ଭୁବନେଶ୍ୱର ବିମାନବନ୍ଦର କଳେବର ବୃଦ୍ଧି: ଦୁଇ ଟର୍ମିନାଲକୁ ଯୋଡ଼ିଲା ସଂଯୋଗ କୋଠା

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭିତ୍ତିଭୂମିର ‌କଳେବର ବୃଦ୍ଧି କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ିଛି। ବିମାନବନ୍ଦରର ଟର୍ମିନାଲ-୧ (ଘରୋ‌ଇ) ଓ ଟର୍ମିନାଲ-୨ (ଅନ୍ତର୍ଜାତୀୟ) ମଧ୍ୟରେ ସଂଯୋଗ କୋଠାକୁ ଆଭାସୀ ଜରିଆରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭି.କେ ସିଂହ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବାଣିଜ୍ୟ, ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ।

୮୭.୨୧ କୋଟି ଟଙ୍କାରେ ଆଧୁନିକ ଶୈଳୀରେ ନିର୍ମିତ ଏହି ସଂଯୋଗ କୋଠା ୩୩୬୦ ବର୍ଗମିଟର ଅଞ୍ଚଳ ପରିମିତ। ଏହାକୁ ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ ବିମାନ ଯାତ୍ରୀଙ୍କ ଆଗମନ ପାଇଁ ବ୍ୟବହାର କରାଯିବ। କୋଠାରେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଏଥିରେ ଦୁଇଟି କନଭେୟର ବେଲ୍ଟ,, ୩ଟି ଏସ୍କାଲେଟର, ୩ଟି ଲିଫ୍ଟ ଓ ୧୨ଟି ଇମିଗ୍ରେସନ କାଉଣ୍ଟର ରହିଛି। ନୂଆ ନିର୍ମାଣ ପରେ ଭୁବନେଶ୍ୱର ବିମାନବନ୍ଦରର ଯାତ୍ରୀ ପରିବହନ କ୍ଷମତା ପୂର୍ବର ୪.୧୫ ନିୟୁତରୁ ବଢ଼ି ୪.୬୫ ନିୟୁତରେ ପହଞ୍ଚିଛି। ଗତ ଡିସେମ୍ବରରେ ୪ ଲକ୍ଷରୁ ଅଧିକ ଯାତ୍ରୀ ପରିଚାଳନା କରିଛି ଭୁବନେଶ୍ୱର ବିମାନ ବନ୍ଦର। ଆଗାମୀ ମାର୍ଚ୍ଚ ସୁଦ୍ଧା ଏହାର ଯାତ୍ରୀ ପରିଚାଳନା କ୍ଷମତାକୁ ୮.୮ ନିୟୁତକୁ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି। ଏହି ଅବସରରେ ଭୁବନେଶ୍ବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଭାରତ ସରକାରଙ୍କ ସମସ୍ତ ଅଧିକାରୀ, ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର