ଭୁବନେଶ୍ବର: ରାଜ୍ୟ ସରକାର ଜାରି କରିଥିବା ଆପାର୍ଟମେଣ୍ଟ୍ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ ୨୦୨୩କୁ ରିଅଲ ଇଷ୍ଟେଟ୍ ଶିଳ୍ପର ପ୍ରମୁଖ ସଂସ୍ଥା କ୍ରେଡାଇ ଓଡ଼ିଶା ସ୍ବାଗତ କରିଛି। ଅଧ୍ୟାଦେଶରେ ରେରା ନିୟମକୁ ଠିକ୍ ଭାବେ ପାଳନ କରାଯାଇଥିବ ବୋଲି କ୍ରେଡାଇ ଓଡ଼ିଶା ଆଶା ପ୍ରକଟ କରିବା ସହ ଏହା ଦ୍ବାରା ଆପାର୍ଟମେଣ୍ଟ୍ କିଣାବିକା ଓ ସାଧାରଣ ଅଞ୍ଚଳକୁ ଆବାସିକ ସଂଘଗୁଡ଼ିକୁ ହସ୍ତାନ୍ତର କରିବା ଲାଗି ବାଟ ଖୋଲିବ ବୋଲି କହିଛି। ରାଜ୍ୟର ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ସରକାରଙ୍କ ଉଦ୍ୟମକୁ ଏହା ସମର୍ଥନ ଦେଇଥିବା ବେଳେ ରିଅଲ ଇଷ୍ଟେଟ୍ କ୍ଷେତ୍ରର ସନ୍ତୁଳିତ ଅଭିବୃଦ୍ଧି ଲାଗି ଏହି ଅଧ୍ୟାଦେଶ ଏକ ମାଇଲଖୁଣ୍ଟ ବୋଲି କୁହାଯାଇଛି।
ଆଗକୁ ବଢ଼ିବା ବେଳେ କିଛିଟା ଆହ୍ବାନ ଦେଖାଦେଇପାରେ। ତାହାକୁ ଅତିକ୍ରମ କରିବା ଲାଗି ନିଜ ପାଖରେ ଥିବା ବିଶେଷତା, ସମ୍ବଳ ଓ ସହାୟତା ପ୍ରଦାନ କରିବା ଲାଗି କ୍ରେଡାଇ ପ୍ରସ୍ତୁତ ଥିବା କହିଛି। ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ନେଇ ନିୟମିତ ଆଲୋଚନା ଲାଗି କ୍ରେଡାଇ ପ୍ରସ୍ତୁତ ଥିବା କହିଛି। ଏହି ଅବସରରେ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡି ଏସ୍ ତ୍ରିପାଠୀ, ସଭାପତି ସ୍ବଦେଶ କୁମାର ରାଉତରାୟ, ଉପସଭାପତି ଉମେଶ ଖଣ୍ଡେଲୱାଲ, ନବୀନ କାଣ୍ଡୋଇ, ଉମାଶଙ୍କର ପାଣିଗ୍ରାହୀ, ସମ୍ପାଦକ ଅନିଲ କୁମାର ଅଗ୍ରୱାଲ୍, କୋଷାଧ୍ୟକ୍ଷ ବିଭୂ ଚନ୍ଦନ ଜେନା, କ୍ରେଡାଇ କଟକର ସଭାପତି ପି ଆର୍ ମହାରଣା, କ୍ରେଡାଇ ଭୁବନେଶ୍ବରର କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେହେରା ଓ କ୍ରେଡାଇ ଇଷ୍ଟ୍ ଜୋନ୍ର ସଂଯୋଜିକା ସୋଫିଆ ଫିର୍ଦୋସ୍ ଉପସ୍ଥିତ ଥିଲେ।