ବଢ଼ୁଛି ବିଦେଶୀ ଫୁଲ ଚାରାର ଚାହିଦା

ଭୁବନେଶ୍ୱର: ଫୁଲଗଛ ଲଗାଇବା ଏବେ ଅନେକ ରାଜଧାନୀବାସୀଙ୍କର ମୁଖ୍ୟ ସଉକ ହୋଇ ଗଲାଣି। ନିଜର ଜାଗାଖଣ୍ଡେ ଥିଲେ ତ ବହୁତ ଭଲ, ତା’ ନଥିଲେ ଘର ବାରଣ୍ଡାରେ ଓ ଛାତ ଉପରେ ମଧ୍ୟ ଲୋକେ କୁଣ୍ଡ ରଖି ଫୁଲଗଛ ଲଗାଉଛନ୍ତି। ଲୋକଙ୍କ ପସନ୍ଦ ଆଧାରରେ ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ଋତୁ ପାଇଁ ଦେଶୀ ବିଦେଶୀ ଫୁଲଚାରା ଯୋଗାଇ ଦେଉଛନ୍ତି। ଦେଶୀ ଗେଣ୍ଡୁଚାରାଠୁ ଆରମ୍ଭ କରି ଅନେକ ବିଦେଶୀ ଫୁଲର ଚାରା ଏବେ ଭୁବନେଶ୍ବରରେ ସହଜରେ ଉପଲବ୍ଧ ହେଉଛି। ତେବେ ଦେଶୀ ଚାରା ଅପେକ୍ଷା ବିଦେଶୀ ଚାରାରେ ଫୁଲ ଭଲ ଫୁଟୁଥିବାରୁ, ତା’ର ଚାହିଦା ରାଜଧାନୀରେ ବଢିଚାଲିଛି। ତେଣୁ ଅଧିକାଂଶ ଚାରା ବ୍ୟବସାୟୀ ଏବେ ଏହି ବିଦେଶୀ ଫୁଲକୁ ପ୍ରାଧାନ୍ୟ ଦେଉଛନ୍ତି। ଏକ ନମ୍ବର ହାଟର ରାସ୍ତାକଡ଼ରେ ପଶ୍ଚିମବଙ୍ଗରୁ ଆସିଥିବା ଅନେକ ବ୍ୟବସାୟୀ ଚାରା ପସରା ମେଲାଇଛନ୍ତି। ସେଠାରେ ପ୍ରାୟ ୧୦୦ ପ୍ରକାରର ଚାରା ଉପଲବ୍ଧ ହେଉଛି। ତା’ଭିତରୁ ଥାଇଲ୍ୟାଣ୍ଡର ପିସ୍‌ ଲିଲି, ଜରବେରା, ସାଇକ୍ରୋମ୍ୟାନ, ଅର୍କିଡ, ଜିନିଆ, ପ୍ଲାଟିକୋଟନ, ଖାଲାଲିଲି, ଗେଣ୍ଡୁ, ବାଙ୍ଗାଲୋର ମନ୍ଦାର, ପୁନେ ମନ୍ଦାର, ଶ୍ରୀଲଙ୍କା ଓ ଭୁଟାନ ଟଗର ପ୍ରଭୃତିର ଅଧିକ ଚାହିଦା ରହିଛି।

ସେବତୀ, ଡାଲିଆ, ଡ୍ୟାନ୍ଥସ୍, ପିଟୁନିଆ, ଚେରି ଗୋଲ୍ଡ୍ ଅଷ୍ଟ୍ରିଆ, ସାଲଭିଆ, ବାଙ୍ଗାଲୋର ମିନି ଡାଲିଆ ପ୍ରଭୃତି ମଧ୍ୟ ଭଲ ବିକ୍ରି ହେଉଛି। ଏହା ଭିତରେ ଅଛି ଗୋଟିଏ ଋତୁ ବା ବର୍ଷ ବଞ୍ଚୁଥିବା ଫୁଲଚାରା, ଅଛି ମଧ୍ୟ କିଛି ସ୍ଥାୟୀ ଫୁଲଗଛ। ଗେଣ୍ଡୁ ଆଦି ସାଧାରଣ ଫୁଲକୁ ବାଦ୍‌ଦେଲେ ଅନ୍ୟ ଛୋଟଚାରାର ଦର ହାରାହାରି ୨୦ ଟଙ୍କା ରହିଥିବା ବେଳେ ବଡ଼ଚାରାର ଦର ୫୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଫାଇକସ୍‌ (ଫୋନସାଇ)ର ଦାମ୍‌ ତ ୪୦୦୦ ଟଙ୍କା। ଚାରାଗୁଡ଼ିକୁ ଲଗାଇବାଲାଗି ପାଇଁ ବିଭିନ୍ନ ଡିଜାଇନ୍‌ର ପ୍ଳାଷ୍ଟିକ୍ କୁଣ୍ଡ ମଧ୍ୟ ସେଠାରେ ବିକ୍ରି ହେଉଛି। ସିମେଣ୍ଟ ଓ ଟେରାକୋଟାର କୁଣ୍ଡ ମଧ୍ୟ ମିଳୁଛି। ଏକ ନମ୍ବର ହାଟ ଆଖପାଖ ଇଲାକା ସହିତ ପଟିଆ, ଜାଭିୟର ଛକ, ଏଜି ଛକ ଆଦିରେ ମଧ୍ୟ ଫୁଲଚାରାର ପସରା ମେଲିଛି। ରାଜଧାନୀର ବେଶ୍‌ କିଛି ଅଞ୍ଚଳରେ ନର୍ସରି ମଧ୍ୟ ଗଢ଼ି ଉଠିଛି, ଯେଉଁଠି ଚାରା ସୃଷ୍ଟି କରା ଯାଉଛି। ଆଜିକାଲି ଫୁଲଚାରା ପ୍ରସ୍ତୁତ କରିବା ଏକ ଲାଭଜନକ କାମ ହୋଇ ଗଲାଣି। ତେଣୁ ନିଜର ଜାଗା ଥିବା ଅନେକ ଲୋକ ସେଥିପ୍ରତି ଆଗ୍ରହ ଦେଖାଉଛନ୍ତି। ପଶ୍ଚିମବଙ୍ଗରୁ ଆସି ରାଜଧାନୀରେ ଫୁଲଚାରା ବିକ୍ରି କରୁଥିବା ବସନ୍ତ ଘୋଷ କହନ୍ତି, ସେ ୧୯ ବର୍ଷ ହେଲା ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାରା ବିକ୍ରି କରୁଛନ୍ତି। ୧୨ ବର୍ଷ ତଳେ ଏକ ନମ୍ବର ହାଟ ପାଖରେ ଚାରା ବିକ୍ରି କରୁଛନ୍ତି। କରୋନା ସମୟରେ ତାଙ୍କ ବ୍ୟବସାୟ ପୂରା ଠପ୍‌ ହୋଇ ଯାଇଥିଲା। ତେବେ ଚଳିତ ବର୍ଷ ଭଲ ବ୍ୟବସାୟ ହେଉଛି। ଛୋଟଚାରାର ଅଧିକ ଚାହିଦା ଥିଲେ ମଧ୍ୟ ବଡ଼ଚାରା ବେଶ୍‌ ବିକ୍ରି ହେଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର