କ୍ୟାମ୍ପସ୍‌ ଆଳାପ: ସଂସ୍କୃତି ଓ ସଫଳତା

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ

ହରପ୍ରିୟା ପୃଷ୍ଟି

ଖଣ୍ଡଗିରି: ସଂସ୍କୃତିବିହାର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ‘ସଂସ୍କୃତି ଅଧ୍ୟୟନ ବିଭାଗ’ର ଛାତ ଉପରେ ଏକାଠି ହୋଇଥିଲେ ଛାତ୍ର ଛାତ୍ରୀ। ଓଡ଼ିଆ ସଂସ୍କୃତି, ତା’କୁ ନେଇ କ୍ୟାରିୟର ଓ ରୋଜଗାରକୁ ନେଇ ଚର୍ଚ୍ଚା ଚାଲିଥିଲା ସେମାନଙ୍କ ମଧ୍ୟରେ। ବର୍ତ୍ତମାନ ସମୟରେ ସଂସ୍କୃତି ଅଧ୍ୟୟନ କରି କାଳେ ରୋଜଗାର କରିହେବନି, କ୍ୟାରିୟର ଗଢ଼ି ହେବନି ବୋଲି ଚର୍ଚ୍ଚା ହେଉଛି। ଏସବୁ ଚର୍ଚ୍ଚା ଶୁଣି ମୁଣ୍ଡ ଖରାପ ହୋଇଯାଉଛି ବୋଲି ଶ୍ରୀକାନ୍ତ ମହାରଣା କଥା ଆରମ୍ଭ କରିଥିଲେ। ତାଙ୍କ କଥା ନ ସରୁଣୁ ଆଶ୍ବସ୍ତି ବେହେରା କହିଲେ, ‘‘ଆମ ସଂସ୍କୃତି ଓ ପରମ୍ପରା ସାରା ବିଶ୍ବରେ ଆମକୁ ପରିଚୟ ଦେଇଛି। ସଂସ୍କୃତି ବିଶ୍ବବିଦ୍ୟାଳୟରେ ପାଠ ପଢ଼ି ଏଭଳି ଭାବିବା ମହାପାପ।’’

ଆଶ୍ବସ୍ତିଙ୍କ ପକ୍ଷ ନେଇ ଗୁଞ୍ଜନ ପ୍ରିୟଦର୍ଶିନୀ ବିଶୋଇ କହିଲେ, ‘‘ଠିକ୍‌ କହିଲ। ଆମେ ନିଜେ ନିଜ କଥା ଜାଣିନେ ବୋଲି ଏଭଳି ଉଦ୍ଭଟ ଚିନ୍ତା ଧାରା ମନକୁ ଆସୁଛି। ଏହି ବିଶ୍ବବିଦ୍ୟାଳୟ ବା ସଂସ୍କୃତି ଅଧ୍ୟୟନ କରି ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିଥିବା ପ୍ରତିଭାଙ୍କର ଶହ ଶହ ଉଦାହରଣ ରହିଛି।’’ ସମର୍ଥନ କଲେ ବିମଳ କୁମାର ହରିଚନ୍ଦନ, ‘‘ହଁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେବା ପାଇଁ ଯେଉଁ ପରୀକ୍ଷା ଅଛି, ସେ ପରୀକ୍ଷା ପାଇଁ ସଂସ୍କୃତି ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଗତ ବର୍ଷଠାରୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଠି ପଢ଼ିଥିବା ଚିତ୍ରକଳା, ଆପ୍ଲାଏଡ୍ ଆର୍ଟ, ହିନ୍ଦୁସ୍ଥାନୀ ସଙ୍ଗୀତ, ଡ୍ରାମା, ଓଡ଼ିଶୀ ନୃତ୍ୟ, ବଂଶୀ, ତବଲା, ସ୍ଥାପତ୍ୟ, ଓଡ଼ିଆ ଭାଷା ଓ ସାହିତ୍ୟ, ଓଡ଼ିଶୀ କଣ୍ଠ ସଙ୍ଗୀତ, ମର୍ଦ୍ଦଳ, ଭାଓଲିନ୍ ଓ ସିତାର ପ୍ରଭୃତି ବିଭାଗର ଶହ ଶହ ଛାତ୍ରଛାତ୍ରୀ ବିଦେଶରେ ମଧ୍ୟ ନାଁ କମାଇଛନ୍ତି।’’
ତପସ୍ବିନୀ ରାଉତ, ବିମଳଙ୍କ କଥାରେ ଆଉ ଦୁଇ ପଦ ଯୋଡ଼ି କହିଲେ, ‘‘ଏବେ ଆଧୁନିକ ଯୁଗରେ ସବୁ ବିଦ୍ୟାର ବିଶାରଦଙ୍କର ଆବଶ୍ୟକତା ରହିଛି। ଏହିସବୁ ବିଭାଗରେ ଯେତେବେଳେ ଆଗକୁ ଗବେଷଣା ହେବ, ସେତେବେଳେ ଆମ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ହିଁ ତ ‌ଖୋଜା ପଡ଼ିବେ!’’

ନିକିତା ପ୍ରିୟଦର୍ଶିନୀ ସ୍ବାଇଁ କହିଲେ, ‘‘ସେବେ କ’ଣ ଖୋଜା ପଡ଼ିବେ, ଏବେ ବି ପଡୁଛନ୍ତି। ଆମ ବିଶ୍ବବିଦ୍ୟାଳୟରୁ ପାଠ ପଢ଼ି ପିଲାମାନେ ବିଦେଶରେ ଏବେ ବଡ଼ ବଡ଼ ସ୍ବେଚ୍ଛାସେବୀ ସଂଗଠନ ଚଳାଉଛନ୍ତି।’’ ଗୁଞ୍ଜନ ପ୍ରିୟଦର୍ଶିନୀ ବିଶୋଇ କହିଲେ, ‘‘ଖାଲି କଣ ସେତିକି? ଆମ ବିଶ୍ବବିଦ୍ୟାଳୟରୁ ପାଠ ପଢ଼ି ସୁମନ ସୌରଭ ମହାନ୍ତି ପରା ଆଇଏଏସ୍‌ ଟପ୍ପର ପାଇଛନ୍ତି! ଏବେ କମେଡ଼ିରେ ଭଲ ନାଁ କରିଥିବା ପ୍ରଜ୍ଞା ଆମ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର।’’ ତେବେ ପ୍ରାଚୀ ପରିଚିତା ସ୍ବାଇଁ କହିଲେ, ‘‘ସବୁ ପରେ ବି ବର୍ତ୍ତମାନ ପରିସ୍ଥିତିରେ ଆମ ପିଲାଙ୍କ ପାଇଁ ରୋଜଗାର ପ୍ରଥମ ଚିନ୍ତା ହୋଇଛି। ଆମ ସଂସ୍କୃତି ଛାତ୍ରଛାତ୍ରୀଙ୍କ ପାଇଁ ଆହୁରି ସୁଯୋଗ ସୃଷ୍ଟି ହେବା ଆବଶ୍ୟକ।’’ ଏ ସବୁ ଆଲୋଚନାକୁ ଆରମ୍ଭ କରିଥିବା ଶ୍ରୀକାନ୍ତ ଆଉ ପାଟି ଖୋଲୁନଥିଲେ। ଏଭଳି ସ୍ଥିତି ଦେଖି ସୁପ୍ରୀତି ସ୍ନେହଲତା ସେ ଗମ୍ଭୀର ଆଲୋଚନାକୁ ଟିକେ ହାଲ୍‌କା କରିବାକୁ ଯାଇ କହିଲେ, ‘‘ବିଜ୍ଞାନ, କଳା, ବାଣିଜ୍ୟ ଭିଡ଼ ଭିତରୁ ବାହାରି ଆମେ ନିଜ ଦକ୍ଷତା ବଳରେ ନିଜକୁ ପ୍ରତିଷ୍ଠା କରିବା। ଆମେ ଆମକୁ ଗଢ଼ିଲେ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ। ଆମେ ସେ ଉଦାହରଣ ହେବା।’’

ସମ୍ବନ୍ଧିତ ଖବର