୨୦୨୪ ସୁଦ୍ଧା ୫୦ହଜାର ଲୋକଙ୍କୁ ‌ଘର

ସୁଲଭ ଗୃହ ଏବଂ ବସ୍ତି ପୁନଃବିକାଶ ପ୍ରକଳ୍ସ ସମୀକ୍ଷା କଲେ ବିଡିଏ ଉପାଧ୍ୟକ୍ଷ
ଖୁବ୍‌ ଶୀଘ୍ର ୮୧୬୨ ଲୋକଙ୍କୁ ଘର ମିଳିବ
ଆଉ ୧୪ହଜାର ଗୃହ ନିର୍ମାଣକୁ ଅନୁମୋଦନ

ଭୁବନେଶ୍ବର : ରାଜଧାନୀରେ ଆର୍ଥିକ ଦୁର୍ବଳ ବର୍ଗ ଓ ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ହଜାର ବସ୍ତିବାସିନ୍ଦାଙ୍କୁ ସୁଲଭ ଗୃହ ଯୋଜନାରେ ଘର ଯୋଗା ଯାଇଥିବାବେଳେ ଖୁବ୍‌ ଶୀଘ୍ର ଆଉ ୮୧୬୨ଲୋକଙ୍କୁ ଘର ମିଳିବ। ଏହି ଘର ନିର୍ମାଣ ହେଉଥିବା ୭ଟି ପ୍ରକଳ୍ପକୁ ଆଜି ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ ସମୀକ୍ଷା କରିଛନ୍ତି।

ବିଡିଏ ଉପାଧ୍ୟକ୍ଷ କହିଛନ୍ତି ଯେ, ୨୦୨୪ ସୁଦ୍ଧା ୫୦ହଜାର ଲୋକଙ୍କୁ ଘର ଯୋଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିବାରୁ ଆମେ ଏବେ ସୁଲଭ ଗୃହ ଯୋଜନା ଓ ଇଡବ୍ଲୁଏସ୍‌ ଗୃହ ପ୍ରକଳ୍ପକୁ ଗୁରୁତ୍ବ ଦେଉଛୁ। ପୂର୍ବରୁ ଏହି ଯୋଜନାରେ ଥିବା ସମସ୍ୟାଗୁଡ଼ିକୁ ସମାଧାନ କରାଯାଇଛି। ଏବେ ଆଉ ୮ଟି ପ୍ରକଳ୍ପରେ ୧୪ହଜାର ଫ୍ଲାଟ୍ ନିର୍ମାଣ କରିବାକୁ ଅନୁମତି ମିଳିଛି। ଏହାକୁ ଆମେ ଯଥାସମ୍ଭବ ଶୀଘ୍ର ଶେଷ କରିବୁ।

ସହରାଞ୍ଚଳରେ ସମସ୍ତଙ୍କୁ ଘର ଯୋଗାଇବା ପାଇଁ ରାଜ୍ୟ ସରକାର ୨୦୧୫ରେ ଘୋଷଣା କରିଥିବାବେଳେ ବିଡିଏ ପକ୍ଷରୁ ରାଜଧାନୀରେ ବହୁ ପ୍ରକଳ୍ପ ନିର୍ମାଣ ହେଉଛି। ଏବେ ବିଡିଏ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୭ଟି ପ୍ରକଳ୍ପରେ ୮୧୬୨ଟି ଫ୍ଲାଟ୍ କରୁଛି। ଏଗୁଡ଼ିକ ଇପିସି ଓ ପିପିପି ମୋଡ୍‌ରେ ହେଉଛି। ଏହି ୭ଟି ପ୍ରକଳ୍ପରୁ ୪ଟି ପ୍ରକଳ୍ପ ପିପିପି ମୋଡ୍‌ରେ ହେଉଥିବାବେଳେ ଏଥିରେ ୫୫୦୦ଟି ଫ୍ଲାଟ୍ ନିର୍ମାଣ ହେବ। ବାକି ତିନିଟି ଇପିସି ପ୍ରକଳ୍ପରେ ୨୬୬୨ଟି ଫ୍ଲାଟ୍ ନିର୍ମାଣ ହେବ। ଏଗୁଡ଼ିକୁ ପ୍ରିକାଷ୍ଟ ଜ୍ଞାନକୌଶଳରେ ନିର୍ମାଣ ହେଉଥିବାରୁ ବହୁତ କମ୍‌ ଦିନରେ ଶେଷ ହୋଇଯିବ ବୋଲି କୁହାଯାଇଛି। ଏହାବାଦ୍ ୮ଟି ପ୍ରକଳ୍ପରେ ୧୪ହଜାର ଫ୍ଲାଟ୍ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ନିର୍ମାଣ ହେବ। ଏହା ପିପିପି ମୋଡ୍‌ରେ ହେବ କି ଇପିସିରେ ହେବ ସେନେଇ ନିଷ୍ପତ୍ତି ହୋଇନି।

ବିଡିଏ ଉପାଧ୍ୟକ୍ଷ ଆଜି ଚନ୍ଦ୍ରଶେଖରପୁରରେ ହେଉଥିବା ନୀଳମାଧବ ଆବାସ ଯୋଜନା, ସୁଲଭ ଗୃହ ପ୍ରକଳ୍ପ, ଗାଡ଼କଣରେ ହେଉଥିବା ଆର୍ଥିକ ଦୁର୍ବଳ ବର୍ଗ ଗୃହ ପ୍ରକଳ୍ପ, ମହାବୀର ଆବାସ ଯୋଜନା, ସତ୍ୟନଗରରେ ହେଉଥିବା ଶାନ୍ତିନଗର ଆବାସ ଯୋଜନା ପ୍ରକଳ୍ପର ସମୀକ୍ଷା କରିଥିଲେ। ଏଥିରେ ବିଡିଏର ଯନ୍ତ୍ରୀ, ଗୃହ ନିର୍ମାଣ କରୁଥିବା ସଂସ୍ଥା, ଠିକାଦାରମାନେ ଉପସ୍ଥିତ ଥିଲେ। ସମୀକ୍ଷା ପରେ ଶ୍ରୀ ସିଂହ କହିଛନ୍ତି ଯେ ଯେଉଁ ପ୍ରକଳ୍ପଗୁଡ଼ିକ ଯେବେ ଶେଷ ହେବ ବୋଲି ଧାର୍ଯ୍ୟ ହୋଇଥିଲା ସେହି ସମୟରେ ସରିବା ଦରକାର। ଏଥିପାଇଁ ଥିବା ସମସ୍ତ ସମସ୍ୟା ବିଡିଏ ସମାଧାନ କରିବ। ଏହିସବୁ ଗୃହ ପ୍ରକଳ୍ପକୁ ଲୋକ ସ୍ଥାନାନ୍ତର ହେବା ପୂର୍ବରୁ ସମସ୍ତଙ୍କ ବାହ୍ୟ ଭିତ୍ତିଭୂମି ସୁବିଧାସୁଯୋଗ ଯୋଗାଇବାକୁ କୁହାଯାଇଛି। ଗୃହ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ପର୍ଯ୍ୟାୟକ୍ରମେ ଗୃହ ହସ୍ତାନ୍ତର କରିବାକୁ କୁହାଯାଇଛି। ଯେତିକି ଘର ମିଳିବ ସେହି ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଣ୍ଟନ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର