ଆର୍ଥରାଇଟ୍‌ସରେ ପୀଡ଼ିତ ନନ୍ଦନର ସୁସ୍ଥ ହେବା ଆଶା କ୍ଷୀଣ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୭ ବର୍ଷୀୟ ବୃଦ୍ଧ ମହାବଳ ନନ୍ଦନ ଆର୍ଥାରାଇଟ୍‌ସ(ଅସ୍ଥିଜନିତ ସମସ୍ୟା)ରେ ପୀଡ଼ିତ। ଅଣ୍ଟାରେ ଅସ୍ଥିଜନିତ ସମସ୍ୟା ଯୋଗୁଁ ସେ ତା’ର ପଛ ଗୋଡ଼ ତଳୁ ଉଠାଇପାରୁନାହିଁ। ତେଣୁ ଘୁଷୁରି ଘୁଷୁରି ଚାଲୁଛି। ନନ୍ଦନକାନନ ଚିକିତ୍ସକଙ୍କ ସହ ଓୟୁଏଟି ପ୍ରାଣୀ ଚିକିତ୍ସାକେନ୍ଦ୍ରର ବିଶେଷଜ୍ଞମାନେ ନନ୍ଦନର ପରୀକ୍ଷା କରିଛନ୍ତି ଏବଂ ଚିକିତ୍ସା ବାବଦରେ ପରାମର୍ଶ ଦେଇଛନ୍ତି। କିନ୍ତୁ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବାରୁ ନନ୍ଦନ ପୁଣି ଭଲ ଭାବେ ସୁସ୍ଥ ହେବା ଆଶା କ୍ଷୀଣ ବୋଲି ସୂଚନା ମିଳିଛି।

ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରସ୍ଥ ପୃଥକୀକରଣ କକ୍ଷରେ ଏବେ ନନ୍ଦନର ଚିକିତ୍ସା ଚାଲିଛି। ଓୟୁଏଟି ପ୍ରାଣୀ ଅସ୍ଥି ଓ ଶଲ୍ୟ ବିଭାଗର ବରିଷ୍ଠ ଚିକିତ୍ସକ ପ୍ରଫେସର ଇନ୍ଦ୍ରମଣୀ ନାଥଙ୍କ ନେତୃତ୍ବରେ ଏକ ୬ ଜଣିଆ ଚିକିତ୍ସକ ଟିମ୍‌ ନନ୍ଦନର ସ୍ବାସ୍ଥ୍ୟ ନିରୀକ୍ଷଣ କରିଛନ୍ତି। ନିଶ୍ଚେତକ ଦ୍ବାରା ନନ୍ଦନ ସଂଜ୍ଞାହୀନ ହେବା ପରେ ତା’ର ରକ୍ତ ନମୁନା ନେଇ ପରୀକ୍ଷା କରାଇଥିଲେ। ଅଣ୍ଟାରେ ଏକ୍ସ-ରେ କରାଯାଇଥିଲା। ରକ୍ତ ଓ ଏକ୍ସ-ରେ ପରୀକ୍ଷାରୁ ନନ୍ଦନର ଅଣ୍ଟା ଅସ୍ଥିରେ ଆର୍ଥରାଇଟ୍‌ସ ଲକ୍ଷଣ ଥିବା ଜଣାପଡ଼ିଛି। ଏଥିପାଇଁ ତାକୁ ବେଦନାରହିତ ଔଷଧ(ପେନ୍‌ କିଲର୍‌) ସେବନ କରାଇବା ସହିତ ଅଣ୍ଟାରେ ଔଷଧ ସ୍ପ୍ରେ କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଅସ୍ଥି ସମସ୍ୟା ଲାଗି ଆୟୁର୍ବେଦ ତୖଳ ବ୍ୟବହାର କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର