ରାସ୍ତା ଉପରେ ବାଡ଼ିଆପିଟା, ପ୍ରେମିକଙ୍କୁ ଠୋ‌ ଠୋ ପିଟିଲେ ପ୍ରେମିକା

ଚନ୍ଦ୍ରଶେଖରପୁର: ରାତି ୮ଟା ପାଖାପାଖି ହେବ। ରାସ୍ତାରେ ଗାଡ଼ି ଚଳାଚଳ କମ୍‌ ଥିଲା। କେତେବେଳେ କେମିତି ଗୋଟିଏ ଯୋଡ଼ିଏ ଗାଡ଼ି ଅତିକ୍ରମ କରୁଥିଲା। ଏହାର ସୁଯୋଗ ନେଇ ରାସ୍ତାପାର୍ଶ୍ବରେ ପ୍ରେମୀଯୁଗଳଙ୍କ ରୋମାନ୍ସ ଜମି ଯାଇଥିଲା। କିଏ କାହାକୁ ଆଲିଙ୍ଗନ କରୁଥିଲା ତ କିଏ ପ୍ରେମିକା କୋଳରେ ଶୋଇ ସୁନେଲି ଭବିଷ୍ୟତର ସ୍ବପ୍ନ ବୁଣୁଥିଲା। ମଝିରେ ମଝିରେ ବାଇକ୍ କିମ୍ବା କାର୍‌ ଲାଇଟ୍‌ ପଡ଼ିଗଲେ, ଟିକିଏ ସଚେତନ ହୋଇ ପରସ୍ପରଠାରୁ ଅଲଗା ହୋଇଯାଉଥିଲେ। ଉତ୍କଳ ହସ୍ପିଟାଲଠାରୁ ଜାଭିୟର୍‌ ଛକକୁ ସଂଯୋଗ କରୁଥିବା ୨୦୦ ଫୁଟିଆ ରାସ୍ତାରେ ପ୍ରତିଦିନ ସଂଧ୍ୟା ୬ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏ ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଶନିବାର ପ୍ରେମୀଯୁଗଳଙ୍କ ମଧ୍ୟରେ ବାଡ଼ିଆପିଟା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ରାତି ପ୍ରାୟ ୮ଟା ୧୦ ବେଳକୁ ରେଳ କଲୋନି ନିକଟ ୨୦୦ ଫୁଟିଆ ରାସ୍ତାପାର୍ଶ୍ବରେ ହଠାତ୍‌ ଜଣେ ଯୁବତୀଙ୍କ ଚିତ୍କାର ଶୁଣାଯାଇଥିଲା। ନିକଟରେ ଥିବା ଜଣେ ଯୁବକଙ୍କୁ ସମ୍ପୃକ୍ତ ଯୁବତୀ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଠୋ-ଠୋ ଚାପୁଡ଼ା କଷି ଚାଲିଥିଲା। ରାସ୍ତା ଉପରେ ଯୁବକ/ଯୁବତୀଙ୍କ ଏଭଳି କାଣ୍ଡ ଦେଖି ପ୍ରଥମେ କେହି କିଛି ବୁଝିପାରି ନ ଥିଲେ। ରାସ୍ତାରେ ଯାଉଥିବା କେତେଜଣ ଗାଡ଼ିଚାଳକ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଯୁବତୀଜଣଙ୍କ ଆଦୌ ଥୟ ଧରି ନଥିଲେ, ବରଂ ଅଧିକ ଉଗ୍ର ହୋଇ ଉଠିଥିଲେ। ଅଟକାଇବାକୁ ଆସୁଥିବା ପଥଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଯୁବତୀଙ୍କ ଏଭଳି ଆଚରଣ ଦେଖି ଅଧିକାଂଶ ଛତ୍ରଭଙ୍ଗ ଦେଇ ନିଜ ବାଟରେ ଚାଲି ଯାଇଥିଲେ। ତେବେ କିଛି ଲୋକ ପୁଲିସକୁ ଫୋନ୍‌ କରିବାକୁ ଧମକ ଦେବାରୁ ଯୁବତୀଜଣଙ୍କ ସେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ତାଙ୍କ ପଛେ ପଛେ ଯୁବକଜଣଙ୍କ ବି କାନମୁଣ୍ଡା ଆଉଁସି ଆଉଁସି ଉତ୍କଳ ହସ୍ପିଟାଲ ଆଡ଼କୁ ଗାଡ଼ି ନେଇ ପଳାଇଥିଲେ।

କାନମୁଣ୍ଡା ଆଉଁସି ପଳାଇଲେ ଯୁବକ
ଅନ୍ଧାରରେ ଜମୁଛି ଅସାମାଜିକଙ୍କ ଆଡ଼ା

ଏହା ପ୍ରଥମ ଘଟଣା ନୁହେଁ, ଗତବର୍ଷଠାରୁ ଖୋଲିଥିବା ଏହି ରାସ୍ତାରେ ଏଭଳି ଘଟଣା ନିତିଦିନିଆ ହୋଇଯାଇଛି। ସନ୍ଧ୍ୟା ହେବା କ୍ଷଣି ରାସ୍ତାପାର୍ଶ୍ବରେ ପ୍ରେମୀଯୁଗଳଙ୍କ ଭିଡ଼ ଜମୁଛି। କିଏ ଅନ୍ଧାରରେ ତ ଆଉ କିଏ ବୁଦା ମୂଳେ ବସି ପ୍ରେମରେ ମଜି ଯାଉଛନ୍ତି। କଥା କଥାରେ ରାଗରୁଷା, ବାଡ଼ିଆବାଡ଼ି ହେଉଛନ୍ତି। ମାତ୍ର ଘଟଣା ସେହିଠାରେ ହିଁ ସମାଧାନ ହୋଇଯାଉଛି। ଥାନାକୁ ଯାଉନି କି ପୁଲିସ ଆସୁନି।

ବର୍ଷକରୁ ଅଧିକ ଦିନ ହେଲା ରାସ୍ତା କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏଠାରେ ଏବେ ବି ଅନ୍ଧାରର ରାଜୁତି ଚାଲିଛି। ସନ୍ଧ୍ୟା ହେବା ମାତ୍ରେ ରାସ୍ତାର ସୌନ୍ଦର୍ଯ୍ୟ ଚୁଲିକୁ ଯାଉଛି ଏବଂ ଅସାମାଜିକଙ୍କ ଉତ୍ପାତ ବଢ଼ିଯାଉଛି। ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ଖଟି କରୁଛନ୍ତି। ମଦ୍ୟପାନ କରି ରାସ୍ତାରେ ବୋତଲ ବାଡ଼େଇ ଭାଙ୍ଗୁଛନ୍ତି। ବାଟରେ ଯାଉଥିବା ମହିଳାଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି। ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି। ମାତ୍ର ସେମାନଙ୍କ ଉପରେ ରୋକ୍‌ ଲଗାଇବାକୁ କେହି ମୁହଁ ଖୋ‌ଲୁନାହାନ୍ତି। ଅଭିଯୋଗ ବି କରୁନାହାନ୍ତି। ୩କିମି ବିଶିଷ୍ଟ ଏହି ରାସ୍ତାରେ ଆଜି ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇନାହିଁ, ଯେଉଁଥିପାଇଁ ସନ୍ଧ୍ୟା ହେଲେ ଜଣଙ୍କ ମୁହଁ ଅନ୍ୟ ଜଣେ ଦେଖିପାରୁନାହାନ୍ତି। ଦୁର୍ଘଟଣା ବି ବଢ଼ି ଚାଲିଛି। ରାସ୍ତାର କେଉଁଠି ନା କେଉଁଠି ଗୋଟିଏ ଯୋଡ଼ିଏ ଦୁର୍ଘଟଣା ନିତିଦିନି ଘଟୁଛି। ପୁଲିସ ପହରା ବି ଏହି ଅଞ୍ଚଳରେ ଏବେ ନାହିଁ। ମୈତ୍ରୀ ବିହାର ଥାନା ହୋଇ ନଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପିସିଆର ଉକ୍ତ ଅଞ୍ଚଳରେ ‌ଚକ୍କର୍‌ କାଟୁଥିଲା। ମାତ୍ର ଏବେ ପିସିଆର୍‌ ଦେଖିବା କଷ୍ଟକର। ସନ୍ଧ୍ୟା ସମୟରେ ଆଦୌ ପିସିଆର ଦେଖିବାକୁ ମିଳୁ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର