ରାଜଧାନୀରେ ଶିଶୁପୁତ୍ର ବିକ୍ରି ଘଟଣାର ପର୍ଦ୍ଦାଫାସ୍: ମାଳିସାହିରୁ ଉଦ୍ଧାର ହେଲା ଶିଶୁ

ନିଃସନ୍ତାନ ହୋଇଥିବାରୁ କିଣି ନେଇଥିଲେ ମହିଳା
ଅର୍ଥାଭାବରୁ ଦମ୍ପତି ବିକ୍ରି କରି ଦେଇଥିବା ସନ୍ଦେହ
ଉଦ୍ଧାର ଶିଶୁକୁ ପୋଷ୍ୟ ସନ୍ତାନ କେନ୍ଦ୍ରରେ ଛଡ଼ାଗଲା

ଭୁବନେଶ୍ବର : ରାଜଧାନୀ ଫୁଟପାଥ୍‌ରେ ଜୀବନ ବିତାଉଥିବା ଏକ ଅଣଓଡ଼ିଆ ଦମ୍ପତିଙ୍କର କରୋନା ଯୋଗୁଁ ରୋଜଗାର ବନ୍ଦ ହୋଇଯାଇଛି। ଭାଙ୍ଗି ଯାଇଛି ଆର୍ଥିକ ମେରୁଦଣ୍ଡ। ଦୁଇ ଛୁଆଙ୍କୁ ଧରି ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଓଳିଏ ମାଗିଯାଚି ଖାଇଲେ ଆଉ ଓଳିଏ ଉପାସ ରହିବାକୁ ପଡ଼ୁଛି। କିଛି ବାଟ ନ ପାଇ ସେମାନେ ନିଜର ୬ ଦିନର ଶିଶୁପୁତ୍ରକୁ ବିକ୍ରି କରିବାକୁ ବାଧ୍ୟ ହୋଇିଲେ। ଆଉ ଜଣେ ନିଃସନ୍ତାନ ମହିଳା ୧୦ ହଜାର ଟଙ୍କା ଦେଇ ଶିଶୁପୁତ୍ରକୁ ସେମାନଙ୍କ ଠାରୁ କିଣି ନେଇଥିଲେ। ରାଜଧାନୀର କେନ୍ଦ୍ରସ୍ଥଳ ମାଷ୍ଟରକ୍ୟାଣ୍ଟିନରେ ଶିଶୁପୁତ୍ର ବିକ୍ରି ଘଟଣାର ୨୪ ଘଣ୍ଟା ଭିତରେ ଏହାର ପର୍ଦ୍ଦାଫାସ୍ କରିଛି ଚାଇଲ୍ଡଲାଇନ୍ ଓ କମିସନରେଟ ପୁଲିସ। ଆଜି ସକାଳୁ ପ୍ରାୟ ୬ ଘଣ୍ଟା ଧରି ଖୋଜାଖୋଜି ଚାଲିବା ପରେ ମାଳିସାହି ଅଞ୍ଚଳର କିଣିଥିବା ମହିଳାଙ୍କଠାରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଏ ସଂକ୍ରାନ୍ତରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ସେହିପରି ଉଦ୍ଧାର ଶିଶୁପୁତ୍ରକୁ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି)ରେ ହାଜର ପରେ ସୁଭଦ୍ରା ମହତାବ ସେବା ସଦନ ପୋଷ୍ୟ କେନ୍ଦ୍ରରେ ଛଡ଼ା ଯାଇଥିବା ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି। କିନ୍ତୁ ବିକ୍ରି କରିଥିବା ଦମ୍ପତିଙ୍କୁ ଏଯାଏ ପୁଲୁସ ଠାବ କରିପାରି ନାହିଁ।

ମିଳିଥିବା ସୂଚନା ଅନୁସାରେ, ଶିଶୁପୁତ୍ର ବିକ୍ରି କରିଥିବା ଦମ୍ପତି ରେଳ ଷ୍ଟେସନ ଅଞ୍ଚଳରେ ରହନ୍ତି। ସେମାନେ କାମ କରି ପେଟ ପୋଷନ୍ତି। ସେମାନଙ୍କର ଦୁଇଟି ଛୁଆ ଥିବା ବେଳେ ୬ ଦିନ ତଳେ ଶିଶୁପୁତ୍ର ଜନ୍ମ ହୋଇଥିଲା। ତେବେ ତିନିଟି ପିଲାଙ୍କୁ ଚଳାଇବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇ ପଡ଼ିଥିଲା ବୋଲି ସ୍ଥାନୀୟ ଲୋକଙ୍କଠାରୁ ପୁଲିସ ଓ ଚାଇଲ୍ଡଲାଇନ୍ କର୍ମକର୍ତ୍ତାମାନେ ଜାଣିବାକୁ ପାଇଥିଲେ। ସେହିପରି ଶିଶୁଟିକୁ କିଣିଥିବା ମହିଳା ଜଣକ ହେଲେ ପଶ୍ଚିମବଙ୍ଗର ସୁମେଦୁମ୍ ବିବି। ସେ ତାଙ୍କ ସ୍ବାମୀଙ୍କ ସହ ମାଳିସାହିରେ ରହନ୍ତି। ସେମାନଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି। ଷ୍ଟେସନ ଅଞ୍ଚଳରେ ଦମ୍ପତିଙ୍କ କୋଳରେ ନବଜାତ ଶିଶୁପୁତ୍ରକୁ ଦେଖି ସୁମେଦୁମ୍ ବିବି ଯୋଗାଯୋଗ କରିଥିଲେ ଏବଂ ୧୦ ହଜାର ଟଙ୍କା ଦେଇ ଶିଶୁପୁତ୍ରକୁ କିଣି ନେଇଥିଲେ। କିନ୍ତୁ ସେ ଜୋର କରି ଦମ୍ପତିଙ୍କଠାରୁ ଶିଶୁଟିକୁ ନେଇ ଯାଇଥିବା ସ୍ଥାନୀୟ କିଛି ଲୋକ ସୂଚନା ଦେଇଥିଲେ। ଏହାର ଏକ ଭିଡିଓ ମଧ୍ୟ ଜଣେ ଯୁବକ ସୁଟିଂ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଏହି ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିଲା।

ଶନିବାର ସକାଳ ୯ଟାରୁ ଚାଇଲ୍ଡଲାଇନର ଏକ ଟିମ୍ ସିସିଟିଭି ଫୁଟେଜକୁ ଆଧାର କରି ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିଥିଲା। ଏ ନେଇ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ମାଳିସାହିରୁ ମହିଳାଙ୍କୁ ଠାବ କରାଯିବା ସହ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ଏ ସଂକ୍ରାନ୍ତରେ ଖାରବେଳନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଶିଶୁ କିଣିଥିବା ସୁମେଦାମ୍ ବିବିଙ୍କୁ ସିଆରପିସି-୪୧ ନୋଟିସ୍ ଦେଇ ଛଡ଼ା ଯାଇଥିବାବେଳେ ବିକ୍ରି କରିଥିବା ଦମ୍ପତି ଠାବ ହେଲେ ଅଧିକ ତଥ୍ୟ ମିଳିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର