ନୂଆ ପରିମଳ ବ୍ୟବସ୍ଥାର ବିଷମ ସ୍ଥିତି, ହାଟରୁ ଅଳିଆ ଉଠୁନି

ଘର ବୁଡ଼ି ପାଣି ଆଣ୍ଠୁଏ, ପୁଣି ଘରୋଇ ସଂସ୍ଥାକୁ ଅନୁକମ୍ପା, ବିଏମ୍‌ସି ନିଜେ ସଫା କରିବ

ଭୁବନେଶ୍ବର: ନୂଆ ପରିମଳ ଟେଣ୍ଡର ସର୍ତ୍ତରେ ରହିଥିବା ଗୁରୁଚଣ୍ତାଳ ଦୋଷ ପାଇଁ ବିଷମ ସ୍ଥିତି ସୃଷ୍ଟି ହୋଇଛି। ଏହି ନୂଆ ପ୍ୟାକେଜ୍‌ ବ୍ୟବସ୍ଥାରେ ହାଟରୁ ଅଳିଆ ଉଠିବା ବ୍ୟବସ୍ଥା ନାହିଁ। ଅନଭିଜ୍ଞତା ହେଉ ବା ଅପାରଗତା ଯୋଗୁଁ ଅଧିକାରୀମାନେ ଟେଣ୍ଡର ଚୁକ୍ତି ପ୍ରସ୍ତୁତ କଲା ବେଳେ ଏହି ହାଟଗୁଡ଼ିକ କଥା ଭୁଲି ଯାଇଛନ୍ତି। ଏଣୁ ୧ ତାରିଖରୁ ସଫେଇ ଦାୟିତ୍ବ ନୂଆ ସଂସ୍ଥା ନେବା ପରେ ୟୁନିଟ୍‌-୧ ଓ ୟୁନିଟ୍‌-୪ ହାଟରୁ ଆଉ ଅଳିଆ ଉଠାଉନି। ଏହାକୁ କିଏ ଉଠାଇବ କେହି ଜାଣିନାହାନ୍ତି। ଘର ବୁଡ଼ି ପାଣି ଆଣ୍ଠୁଏ ହେବା ଭଳି ସ୍ଥିତି ହେବା ପରେ ବ୍ୟବସାୟୀ ସଂଘମାନଙ୍କ ଜରିଆରେ ବିଏମ୍‌ସି ଅବଗତ ହୋଇଛି। ଆଜି ଉଭୟ ସଂଘର ସଦସ୍ୟମାନଙ୍କୁ ଡାକି ଆଲୋଚନା କରିଛି। ତ୍ରୁଟିପୂର୍ଣ୍ଣ ଟେଣ୍ଡର ପାଇଁ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କମିସନର ରାତି ପାହୁ ପାହୁ ସହର ବୁଲି ଆବର୍ଜନା ସ୍ଥିତି ଅନୁଧ୍ୟାନ କରିବା ସହ ସହରକୁ ସଫା ରଖିବାକୁ ଉଦ୍ୟମ କରୁଥିବା ଦର୍ଶାଉଛନ୍ତି। ହେଲେ ଦୀପ ତଳ ଅନ୍ଧାର ଭଳି ସହରର ଛାତି ଉପରେ ପାହାଡ଼ ଭଳି ଆବର୍ଜନା ଗଦା ହୋଇଛି। କେବଳ ଏହି ଦୁଇଟି ପ୍ରମୁଖ ଅଞ୍ଚଳ ନୁହେଁ ବରଂ ବାପୁଜୀନଗର, ସହିଦନଗର ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରୁ ମଧ୍ୟ ଶତପ୍ରତିଶତ ଆବର୍ଜନା ଉଠୁନାହିଁ। ରାସ୍ତା କଡ଼ରେ ଆବର୍ଜନା ଭଳି ଏହି ସମସ୍ୟାକୁ ନେଇ ବିଏମ୍‌ସି‌ରେ ଅଭିଯୋଗ ପାହାଡ଼ ଭଳି ଗଦା ହେଲାଣି।

ନୂଆ ସଫେଇ ପ୍ୟାକେଜ୍‌ ବ୍ୟବସ୍ଥାରେ ଚଳିତ ମାସ ୧ ତାରିଖରୁ ପ୍ୟାକେଜ୍‌ ୭ ଓ ପ୍ୟାକେଜ୍‌-୯ ଦାୟିତ୍ବ ନେଇଛି ଚେନ୍ନାଇର ସଂସ୍ଥା ଆୱାରଲ୍ୟାଣ୍ଡ ଇଞ୍ଜିନିୟରିଂ ୱାର୍କସ ପ୍ରାଇଭେଟ୍‌ ଲିମିଟେଡ୍‌। ପ୍ୟାକେଜ୍‌-୭ରେ ୱାର୍ଡ ନମ୍ବର ୨୮, ୨୯, ୩୦, ୩୪, ୩୫, ୩୬ ଓ ୪୧ ରହିଥିବା ବେଳେ ପ୍ୟାକେଜ୍‌-୯ରେ ୪୦, ୪୪, ୫୩, ୫୫, ୫୬, ୫୭ ରହିଛି। ୩୦ ନମ୍ବର ୱାର୍ଡରେ ସହିଦନଗର ରହିଥିବା ବେଳେ ୩୬ ନମ୍ବରରେ ୟୁନିଟ୍‌-୪ ହାଟ ଓ ୪୦ ନମ୍ବରରେ ୟୁନିଟ୍‌-୧ ହାଟ ‌ସମେତ ୟୁନିଟ୍‌-୨, ୟୁନିଟ୍‌-୩ ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ରହିଛି। ପୂର୍ବରୁ ଏହି ସବୁ ଅଞ୍ଚଳର ଜାଗୃତି ଦାୟିତ୍ବରେ ଥିଲା। ଆୱାରଲ୍ୟାଣ୍ଡ ଗତ ସେପ୍ଟେମ୍ବର ୧ ତାରିଖରୁ ଏହି ସବୁ ଅଞ୍ଚଳର ଦାୟିତ୍ବ ନେବା କଥା। କିନ୍ତୁ ସଂସ୍ଥା ନିଜକୁ ପ୍ରସ୍ତୁତ କରିନପାରିବାରୁ ଜାଗୃତିର ଚୁକ୍ତି ଅବଧିକୁ ବିଏମ୍‌ସି ଘୁଞ୍ଚାଇ ଚାଲିଥିଲା। ଅକ୍ଟୋବର ୩୧ ତାରିଖ ପରେ ନୂଆ ସଂସ୍ଥା ଆୱାରଲ୍ୟ‌ାଣ୍ଡ ପ୍ରସ୍ତୁତ ହେବ ବୋଲି କହିବା ପରେ ନଭେମ୍ବର ୧ ତାରିଖରୁ ଏହି ସଂସ୍ଥା ଦାୟିତ୍ବ ନେଇଛି।

କିନ୍ତୁ ଚୁକ୍ତି ମୁତାବକ, ଯେତିକି କାମ ରହିଛି ତାହାକୁ ମଧ୍ୟ ସଂସ୍ଥା କରିପାରୁ ନାହିଁ। ଏଣେ ଚୁକ୍ତିରେ ହାଟ ନାହିଁ ବୋଲି କହି ଏହି ସବୁ ହାଟ ସଫା କରୁନାହିଁ। ଟେଣ୍ଡରରେ ଭାଗ ନେବା ପୂର୍ବରୁ ସମ୍ପୃକ୍ତ ସଂସ୍ଥାମାନେ ସର୍ଭେ କରି ସଫା କରିବାକୁ ଥିବା ଅଞ୍ଚଳ ବାବଦରେ ତଥ୍ୟ ହାସଲ କରିଥିଲେ ଓ ସର୍ତ୍ତରେ ରାଜି ହୋଇ ଟେଣ୍ଡରରେ ଭାଗ ନେଇଥିଲେ। ବରଂ ଟେଣ୍ଡର ମୂଲ୍ୟଠାରୁ ୮ପ୍ରତିଶତ କମ୍‌ ଦରରେ ଟେଣ୍ଡର୍‌ ନେଇ ଯାଇଥିଲେ। ହାଟଗୁଡ଼ିକ ସମ୍ପୃକ୍ତ ୱାର୍ଡ ଭିତରେ ସେତେବେଳେ ଥିଲା, ଏବେ ବି ଅଛି। କିନ୍ତୁ ଏବେ ଏହି ହାଟ ସବୁ ତାଲିକାରେ ନାହିଁ ବୋଲି ଠିକା ସଂସ୍ଥା କହି ସଫା କରୁନାହିଁ। ବିଏମ୍‌ସି ମଧ୍ୟ ମାନି ଯାଇଛି ଯେ ଟେଣ୍ଡର ସର୍ତ୍ତ ପରିସରରେ ହାଟ ନାହିଁ। ଯଦି ଏହା ସତ୍ୟ ତେବେ ବିଏମ୍‌ସି ହାଟଗୁଡ଼ିକ ପାଇଁ କାହିଁକି ଅଲଗା ଟେଣ୍ଡର କଲା ନାହିଁ?

ଆଜି ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ, ବିଏମ୍‌ସି ଆଜି ରାତିରୁ ଏକାଧିକ ଗାଡ଼ି ଲଗାଇ ୧ନମ୍ବର, ୪ ନମ୍ବର, ସହିଦନଗର ପ୍ରଭୃତି ହାଟଗୁଡ଼ିକରୁ ଆବର୍ଜନା ଉଠାଇବ। ଟେଣ୍ଡର ନ କରି, ଗୋଟିଏ ଗାଡ଼ି ଲଗାଇ ୫ ଗାଡ଼ିର ପଇସା ଲୁଟିନେବା ଚକ୍କରରେ ଅଧିକାରୀ ନାହାନ୍ତି ତ? ଏଭଳି ଅନେକ ପ୍ରଶ୍ନ ଏବେ ବିଏମ୍‌ସି ଅଧିକାରୀମାନଙ୍କୁ ବିବାଦକୁ ଟାଣିଛି। ସହରର ପରିମଳ ପାଇଁ ଟେଣ୍ଡର୍‌ କଲା ପରେ ବାରମ୍ବାର ବିଏମ୍‌ସି ଘରୋଇ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ କି ବାର୍ତ୍ତା ଦେଉଛି ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କଲେଣି।

ସମ୍ବନ୍ଧିତ ଖବର