ବ୍ୟୟ କରିବାକୁ ଚାହିଁଲେ ନାହିଁ। କ୍ରମେ ଡାଳିଯୋଡ଼ା ରାଜବାଟୀ ପରିତ୍ୟକ୍ତ ହୋଇଗଲା।
(ତଥ୍ୟ ସହାୟତା: ରୁଦ୍ର ରଞ୍ଜନ ଶେଜପଡ଼ା)