ମୋବାଇଲ ବ୍ୟବହାର ୨ ଘଣ୍ଟାରେ ସୀମିତ ରଖନ୍ତୁ କିଶୋର

ମୋବାଇଲ୍‌ ଫୋନ୍‌ର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଅଭ୍ୟାସର ବିଭିନ୍ନ କ୍ଷତିକାରକ ଦିଗ ସାମ୍ନାକୁ ଆସୁଛି। ବିଶେଷକରି କିଶୋରକିଶୋରୀଙ୍କଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ସେଥିପାଇଁ ଯଥାସମ୍ଭବ ମୋବାଇଲ କମ୍‌ ବ୍ୟବହାର କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ଫୋନ୍‌ ବ୍ୟବହାର କରୁଥିବା କିଶୋରକିଶୋରୀଙ୍କଠାରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା ହ୍ରାସ ପାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

କୋରିଆର ହନ୍‌ୟାଙ୍ଗ ବିଶ୍ବବିଦ୍ୟାଳୟର ଗବେଷକମାନେ ୧୩ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଉପରେ ଗବେଷଣା କରି ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି। ତେବେ ଆଦୌ ଫୋନ୍‌ ବ୍ୟବହାର କରୁ ନଥିବା ପିଲାଙ୍କ ତୁଳନାରେ ଦିନକୁ ଦୁଇ ଘଣ୍ଟାରୁ କମ୍ ସମୟ ବ୍ୟବହାର କରୁଥିବା କିଶୋରଙ୍କଠାରେ ଅବସାଦ, ନିଦ୍ରାହୀନତା, ଚିନ୍ତା, ଆତ୍ମହତ୍ୟା ପ୍ରବଣତା ଏବଂ ନିଶାଭ୍ୟାସ ପ୍ରବୃତ୍ତି ଆଶଙ୍କା କମ୍ ଥାଏ। ଅବଶ୍ୟ ଚାରି ଘଣ୍ଟାରୁ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ଦ୍ବାରା ଏହିସବୁ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ଆଶଙ୍କା ୨୨ ପ୍ରତିଶତକୁ ବୃଦ୍ଧି ପାଇଥାଏ। ଗବେଷକମାନେ ୨୦୧୭ ଏବଂ ୨୦୨୦ରେ କୋରିଆର ୫୦ ହଜାର କିଶୋରଙ୍କ ଡାଟାକୁ ବିଶ୍ଳେଷଣ କରି ଏଭଳି ଏକ ନିଷ୍କର୍ଷରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର