ବିଧାନସଭା ସୁରକ୍ଷା ସମୀକ୍ଷା କଲେ ଡିଜିପି: ଦାୟିତ୍ବରେ ୧୧୩ ଅଧିକାରୀ, ୨୮ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ସୋମବାରଠାରୁ ଆରମ୍ଭ ହେବ ବିଧାନସଭା କାମଚଳା ବଜେଟ୍‌ ଅଧିବେଶନ। ଏହା ଫେବ୍ରୁଆରି ୧୩ ତାରିଖ ଯାଏ ଚାଲିବ। ଏହି ସମୟରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା, ଧାରଣା, ବିକ୍ଷୋଭ ପ୍ରଦର୍ଶନ ହେବାର ଆଶଙ୍କା ରହିଛି। ଏହି ସମୟରେ ଯେଭଳି ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ଦେଖାନଯାଏ ଓ ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କମିସନରେଟ୍‌ ପୁଲିସ ନିଜକୁ ପ୍ରସ୍ତୁତ ରଖିବା ସହ ସଜାଗ ରହିଛି। ଏଥିପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯାଇଛି। ତେବେ ରବିବାର ଅପରାହ୍ଣ ୩ଟାରେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ, ପୁଲିସ କମିସନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ଆଇଜି ଅନୁପ ସାହୁ, ଅତିରିକ୍ତ ପୁଲିସ କମିସନର ଅବିନାଶ କୁମାର ଓ ଡିସିପି ପ୍ରତୀକ ସିଂ ବିଧାନସଭା ଓ ଧାରଣାସ୍ଥଳ ବୁଲି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି।

ବିଧାନସଭା ସୁରକ୍ଷା ପାଇଁ ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୩ପ୍ଲାଟୁନ କ୍ୟୁଆର୍‌ଟି, ୨ପ୍ଲାଟୁନ୍‌ ଏସ୍‌ଟିୟୁ ମୁତୟନ କରାଯାଇଛି। ସେହିପରି ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସମସ୍ତ ଦିଗ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି। କେବଳ ଏତିକି ନୁହେଁ, ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ଶତାଧିକ ସିସିଟିଭି ଖଞ୍ଜା ଯାଇଛି। ଗାଡ଼ି ଚଳାଚଳ ଉପରେ କଟକଣା ମଧ୍ୟ ଲଗାଯାଇଛି। ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ରମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି।‌ ଡିସିପି ଶ୍ରୀ ସିଂଙ୍କ ସମେତ ୨ ଡିସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ୮ଜଣ ଅତିରିକ୍ତ ଡିସିପି, ୧୬ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀ, ୨୦ଜଣ ଆଇଆଇସିଙ୍କୁ ମିଶାଇ ୧୧୧୩ରୁ ଅଧିକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରବେଶ ପଥରେ ୨ଟି ଚେକ୍‌ପୋଷ୍ଟ କରାଯାଇଛି। ଏହାଛଡ଼ା ବିକ୍ଷୋଭ, ଧାରଣା ଓ ଅନଶନ କରୁଥିବା ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍‌ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌-ପିଏମ୍‌ଜି ରାସ୍ତାକୁ ସିଲ୍‌ କରାଯାଇଛି। ରେଳ ଷ୍ଟେସନ୍‌ ନିକଟରେ ଥିବା ସମସ୍ତ ହୋଟେଲ୍‌, ଲଜ୍‌ରେ ଯାଞ୍ଚକୁ କଡ଼କଡ଼ି କରାଯାଇଛି।

ସମ୍ବନ୍ଧିତ ଖବର