ଉପକଣ୍ଠରେ ଅଳିଆ ଚିନ୍ତା: ପ୍ରତି ପଞ୍ଚାୟତରେ ଖତ ହେଉଛି ୩ ଠେଲା ଗାଡ଼ି

ଖଣ୍ଡଗିରି: ସହରରେ ଆବର୍ଜନା ବିବାଦ ତୁଟି ନ ଥିବା ବେଳେ ଉପକଣ୍ଠରେ ଆବର୍ଜନା ପରିଚାଳନା ସମସ୍ୟା ଏବେ ଉତ୍କଟ ହେଲାଣି। ସମଗ୍ର ଗାଁ ଆବର୍ଜନାମୟ ହୋଇ ପଡ଼ିଲାଣି। କେବଳ ଘର ଦୁଆରମୁହଁକୁ ଛାଡ଼ିଦେଲେ ବାକି ସବୁ ଜାଗାରେ ପୁଳା ପୁଳା ଆବର୍ଜନା। ରାସ୍ତା କଡ଼ରେ ପଡ଼ିଥିବା ଜରି, ପ୍ଲାଷ୍ଟିକ୍‌, କାଗଜ, ଘରର ଅନାବଶ୍ୟକ ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ, ଥର୍ମକୁଲ୍‌, ‌ଔଷଧ ଖୋଳ, ସାନିଟାରି ନାପ୍‌କିନ୍‌ ପ୍ରଭୃତି ଆସ୍ତେ ଆସ୍ତେ ରାସ୍ତା ଉପରକୁ ମାଡ଼ି ଆସିଲାଣି। ଆବର୍ଜନା ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟବସ୍ଥା ହୋଇଛି, ତାହା ହେଉଛି ପଞ୍ଚାୟତ ପିଛା ୩ଟି ଅଳିଆ ଉଠା ଠେଲା ଗାଡ଼ି ଓ ଗାଁ ମୁଣ୍ଡରେ ଗୋଟିଏ ଗୋଟିଏ ଜୈବ ବିଘଟନ ଆବର୍ଜନା କୁଣ୍ଡ। ଗାଁରେ ଜନସଂଖ୍ୟା ବଢ଼ିବା ସହ ତାଳ ଦେଇ ଉତ୍ପନ୍ନ ହେଉଥିବା ଆବର୍ଜନା ପରିଚାଳନା ପାଇଁ ସରକାର କରିଥିବା ଏଭଳି ବ୍ୟବସ୍ଥା ପରିହାସ ସଦୃଶ ହୋଇଛି।

ବିଏମ୍‌ସିର ୨୩ ନଂ ୱାର୍ଡକୁ ଲାଗି ରହିଥିବା ପ୍ରମୁଖ ପଞ୍ଚାୟତ ହେଉଛି ତମାଣ୍ଡୋ। ଏଥିରେ ନାରୋଗୋଦା, ସିଜୁପୁଟ, ସହଜପୁର, ବିଜିପୁର, ତମାଣ୍ଡୋ, ଦଶବାଟିଆ, ବାଲିପଡ଼ା, କାଶିପୁର, ବେଗୁନିଆବରାହୀ ଏଭଳି ୯ଟି ରାଜସ୍ବ ଗ୍ରାମ ରହିଛି। ଏଠାରେ ଜନସଂଖ୍ୟା ୨୦ ହଜାରରୁ ଊର୍ଦ୍ଧ୍ବ। ସ୍ବଚ୍ଛ ଭାରତ ମିସନ ଯୋଜନାରେ ପଞ୍ଚାୟତକୁ ୩ଟି ଅଳିଆ ବୁହା ଠେଲାଗାଡ଼ି ଦିଆଯାଇଥିଲା। ଏଥିରେ ଓଦା ଓ ଶୁଖିଲା ଆବର୍ଜନା ପାଇଁ ୨ଟି ଡାଲା ରହିଥିଲା। ଘରୁ ଘରୁ ପୃଥକ୍‌ ଭାବେ ଆବର୍ଜନା ସଂଗ୍ରହ ଯୋଜନା ରହିଥିଲା। ଯୋଜନାକୁ ୨ ବର୍ଷ ପୂରିଥିଲେ ମଧ୍ୟ ଅଳିଆ ବୁହା ଠେଲା ଗାଡ଼ି ପଞ୍ଚାୟତ ଅଫିସ୍‌ରେ ମୁହଁ ମାଡ଼ି ପଡ଼ିଛି। ୩ଟି ଗାଡ଼ି ୯ ରାଜସ୍ବ ଗ୍ରାମ କିଭଳି ବୁଲିବ? ବିଜନ କୁମାର ମହାନ୍ତିଙ୍କ କହିବାକଥା, ଗାଁରେ ଗୋଟିଏ ଗାଡ଼ି ଯଥେଷ୍ଟ ହେଉନି। ଏଣେ ଦିନକୁ ୧୦ ଟଙ୍କା ହିସାବରେ ସେମାନେ ମାସକୁ ୩୦୦ ଟଙ୍କା ମାଗୁଛନ୍ତି। ଲୋକ ଦେଉନଥିବାରୁ ଗ‌ାଡ଼ି ଆବର୍ଜନା ଆଣିବାକୁ ଯାଉନି। ସରକାରୀ ଗାଡ଼ି ସହ ଆଉ ଏକ ଘରୋଇ ଗାଡ଼ି ମଧ୍ୟ ଆବର୍ଜନା ଉଠାଉଛି। କିନ୍ତୁ ଆବର୍ଜନା ଖତ ହେବା ପାଇଁ କୁଣ୍ଡ ନ ଥିବାରୁ ସଂଗ୍ରହ ହେଉଥିବା ଆବର୍ଜନା ମଧ୍ୟ ଏଣେତେଣେ ଫିଙ୍ଗି ଦିଆଯାଉଛି। ଏ‌ ନେଇ ସରପଞ୍ଚ ସଂଧ୍ୟା ଜେନାଙ୍କ କହିବାକଥା, ୩ଟି ଗାଡ଼ି ପଞ୍ଚାୟତରେ ଥୁଆ ହୋଇଛି। ଯଦି ସରକାର ଏହାକୁ ପରିଚାଳନା ପାଇଁ ସହଯୋଗ କରନ୍ତେ ତେବେ ଅଞ୍ଚଳରୁ ଅଳିଆ ସଫା ହୋଇ ପାରନ୍ତା।

ଅନ୍ୟତମ ପ୍ରମୁଖ ପଞ୍ଚାୟତ ହେଉଛି ଦାରୁଠେଙ୍ଗ। ଏଥିରେ ଭାଲୁଙ୍କ, ଚୂଡ଼ଙ୍ଗ, କୃଷ୍ଣନଗର, ଯୁଝଗଡ଼, ଭୁଆସୁଣି, ଦାରୁଠେଙ୍ଗ, ଶ୍ୟାମସୁନ୍ଦରପୁର ଓ ତୁଳସୀଦେଈପୁର ଭଳି ୮ଟି ରାଜସ୍ବ ଗ୍ରାମ ରହିଛି। ଏଥିରେ ପାଖାପାଖି ୧୫ ହଜାର ଲୋକ ହେବେ। ଏହି ପଞ୍ଚାୟତରେ ବିଏମ୍‌ସିର ଚର୍ଚ୍ଚିତ ଡମ୍ପିଂୟାର୍ଡ ରହିଛି। ସାରା ସହରର ଆବର୍ଜନା ଏଠାରେ ବର୍ଷ ବର୍ଷ ଧରି ଗଦା ହେଉଛି। କିନ୍ତୁ ଏହି ସବୁ ଆବର୍ଜନା ଉଠୁ ନାହିଁ। ଏ ନେଇ ସରପଞ୍ଚ ତପନ ଚକ୍ରବର୍ତ୍ତୀ କହିଛନ୍ତି, ଆବର୍ଜନା ସଂଗ୍ରହ ପାଇଁ ୩ଟି ଠେଲାଗାଡ଼ି ରହିଛି। ସଫେଇ ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦେବା ଯୋଜନା ରହିଛି। ସରକାରୀ ହିସାବରେ ଅଳିଆଗାଡ଼ି ବୋହୁଥିବା‌ କର୍ମଚାରାୀଙ୍କୁ ଘର ପିଛା ୫ ଟଙ୍କା ହିସାବରେ ପ୍ରଦାନ କରାଯିବ। ଏହା ସ୍ବଳ୍ପ ପରିମାଣର ହେଉଥିବାରୁ କେହି ରାଜି ହେଉନାହାନ୍ତି। ଏଣୁ କାର୍ଯ୍ୟକାରୀ ହୋଇ ପାରୁନି।
ଆଉ ଏକ ପଞ୍ଚାୟତ ହେଉଛି ରଣସିଂହପୁର ପଞ୍ଚାୟତ। ଏଥିରେ ସୁଆଙ୍ଗ, ସିଜୁଆ, ଛୋଟରାୟପୁର, ସରକନ୍ତରା, ବାହାଦଲପୁର, ହାଟସାହି, ଦାମୋଦରପୁର, ରଣସିଂହପୁର ଓ ଶ୍ରୀନିବାସପୁର ପ୍ରଭୃତି ୯ଟି ରାଜସ୍ବ ଗ୍ରାମ ରହିଛି। ଜନସଂଖ୍ୟା ୧୮ ହଜାରରୁ ଊର୍ଦ୍ଧ୍ବ ହେବ। ଗାଁ ମୁଣ୍ଡରେ ଆବର୍ଜନା କୁଣ୍ଡ ଅଛି। ଠେଲାଗାଡ଼ି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି। କିନ୍ତୁ ଠେଲାଗାଡ଼ି ଲୋକେ ଦେଖି ନାହାନ୍ତି। ଦିନେ ହେଲେ ଗାଡ଼ି ଆବର୍ଜନା ଉଠାଇବାକୁ ଆସୁନାହିଁ। ଏଣୁ ଆବର୍ଜନା ଉଠୁ ନାହିଁ। ଗାଁ ମୁଣ୍ଡରେ ଥିବା କୁଣ୍ଡରେ କାହାର କେତେବେଳେ ମନ ହେଲେ ପକାଉଛି ନ ହେଲେ ନାହିଁ।

ସମ୍ବନ୍ଧିତ ଖବର