‘ଗାନ୍ଧୀଜୀ ଓ ତିନି ମାଙ୍କଡ଼’ କଣ୍ଢେଇ ପ୍ରଦର୍ଶନୀ ଆରମ୍ଭ

ପ୍ରଥମ ଦିନରେ ଦେଖିଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ରାଜ୍ୟ ସଂଗ୍ରହାଳୟରେ ‘ଗାନ୍ଧୀଜୀ ଓ ତିନି ମାଙ୍କଡ଼’ ଶୀର୍ଷକ ଏକ କଣ୍ଢେଇ ପ୍ରଦର୍ଶନୀ ଆରମ୍ଭ ହୋଇଛି। ସୁ‌ରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଦ୍ବାରା ରାଜ୍ୟ ତଥା ‌‌ଦେଶର ବିଭିନ୍ନ ପ୍ରାନ୍ତରୁ ସଂଗ୍ରହ କରାଯାଇଥିବା ପ୍ରାୟ ୪ ହଜାର କଣ୍ଢେଇ ରାଜ୍ୟ ସଂଗ୍ରହାଳୟକୁ ପ୍ରଦାନ କରା‌ଯାଇ ପ୍ରଦର୍ଶିତ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭ‌‌‌ାଗର ଅତିରିକ୍ତ ମୁଖ୍ୟ ଶ‌ାସନ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ କଣ୍ଢେଇ ପ୍ରଦର୍ଶନୀ ଦ୍ବାରା ନୂତନ ପିଢ଼ି ଏହାର ଅସ୍ମିତା ଓ ସ୍ବାଭିମାନ ସହ ପରିଚିତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ।

ଏହି ପ୍ରଦର୍ଶନୀ ୧୫ଦିନ ଧରି ଚାଲିବ। ଆଜି ପ୍ରଥମ ଦିନରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଦର୍ଶନୀ ବୁଲି ଦେଖିଥିଲେ। ପରବର୍ତ୍ତୀ ସମୟରେ ସଂଗ୍ରହାଳୟରେ ଆରମ୍ଭ ହେବାକୁ ଥିବା କଣ୍ଢେଇ ଗ୍ୟାଲେରିରେ ଏହି କଣ୍ଢ‌େଇଗୁଡ଼ିକ ସ୍ଥାନିତ କରାଯିବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଭ‌ାଗ୍ୟଲିପି ମଲ୍ଲ ସୂଚନା ଦେଇଛନ୍ତି। ପ୍ରଦର୍ଶନୀ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର୍‌ ପ୍ରେମାନନ୍ଦ ମହାପାତ୍ର, ସାହିତ୍ୟିକ ଫଣୀନ୍ଦ୍ର ଭୂଷଣ ନନ୍ଦ, ଫାଉଣ୍ଡେସନ୍‌ର ସଭାପତି ହରେକୃଷ୍ଣ ପାତ୍ର, ଟ୍ରଷ୍ଟି ପ୍ରଫୁଲ୍ଲ ଚନ୍ଦ୍ର ଧୀର, ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଅଜିତ କୁମାର ଦାସ, ଫାଉଣ୍ଡେସନ୍‌ର ସଦସ୍ୟ ସୂର୍ଯ୍ୟ ମିଶ୍ର, ଦେବାଶିଷ ମହାପାତ୍ର, ପବିତ୍ର ପ୍ରଧାନ, ସୁଧୀର ମଉଡ଼ମଣି ଓ ସଂପାଦିକା ଅନ୍ୟା ଅନୁରୂପା ପ୍ରମୁଖ ଉପସ୍ଥିତ ଥିଲେ। ଅନିନ୍ଦିତା ଦାସ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଗାନ କରିଥିଲେ। ସଂଗ୍ରହାଳୟ ପକ୍ଷରୁ ଭାରତୀ ପାଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର