ଶ୍ରୀଲିଙ୍ଗରାଜଙ୍କ ଭୀମେଶ୍ୱର ଯାତ୍ରା: ମହକିଲା ମୁଆଁ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶ୍ରୀଲିଙ୍ଗରାଜଙ୍କ ଭୀମେଶ୍ୱର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଆଜି ସନ୍ଧ୍ୟା ସାଢ଼େ ୮ଟାରେ ଭୀମେଶ୍ୱର ମନ୍ଦିରକୁ ଯାତ୍ରା କରଥିଲେ। ତାଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀବସୁଦେବ ମଧ୍ୟ ଯାତ୍ରା କରିଥିଲେ। ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମାକୁ ପାଲିଙ୍କି ଓ ବିମାନରେ ବିରାଜମାନ କରାଯାଇ ସେବାୟତମାନେ ଭୀମେଶ୍ୱରକୁ ଯାତ୍ରା କରିଥିଲେ। ଘଣ୍ଟ, ଢୋଲ, ଘୋଡ଼ା ନାଚ, ନାଗା ନାଚରେ ଲିଙ୍ଗରାଜ ମନ୍ଦିର ନିକଟରୁ ଦେବଦେବୀଙ୍କୁ ଭୀମେଶ୍ୱର ମନ୍ଦିର ପରିଚାଳନା ସମିତି ପକ୍ଷରୁ ପାଛୋଟି ନିଆଯାଇଥିଲା।

ମହାପ୍ରଭୁଙ୍କୁ ସ୍ନାନ, ବେଶ କରାଯାଇ ନୂଆ ଲୁଗା ପିନ୍ଧାଯାଇଥିଲା। ଏହାପରେ ଯାତ୍ରାପୂଜା କରାଯାଇଥିଲା। ପରେ ଦେବଦେବୀଙ୍କୁ ମୁଆଁ ଭୋଗ କରାଯାଇ ଭେଟ ଆଳତି ହୋଇଥିଲା। ଏହି ଉପଲକ୍ଷେ ଭୀମେଶ୍ୱର ମନ୍ଦିର ପରିଚାଳନା ସମିତି ପକ୍ଷରୁ ମୁଆଁ ବଣ୍ଟନ କରାଯାଇଥିଲା। ଶତାଧିକ ଶ୍ରଦ୍ଧାଳୁ ମୁଆଁ ପ୍ରସାଦ ପାଇବା ପାଇଁ ଧାଡ଼ି ବାନ୍ଧିଥିଲେ। ବାଟରେ ଯମେଶ୍ୱର ମନ୍ଦିରଠାରେ ଦେବଦେବୀ ରହିଥିାଲେ। ସେଠାରେ ଭୋଗ ଲାଗି କରାଯିବା ସହ ଭେଟ ଆଳତି କରାଯାଇଥିଲା। ଏହାପରେ ଶ୍ରୀଜିଉ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଉପଲକ୍ଷେ ଭୀମେଶ୍ୱର ମନ୍ଦିର ପରିଚାଳନା ସମିତି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ସମିତିର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ଷଡ଼ଙ୍ଗୀ, ରବି ନାରାୟଣ ଦାଶ, ହରିହର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସେଠୀ, କର୍ପୋରେଟର ଶିବ ନାରାୟଣ ରାୟଙ୍କ ସମେତ ବହୁ ମୁରବି ଓ ସଭ୍ୟମାନେ ସାମିଲ ହୋଇଥିଲେ।

ଗଛ ଡାଳ ବାଜି ବିମାନ କଳସ ଭାଙ୍ଗିଲା, ସେବାୟତ ଆହତ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁ ଭୀମେଶ୍ୱର ଯାତ୍ରା ସାରି ଫେରିବା ବେଳେ ଅଘଟଣ ଘଟିଥିଲା। ନାରାୟଣୀ କ୍ଲବ ନିକଟ ବିବେକାନନ୍ଦ ସ୍କୁଲ ନିକଟରେ ଏକ ଗଛର ଡାଳ ବାଜି ଶ୍ରୀଲିଙ୍ଗରାଜଙ୍କ ବିମାନ କଳସ ଭାଙ୍ଗିଯାଇଥିଲା। ଏହି କଳସ ଭାଙ୍ଗି ଜଣେ ସେବାୟତଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ସେ ଆହତ ହୋଇଥିଲେ। ସେବାୟତ ଜଣକ ହେଲେ କପିଳେଶ୍ୱର ଅଞ୍ଚଳର ଆଲୋକ ପ୍ରଧାନ(୩୫)। କଳସ ଖସି ଅଲୋକଙ୍କ ଡାହାଣ ହାତରେ ବାଜି ହାତ ଚିରି ହେବା ସହ ବାବୁଲି ବେହେରାଙ୍କ ଗୋଡ଼ରେ ପଡିଥିଲା। ରାସ୍ତାରେ ଗଛ ଥିବାରୁ ଏହି ଡାଳ କାଟିବାକୁ ସେବାୟତମନେ ମନ୍ଦିର ପ୍ରସାଶନଙ୍କୁ ଜଣାଇଥିଲେ। ତେବେ ପ୍ରଶାସନ ଏନେଇ କୌଣସି ବ୍ୟବସ୍ଥା କରିନଥିଲା। ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର