‘ଆଇନଗତ ସାକ୍ଷରତା ଅଭିଯାନ ମାଧ୍ୟମରେ ମହିଳା ସଶକ୍ତୀକରଣ’ ଆରମ୍ଭ

ଭୁବନେଶ୍ବର: ସାମାଜିକ କଲ୍ୟାଣ ଏଜେନ୍ସି ଏବଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ସ୍ବାତୀ) ସହଭାଗିତାରେ ହାଇଦ୍ରାବାଦସ୍ଥିତ ୟୁଏସ କନସୁଲେଟ୍‌ ‘ଓଡ଼ିଶାରେ ଆଇନଗତ ସାକ୍ଷରତା ଅଭିଯାନ ମାଧ୍ୟମରେ ମହିଳା ସଶକ୍ତୀକରଣ’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିପାଇଁ ହାଇଦ୍ରାବାଦରେ ଥିବା ୟୁଏସ୍ କନସୁଲେଟ୍ ଜେନେରାଲ ୩୩,୯୦୦ ଆମେରିକୀୟ ଡଲାର୍ ଅନୁଦାନ ଦେଇଛନ୍ତି। ଏହି ପ୍ରୟାସ, ଓଡ଼ିଶାର ତୃଣମୂଳସ୍ତରର ମହିଳା ନେତୃତ୍ବମାନଙ୍କୁ ଲିଙ୍ଗଭିତ୍ତିକ ହିଂସା ଏବଂ ଲିଙ୍ଗଗତ ସମାନତା ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ। ଲିଙ୍ଗଗତ ଭେଦଭାବକୁ ମୁକାବିଲା କରିବା ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଆମେରିକା ଏବଂ ଭାରତ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପବ୍ଲିକ କୂଟନୀତି ଅଧିକାରୀ ଜୋନାଥନ ଓର କହିଛନ୍ତି।

ଏହା ଓଡ଼ିଶାର ୩୦ଟି ଜିଲ୍ଲାର ୬୦୦ ଅଂଶଗ୍ରହଣକାରୀଙ୍କୁ ସିଧାସଳଖ ଉପକୃତ କରିବ। ସେମାନଙ୍କୁ ଲିଙ୍ଗଭିତ୍ତିକ ହିଂସା ଏବଂ ଭେଦଭାବରେ ପୀଡ଼ିତ ମହିଳା ଓ ବାଳିକାଙ୍କୁ ସହାୟତା ଯୋଗାଇ ଦେବାରେ କାର୍ଯ୍ୟ କରିବ। ସ୍ବାତୀ ସହଯୋଗରେ ଏହି କାର୍ଯ୍ୟକ୍ରମରେ ଦୁଇଜଣ ପୂର୍ବତନ ଅଂଶଗ୍ରହଣକାରୀ ସୁଜତା ମହାପାତ୍ର ଏବଂ ସୁଶ୍ରୀ ପୂଜାଫୁଲା ପଟ୍ଟନାୟକ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ଏହି ପ୍ରକଳ୍ପ ମହିଳାଙ୍କ ଆଇନଜୀବୀମାନଙ୍କ ପାଇଁ ଆଇନ, ଲିଙ୍ଗଗତ ନ୍ୟାୟ ଏବଂ ସମାନତା ଉପରେ ସାମ୍ବିଧାନିକ ବ୍ୟବସ୍ଥା, ଅଭିଯୋଗର ସମାଧାନ ପ୍ରଣାଳୀ ଏବଂ ମହିଳାମାନଙ୍କୁ ସହାୟତା କରିବା ପାଇଁ ଉପଲବ୍ଧ ଅନୁଷ୍ଠାନଗୁଡ଼ିକ ପାଇଁ ଏକ ପୁସ୍ତକ ପ୍ରସ୍ତୁତ କରିବ। ଏହାର ବ୍ୟବହାର ପାଇଁ ହ୍ୟାଣ୍ଡବୁକ୍ ଏବଂ ଉପକରଣଗୁଡ଼ିକ ଓଡ଼ିଶାର ୩୦ଟି ଜିଲ୍ଲା ଅନ୍ତର୍ଗତ କର୍ମଶାଳାରେ ମହିଳା ଆଇନଜୀବୀମାନଙ୍କୁ ପ୍ରଦାନ କରାଯିବ। କର୍ମଶାଳାରେ ତାଲିମପ୍ରାପ୍ତ ମହିଳାମାନେ ଅଭିଯୋଗର ସମାଧାନ ହେବା ପାଇଁ ନିବେଦନ ଏବଂ ପୁଲିସର ଅଭିଯୋଗ ଲେଖିପାରିବେ। ଲିଙ୍ଗଗତ ସମାନତା ତଥା ଭେଦଭାବ, ନିର୍ଯାତନା ଏବଂ ଶୋଷଣ ବିରୁଦ୍ଧରେ ଲଢ଼ିବା ପାଇଁ ମହିଳାମାନଙ୍କୁ ସୋସିଆଲ ମିଡିଆ ଜରିଆରେ ମଧ୍ୟ ତାଲିମ ଦିଆଯିବ।

ସମ୍ବନ୍ଧିତ ଖବର