ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମଳନୀକୁ ନେଇ ସଭିଙ୍କ ମଧ୍ୟରେ ଉତ୍ସାହ ବାରି ହୋଇପଡ଼ୁଛି। ଆଜି ୪ଟି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ସମ୍ପର୍କିତ ୮ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୪୦ ଜଣ ଭାଷାବିତ୍‌ ଓ ଗବେଷକ ଯୋଗଦେଇ ସାରଗର୍ଭକ ଆଲୋଚନା କରିଥିଲେ। ସଂଧ୍ୟାରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟର ତାଳେ ତାଳେ ଝୁମିଥିଲେ ହଜାର ହଜାର ଦର୍ଶକ।

Advertisment

ଆଦିକବି ସାରଳା ଦାସ କକ୍ଷରେ ବିଶିଷ୍ଟ ଐତିହାସିକ ଡ. ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ‘୧୯୩୬: ଆଧୁନିକ ଓଡ଼ିଶାର ଆର୍ବିଭାବ’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବକ୍ତାଭାବେ ପ୍ରଫେସର ପ୍ରୀତିଶ ଆଚର୍ଯ୍ୟ, ଇତିହାସ ପ୍ରାଧ୍ୟାପକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଧୁନିକ ଓଡ଼ିଶା ଗଠନରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ଦୀପିକା ସହିତ ବିଭିନ୍ନ ଓଡ଼ିଆ ଖବରକାଗଜର ପ୍ରମୁଖ ଭୂମିକା ରହିଥିଲା ବୋଲି ସମସ୍ତ ଅତିଥି ମତ ପ୍ରକାଶ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡ. ପ୍ରିୟଦର୍ଶୀ କର ମଞ୍ଚ ପରିଚାଳନା କରିଥିଲେ।

ନାରୀ ହେଉଛି ସମାଜର ଧ୍ୱଜା। ନାରୀଭାବ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖେ। ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ କକ୍ଷରେ ‘ଓଡ଼ିଆ ଭାଷା ଓ ନାରୀ ସଶକ୍ତୀକରଣ’ ବିଷୟବସ୍ତୁ ଉପରେ ଆଲୋଚନା କରି ଏହା କହିଛନ୍ତି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଔପନାସିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ। ଡ. ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି ଓଡ଼ିଆ ଭାଷା ଓ ଓଡ଼ିଶୀ ନୃତ୍ୟର କ୍ରମବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନର ମୁଖ୍ୟ ସୁସ୍ମିତା ବାଗ୍‌ଚୀ ସମାଜରେ ବଳିଷ୍ଠ ଶିଶୁ ସାହିତ୍ୟ ସୃଷ୍ଟି ହୋଇପାରିଲେ କନ୍ୟା ସନ୍ତାନମାନେ ଆଗକୁ ବଢ଼ି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିବେ ବୋଲି କହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପିକା ଡ. ସଂଘମିତ୍ରା ମିଶ୍ର ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟରେ ନାରୀ ପଦାଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥ‌ିବା ବେଳେ ବିଶିଷ୍ଟ ଗାଳ୍ପିକା ଡ. ଯଶୋଧାରା ମିଶ୍ର ବ୍ରତ ସାହିତ୍ୟର ପରମ୍ପରାରେ ନାରୀ ସଶକ୍ତିକରଣର ଉତ୍ସ ସମ୍ପର୍କରେ ଆଲୋଚନା କରିଥିଲେ। ଆୟକର ବିଭାଗର ମୁଖ୍ୟ ତଥା ବିଶିଷ୍ଟ ଗାଳ୍ପିକା ପାରମିତା ଶତପଥୀ କହିଲେ ଆମ ସମାଜ ଏବଂ ସାହିତ୍ୟରେ ନାରୀର ଅବଦାନ ରହିଛି, ଯାହା ସେମାନଙ୍କର ତ୍ୟାଗ, ତପସ୍ୟା ବଳରେ ସାହିତ୍ୟ ସୃଷ୍ଟି ହୋଇଛି। ଆଜିର ନାରୀ କବିତା, ସାହିତ୍ୟ, ବିଜ୍ଞାନ, କୃଷି, ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଆସୁଛନ୍ତି ବୋଲି ସେ ମତ ବ୍ୟକ୍ତ କରିଥିଲେ। ଅଧିବେଶନକୁ ଡ. ହିମାଦ୍ରୀ ତନୟା ମିଶ୍ର ସଂଯୋଜନା କରିଥିବା ବେଳେ ଛାତ୍ରବକ୍ତା ଭାବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେଣ୍ଟପୁରର ଚୌଧୁରୀ ଅଙ୍କିତା ମିଶ୍ର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଜ୍ଞାନ କାରିଗରି ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଓଡ଼ିଶାରେ ପ୍ରତ୍ନତତ୍ତ୍ୱ ଅଧ୍ୟୟନର ନୂତନ ସମ୍ଭାବନା ସୃଷ୍ଟି ହୋଇଛି
ଶିଶୁପାଳଗଡ଼ ଉପଲବ୍ଧ ଶିଳାଲେଖଗୁଡ଼ିକର ଉତ୍‌ଖନନ ଓ ଅଧ୍ୟୟନ ଓଡ଼ିଶାରେ ପ୍ରତ୍ନତତ୍ତ୍ୱ ଅଧ୍ୟୟନର ନୂତନ ସମ୍ଭାବନା ସୃଷ୍ଟି କରିଛି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଅତିବଡ଼ୀ ଜଗନ୍ନାଥ ଦାସ କକ୍ଷରେ ‘ଓଡ଼ିଶାର ପ୍ରତ୍ନତତ୍ତ୍ୱ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ପ୍ରତ୍ନତତ୍ତ୍ୱବିତ୍‌ ପ୍ରଫେସର କିଶୋର କୁମାର ବାସା ଏହା କହିଛନ୍ତି। ବିଶିଷ୍ଟ ଐତିହାସିକ ସଦାଶିବ ପ୍ରଧାନ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ସୀମାଦ୍ରୀ ଭୂଷଣ ଓତା, ପ୍ରତ୍ନତତ୍ତ୍ୱବିଦ୍ ବି. ଗଡ଼ନାୟକ, ପ୍ରଫେସର ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ସଭାରେ ବିଶିଷ୍ଟ ଧାତୁ ବିଜ୍ଞାନି ପ୍ରଫେସର ଓଁକାରନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଐତିହାସିକ ସୁଶାନ୍ତ କୁମାର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଜେବି ହାଇସ୍କୁଲର ଛାତ୍ର ଓମ୍ ରଣବୀର ସିଂହ ଓ ଛାତ୍ରୀ ଆବୃତି ଦାଶ ଉପସ୍ଥାପନା କରିଥିଲେ।

ଓଡ଼ିଶା ଭାଷାର ଗନ୍ତାଘର
ଆଜି ଅପରାହ୍ନରେ ବ୍ୟାସକବି ଫକୀର ମୋହନ ସେନାପତି କକ୍ଷରେ ‘ଓଡ଼ିଶାର ଭାଷା ବିବିଧତା’ ଶୀର୍ଷକ ଆଲୋଚନା ଅଧ୍ୟକ୍ଷତା କରି ପ୍ରଫେସର ଜି. ଉମା ମହେଶ୍ବର ରାଓଙ୍କ କହିଲେ ଓଡ଼ିଶା ଭାଷାର ଗନ୍ତାଘର। ଓଡ଼ିଶାରେ ଆଦିବାସୀ, ଉପକୂଳବର୍ତ୍ତୀ, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଭାଷା ଭଳି ବିବିଧ ଭାଷା ରହିଛି। ଆଗାମୀ ପିଢିଙ୍କ ପାଇଁ ଭାଷାର ସଂରକ୍ଷଣ କରିବା ଆବଶ୍ୟକ। ବକ୍ତା ଭାବେ ଅଖିଳ ବିହାରୀ ଓତା ଓଡ଼ିଶାରେ ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରୋତ୍ସାହନ ଆବଶ୍ୟକ ବୋଲି କହିଥିଲେ। ପଦ୍ମଶ୍ରୀ ଦମୟନ୍ତୀ ବେସରା ଆଦିବାସୀ ଭାଷା ଓଡ଼ିଆ ଭାଷାରେ ମିଶି ଓଡ଼ିଆକୁ ସମୃଦ୍ଧ କରିଛି ଓ ଭାଷାର ଅସ୍ମିତାକୁ ବଜାୟ ରଖିଛି ବୋଲି ମତ ଦେଇଥିଲେ। ଅନ୍ୟତମ ବକ୍ତା ପ୍ରଫେସର ଜ୍ୟୋତ୍ସ୍ନା ବିଶ୍ବାଳ ରାଉତ ଆସାମର ଚା’ ବଗିଚାରେ ଓଡ଼ିଆ ଭାଷା ଓ ସଂସ୍କୃତି ବିଷୟରେ ଆଲୋଚନା କରିଥିବା ବେଳେ ଡ. ପରମାନନ୍ଦ ପଟେଲ ଓଡ଼ିଶା ସରକାରଙ୍କ ଜନଜାତି ଭାଷା ସଂରକ୍ଷଣରେ ପ୍ରଚେଷ୍ଟା ବିଷୟରେ ଆଲୋଚନା କରିଥିଲେ। ଡ. ରାଜେନ୍ଦ୍ର ପାଢ଼ୀ ଦକ୍ଷିଣ ଓଡ଼ିଶାର ଆଦିବାସୀ ଭାଷାର ବିସ୍ତୃତ ଆଲୋଚନା କରିଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଅଲିଭା ସାହୁ ଅଭିବ୍ୟକ୍ତି ରଖିଥିବା ବେଳେ ସଂଯୋଜନା କରିଥିଲେ ଡ. ବିଶ୍ବନନ୍ଦନ ଦାଶ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ସଚିନ ରାମଚନ୍ଦ୍ର ଯାଦବ।

ନୌବାଣିଜ୍ୟ ପରମ୍ପରା ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଏକ ଅଙ୍ଗ
ନୌବାଣିଜ୍ୟ ପରମ୍ପରା ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଏକ ଅଙ୍ଗ। ନୌବାଣିଜ୍ୟ ପରମ୍ପରାରେ ଅହିଂସା ଦ୍ୱାରା ପଡ଼ୋଶୀ ଦେଶମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ଓ ଶାନ୍ତିପୂର୍ଣ୍ଣ ସହବାସ୍ଥାନର ବାର୍ତ୍ତା ପ୍ରଚାରିତ ହୋଇଥିଲା। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ‘ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ’ ସଂପର୍କିତ ଆଲୋଚନା ଯୋଗେଦଇ ବିଶିଷ୍ଟ ବକ୍ତା ସାମୁଦ୍ରିକ ପ୍ରତ୍ନତତ୍ତ୍ୱବିତ୍‌ ଡ. ଶୀଳାତ୍ରି ପତି, ଡ. ସୁନୀଲ ପଟ୍ଟନାୟକ, ଲଲାଟେନ୍ଦୁ ଦାସ ମହାପାତ୍ର, ପ୍ରଫେସର ଉମାକାନ୍ତ ମିଶ୍ର ପ୍ରମୁଖ ଏହା କହିଛନ୍ତି। ସଭାରେ ବିଶିଷ୍ଟ ଐତିହାସିକ ପ୍ରଫେସର ଅମୀୟ କୁମାର ପଟ୍ଟନାୟକ ପୌରୋହିତ୍ୟ କରିଥିବାବେଳେ, ଅଧ୍ୟାପିକା ସରିତା ନାୟକ ସଭା ସଂଯୋଜନା କରିଥିଲେ। ସାମ୍ବାଦିକତା ବିଭାଗର ସ୍ନାତକ ଛାତ୍ର ଦେବୀ ପ୍ରସାଦ ରଥ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ଉପରେ ବକ୍ତବ୍ୟ ରଖିଥିଲେ।

ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି ୪ କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଦ୍ୱିତୀୟ ଦିବସରେ ଆୟୋଜିତ ଓଡ଼ିଶାର ଲୋକସଂସ୍କୃତି ସମ୍ପର୍କିତ ଆଲୋଚନା ସଭାରେ ଯୋଗଦେଇ ବକ୍ତାମାନେ ଓଡ଼ିଆ ସାହିତ୍ୟର ସ୍ୱରୂପ, ଉଦ୍ଭବ, ବିକାଶ ବିଷୟରେ ଆଲୋଚନା କରିଥିଲେ। ବିଶିଷ୍ଟ ଭାଷାବିତ୍ ତଥା ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ପୂର୍ବତନ ଅଧକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରସିଦ୍ଧ ଲୋକ ସାହିତ୍ୟ ଗବେଷକ ମହେନ୍ଦ୍ର କୁମାର ମିଶ୍ର ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି ୪ କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ବୋଲି ସେ କହିଥିଲେ। ପ୍ରଫେସର କୈଳାସ ପଟ୍ଟନାୟକ ମୌଳିକ ପରମ୍ପରା ସାହିତ୍ୟର ମୂଳଦୁଆକୁ ସଶକ୍ତ କରାଏ ବୋଲି କହିଥିଲେ। ପ୍ରଫେସର ଗୌରାଙ୍ଗ ଚରଣ ଦାଶ ବରଗଡ଼ର ଧନୁଯାତ୍ରାର ଜାତକ ସମ୍ପର୍କରେ ଆଲୋଚନା କରିଥିଲେ। ଗବେଷିକା ଜ୍ୟୋତିପ୍ରଭା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା ଓ ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ରଥ ସହଯୋଗ କରିଥିଲେ।