ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଭଙ୍ଗାରୁଜା, ରାସ୍ତାରୋକ

ବିଦ୍ୟୁତ୍‌ ଯୋଗାଣ ଦାବିରେ ତାତିଲେ ଲୋକେ ଡାକ୍ତରଙ୍କୁ ଦୁର୍ବ୍ୟବହାର

ବାଲିପାଟଣା: ବିଦ୍ୟୁତ୍‌ ଯୋଗାଣ ଦାବିରେ ତାତିଲେ ଲୋକେ। ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ରାସ୍ତରୋକ କଲେ। ଏଭଳି ଘଟଣା ଆଜି ବାଲିପାଟଣା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ଘଟିଛି। ଘଟଣାରୁ ପ୍ରକାଶ ଯେ, ବାତ୍ୟା ଫନିକୁ ଦୀର୍ଘ ଏକ ମାସ ବିତିଯାଇଛି। ହେଲେ ଏ ପର୍ଯ୍ୟନ୍ତ ବାଲିପାଟଣା ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ ହୋଇନାହିଁ। ବିଦ୍ୟୁତ୍‌ ବିଭାଗର କାର୍ଯ୍ୟରେ ଅବହେଳା ଅଭିଯୋଗ କରି ୪୦ରୁ ୫୦ ସ୍ଥାନୀୟ ଲୋକ ଆଜି ଦିନ ପ୍ରାୟ ୧୦ଟା ବେଳେ ବାଲିପାଟଣା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିରେ କାର୍ଯ୍ୟାଳୟର ଚେୟାର, ଟେବୁଲ, ବିଦ୍ୟୁତ୍‌ ଉପକରଣ ଓ ଅନ୍ୟାନ୍ୟ ଆସବାବପତ୍ର ଭାଙ୍ଗିରୁଜି ଯିବା ସହ ବିଭିନ୍ନ ଜରୁରୀ କାଗଜପତ୍ର ନଷ୍ଟ ହୋଇଯାଇଛି। ଏହାପରେ ଉତ୍ତ୍ୟକ୍ତ ଲୋକେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବାଉଁଶ ଓ ଗଛ ଡାଳ ପକାଇ ରାସ୍ତାରୋକ କରିଥିଲେ। ଫଳରେ ପ୍ରାୟ ଅଧଘଣ୍ଟା ଧରି ବାଲିପାଟଣାରୁ କଟକ ଓ ଭୁବନେଶ୍ବର ଯାତାୟାତ ଠପ୍‌ ହୋଇଯାଇଥିଲା। ଏହି ସମୟରେ ଏସ୍‌ସିବି ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଜ୍ୟୋତିରଂଜନ ନାୟକ ତାଙ୍କ ପୁତୁରା ଯଯାତି ନାୟକ (କାହ୍ନା) ସହ ପମ୍ପାଲୋ ପଞ୍ଚାୟତ ଅଧୀନ ସାହାଣୀସାହି ସ୍ଥିତ ନିଜ ଗ୍ରାମରୁ ଡ୍ୟୁଟି ପାଇଁ କଟକ ଯାଉଥିଲେ। ରାସ୍ତାରୋକ ଚାଲିଥିବାରୁ ଶ୍ରୀ ନାୟକ କାହ୍ନାକୁ ଗାଡ଼ିରୁ ଓହ୍ଲାଇ ଦେଖିବାକୁ କହିଥିଲେ। କାହ୍ନା ଘଟଣା ସମ୍ପର୍କରେ ପଚ‌ାରିବା ସହ ମୋବାଇଲରେ ଫଟୋ ଉଠାଇବାରୁ ଆନ୍ଦୋଳନକାରୀ କିଛି ଯୁବକ ତାଙ୍କୁ ମାଡ଼ ମାରିଥିଲେ। ଶ୍ରୀ ନାୟକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେମାନେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଖବରପାଇ ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ। ଏନେଇ ଶ୍ରୀ ନାୟକ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଗଣ୍ଡଗୋଳ ପରଠାରୁ ବାଲିପାଟଣା ବିଦ୍ୟୁତ୍‌ ବିଭାଗ ଅଧୀନରେ ଥିବା ସମସ୍ତ ଗ୍ରାମକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିଛି। ବାଲିପାଟଣା ଥାନା ଆଇଆଇସି ପିପିଲି ବିଦ୍ୟୁତ୍‌ ବିଭାଗ ଏସଡିଓଙ୍କୁ ଡାକି ସଂଧ୍ୟାରେ ବିଦ୍ୟୁତ୍‌ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର