ଭୁବନେଶ୍ୱର: ୟୁନିଟ୍-୮ ସ୍ଥିତ ଡିଏସ୍ବିଏମ୍ (ଡିଏଭି ସ୍କୁଲ୍ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ୍)ରେ ଅଧ୍ୟୟନରତ ତରୁଣ ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମ ଏବଂ ସହ-ପାଠ୍ୟକ୍ରମ କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭାକୁ ସମ୍ବର୍ଧିତ କରିବା ଉଦେଶ୍ୟରେ ବାର୍ଷିକ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏହି ସମାରୋହରେ ନାବାର୍ଡର ମୁଖ୍ୟ ପରିଚାଳକ ଡଃ କେସି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ବିଭିନ୍ନ ପ୍ରକାରର ଦକ୍ଷତାଭିତ୍ତିକ ସୃଜନୀ କାର୍ଯ୍ୟକ୍ରମ ଆୟୋଜନ ସାଙ୍ଗକୁ ଉଚ୍ଚମାନର ସଫଳତା ପ୍ରଦର୍ଶନ ନିମନ୍ତେ ଅନୁଷ୍ଠାନର ଭୂୟଶୀ ପ୍ରଶଂସା କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ବିବିଏ ଓ ବି କମ୍ ପରୀକ୍ଷାରେ ଡିଏସ୍ବିଏମ୍ର କୃତୀ ପରିକ୍ଷାର୍ଥୀମାନଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ଏତଦ୍ ବ୍ୟତୀତ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦକ୍ଷତାଭିତ୍ତିକ ସୃଜନୀ କାର୍ଯ୍ୟକ୍ରମ ଯଥା କ୍ରୀଡ଼ା ଏବଂ ବକ୍ତୃତା ପ୍ରତିଯୋଗିତାରେ ଶେଷ୍ଠ ପ୍ରଦର୍ଶନ ପାଇଁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଓଡିଶାର ଡିଏଭି ଅନୁଷ୍ଠାନ ସମୂହର ଆଚଂଳିକ ନିର୍ଦେଶକ ଡଃ କେସି ଶତପଥୀ ସମାରୋହରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମକୁ ପ୍ରଶଂସା କରି ଦକ୍ଷତା ବିକାଶ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡା, ଡିଏସ୍ବିଏମ୍ର ପ୍ରତିଷ୍ଠାତା ସଦସ୍ୟା ଡଃ ଭାଗ୍ୟବତୀ ନାୟକ ଏବଂ ଡିଏଭି ସ୍କୁଲ୍ ୟୁନିଟ୍-୮ର କାର୍ଯ୍ୟବାହୀ ଅଧ୍ୟକ୍ଷା ଡଃ ମମତା ବାନାର୍ଜୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ଡିଏସ୍ବିଏମ୍ର ଅଧ୍ୟକ୍ଷ ଡଃ ଡିଏନ୍ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ସୃଜନୀକଳାର ପ୍ରଦର୍ଶନ ଏବଂ କାର୍ଯ୍ୟକ୍ରମ ସଚାଂଳକ ସମୁହଙ୍କର ସଫଳ ପରିଚାଳନା ନିମନ୍ତେ ଶୁଭେଚ୍ଛା ଜ୍ଞାପନା କରିଥିଲେ।